ନୀତୀଶଙ୍କୁ ପାଦ ଛୁଇଁବାରୁ ଅଟକାଇଲେ ମୋଦି
ାା ଏଜେନ୍ସି ।ା ପାଟନା: ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁବାକୁ ଗଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିହାରର ଦରଭଙ୍ଗାଠାରେ ରାଜ୍ୟର ଦ୍ୱିତୀୟ ଏମ୍ସର ଶିଳାନ୍ୟାସ ସମୟରେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ଯାଇଥିଲେ ନୀତୀଶ କୁମାର । ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ସମେତ ଜେଡିୟୁ ଓ ବିଜେପିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ରାଜ୍ୟରେ ଦ୍ୱିତୀୟ ଏମ୍ସର ଶିଳାନ୍ୟାସରେ ଅତ୍ୟଧିକ ଖୁସି ହୋଇ ନୀତୀଶ ସିଧା ଯାଇ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିଲେ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
ମୋଦି ବୁଧବାର ବିହାରରେ ଦ୍ୱିତୀୟ ଏମ୍ସର ଶିଳାନ୍ୟାସ କରିଛନ୍ତି । ଦରଭଙ୍ଗାଠାରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ । ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ହେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ଭାଷଣରେ ଦୀର୍ଘ ସମୟ ଧରି ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ନୀତୀଶ । ଏହାପରେ ଭାଷଣ ଶେଷ କରିବା ପରେ ସେ ନିଜ ଆସନକୁ ଫେରୁଥିଲେ । ଏହି ସମୟରେ ନୀତୀଶ ମୋଦିଙ୍କ ନିକଟକୁ ଆସି ତାଙ୍କ ପାଦ ଛୁଇଁବାକୁ ଯାଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ସଙ୍ଗେ ସଙ୍ଗେ ଛିଡ଼ା ହୋଇ ନୀତୀଶ କୁମାରଙ୍କ ଦୁଇ ହାତ ଧରି ଅଭିବାଦନ ଜଣାଇଥିଲେ । ଏହି ଦୃଶ୍ୟ ଦେଖି ମଞ୍ଚରେ ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନେ ହସିବା ସହ ଜୋରରେ କରତାଳି ଦେଇଥିଲେ । ନୀତୀଶ ମୋଦିଙ୍କ ପାଦ ଛୁଇଁବାର ଏହା ପ୍ରଥମ ଦୃଶ୍ୟ ନୁହେଁ, ଏହା ପୂର୍ବରୁ ମଧ୍ୟ ଏକାଧିକ ଥର ନୀତୀଶ ବିଭିନ୍ନ ସଭା ମଞ୍ଚରେ ମୋଦିଙ୍କ ପାଦ ଛୁଇଁଥିବା ଦେଖିବାକୁ ମିଳିଛି ।