ମୋଦିଙ୍କ ବିମାନରେ ତ୍ରୁଟି, ଦୁଇଘଣ୍ଟା ବିଳମ୍ବରେ ଫେରିଲେ

 ଏଜେନ୍ସି : ଝାରଖଣ୍ଡର ଦେଓଘର ଏୟାରପୋର୍ଟରେ ଦୁଇ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବା ପରେ ଦିଲ୍ଲୀ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରୁ ଗୋଟିଏ ସ୍ୱତନ୍ତ୍ର ବିମାନ ଦେଓଘର ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦି ସେଥିରେ ଦିଲ୍ଲୀ ଫେରିଛନ୍ତି । ବାସ୍ତବରେ ମୋଦି ଯେଉଁ ବିମାରେ ଦେଓଘର ରାଲିକୁ ଯାଇଥିଲେ, ସେଥିରେ ସେ ଦିଲ୍ଲୀ ଫେରିବାର ଥିଲା । କିନ୍ତୁ ଉକ୍ତ ବିମାନରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା । ଏଥିଯୋଗୁ ଭାରତୀୟ ବାୟୁ ସେନାର ଆଉ ଗୋଟିଏ ବିମାନ ମୋଦିଙ୍କୁ ଆଣିବା ପାଇଁ ଦିଲ୍ଲୀରୁ ଯାଇଥିଲା । ସନ୍ଧ୍ୟା ପ୍ରାୟ ୫.୩୦ରେ ଉକ୍ତ ବିମାନ ଦେଓଘରରେ ପହଞ୍ଚିବା ପରେ ମୋଦି ଦିଲ୍ଲୀ ଫେରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ମୋଦି ଝାରଖଣ୍ଡରେ ଦୁଇଟି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଇଁ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ସରିବା ପରେ ସେ ଦେଓଘର ଏୟାରପୋର୍ଟକୁ ଆସିଥିଲେ । ସେଠାରୁ ସ୍ୱତନ୍ତ୍ର ବିମାଦନ ଯୋଗେ ସେ ଦିଲ୍ଲୀ ଯାଇଥାଆନ୍ତେ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଆଜି ଅପରାହ୍ନର ବିମାନରେ ବସିଥିବା ବେଳେ ଏହା ଦେଓଘର ଏୟାରପୋର୍ଟରୁ ଉଡାଣ ଭରିବାର ଥିଲା । କିନ୍ତୁ ହଠାତ୍ ବିମାନରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା । ତୁରନ୍ତ ଉଡାଣକୁ ବନ୍ଦ କରାଯିବା ସହ ଟେକ୍ନିକାଲ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାପରେ ସେମାନେ ବିମାନରେ ଦେଖାଯାଇଥିବା ତ୍ରୁଟିକୁ ଯାଞ୍ଚ କରିଥିଲେ । ଏସବୁ ଭିତରେ ମୋଦିଙ୍କୁ ଆଣିବା ପାଇଁ ବାୟୁସେନାର ଆଉ ଗୋଟିଏ ବିମାନ ପହଞ୍ଚିଥିଲା । ସେଥିରେ ମୋଦି ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ବିଳମ୍ବ ପରେ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଛନ୍ତି ।