ଆନ୍ଧ୍ର ଓ କେରଳରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କଲେ ମୋଦି
ଥିରୁଅନନ୍ତପୂରମ୍/ଅମରାବତୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳ ଓ ଆନ୍ଧ୍ରପ୍ରଦେଶ ଗସ୍ତ କରି ସେଠାରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଆଉ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଛନ୍ତି । ଏହିକ୍ରମରେ କେରଳର ତିରୁଅନନ୍ତପୁରମରେ ୮,୮୦୦ କୋଟି ଟଙ୍କା ମୂଲ୍ୟର ଭିଜିଞ୍ଜାମ ଅନ୍ତର୍ଜାତୀୟ ଗଭୀର ଜଳ ବହୁମୁଖୀ ବନ୍ଦରକୁ ରାଷ୍ଟ୍ର ଉଦେ୍ଦଶ୍ୟରେ ଉତ୍ସର୍ଗ କରିଥିବା ବେଳେ ଆନ୍ଧ୍ରପ୍ରଦେଶର ଅମରାବତୀରେ ୫୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶ ପ୍ରକଳ୍ପର ଉଦଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ରାଷ୍ଟ୍ର ଉଦେ୍ଦଶ୍ୟରେ ଉସôର୍ଗ କରିଛନ୍ତି ।
ଥିରୁଅନନ୍ତପୂରମ୍ରେ ଭଗବାନ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମବାର୍ଷିକୀର ପବିତ୍ର ଅବସରରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତିନି ବର୍ଷ ପୂର୍ବେ ସେପ୍ଟେମ୍ବରରେ, ସେ ଆଦି ଶଙ୍କରାଚାର୍ଯ୍ୟଙ୍କ ପୂଜ୍ୟ ଜନ୍ମସ୍ଥାନ ପରିଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ । ଭିଜିଞ୍ଜାମ ଗଭୀର ଜଳ ସମୁଦ୍ର ବନ୍ଦରକୁ ୮୮୦୦ କୋଟି ଟଙ୍କା ଖର୍ଚ୍ଚରେ ବିକଶିତ କରାଯାଇଛି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଗାମୀ ବର୍ଷ ଗୁଡ଼ିକରେ ଏହି ଟ୍ରାନ୍ସସିପମେଣ୍ଟ ହବ୍ର କ୍ଷମତା ତିନିଗୁଣ ବୃଦ୍ଧି ପାଇବ, ଯାହା ଦ୍ୱାରା ବିଶ୍ୱର କିଛି ବୃହତ୍ତମ ମାଲବାହୀ ଜାହାଜର ସୁଗମ ଆଗମନ ସମ୍ଭବ ହେବ ।
ଅପରପକ୍ଷେ ଆନ୍ଧ୍ରର ଅମରାବତୀ ଠାରେ ଅନୁଷ୍ଠିତ ସଭାକାର୍ଯ୍ୟରେ ଯୋଗ ଦେଇ "ଅମରାବତୀ ହେଉଛି ଏପରି ଏକ ଭୂମି ଯେଉଁଠାରେ ପରମ୍ପରା ଏବଂ ପ୍ରଗତି ଏକା ସାଙ୍ଗରେ ଚାଲିଥାଏ, ଯାହା ଏହାର ବୌଦ୍ଧ ଐତିହ୍ୟର ଶାନ୍ତି ଏବଂ ଏକ ବିକଶିତ ଭାରତ ନିର୍ମାଣର ଶକ୍ତିକୁ ଗ୍ରହଣ କରିଥାଏ’ ବୋଲି ମୋଦି କହିଥିଲେ । ଦେଶରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ଯୋଗାଯୋଗ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ଆନ୍ଧ୍ର ପ୍ରଦେଶରେ ୭ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବା ସହ କେତେକ ରେଳ ପ୍ରକଳ୍ପଗୁଡ଼ିକୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦେ୍ଦଶ୍ୟରେ ଉସôର୍ଗ କରିଥିଲେ । ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଏହାରି ମଧ୍ୟରେ ରହିଛି ବିଧାନସଭା, ହାଇକୋର୍ଟ, ସଚିବାଳୟ, ଅନ୍ୟାନ୍ୟ ପ୍ରଶାସନିକ କୋଠା ଏବଂ ୫୨୦୦ ରୁ ଅଧିକ ପରିବାର ପାଇଁ ଆବାସ ଭବନ । ଆନ୍ଧ୍ରପ୍ରଦେଶର ନାଗାୟାଲଙ୍କାରେ ପ୍ରାୟ ୧୪୬୦ କୋଟି ଟଙ୍କା ମୂଲ୍ୟର କ୍ଷେପଣାସ୍ତ୍ର ପରୀକ୍ଷଣ ରେଞ୍ଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବିଶାଖାପାଟଣାର ମଧୁରୱାଡା ଠାରେ ପିଏମ ଏକତା ମଲର ଭିତ୍ତିପ୍ରସ୍ତର ମଧ୍ୟ କରିଥିଲେ ।