ପାଟିତୁଣ୍ଡ ଓ ହୋହଲ୍ଲା ମଧ୍ୟରେ ରଥ ସମନ୍ୱୟ ବୈଠକ ଶେଷ
ପୁରୀ : ପ୍ରତିବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରା ପୁର୍ବରୁ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା ସମୟରେ ବିଭିନ୍ନ ଅବ୍ୟବସ୍ଥା ଓ ବିଭାଗୀୟ ଅପାରଗତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯିବା ସହ ପ୍ରତିକାର ପାଇଁ ବିଭିନ୍ନ ଉପାଦେୟ ପରାମର୍ଶ ଓ ପ୍ରସ୍ତାବ ଦିଆଯାଉଛି । କିନ୍ତୁ ଜିଲ୍ଲା ପ୍ରଶାସନ ସେଥିପ୍ରତି ଧ୍ୟାନ ଦେଉନାହିଁ । କେବଳ ଔପଚାରିକ ଭାବେ ବୈଠକ କରି ପ୍ରଶାସନ ନିଜର କର୍ତ୍ତବ୍ୟ ଶେଷ କରିଦେଉଛି । ପ୍ରତିବର୍ଷ ବୌଠକରେ ସମସ୍ୟା ଓ ପ୍ରସଙ୍ଗ ଉପସ୍ଥାପିତ ହେଉଥିଲେ ମଧ୍ୟ ରଥଯାତ୍ରା ସମୟରେ ଅବ୍ୟବସ୍ଥା ଦେଖାଦେଉଛି ବୋଲି ଚଳିତ ବର୍ଷର ରଥଯାତ୍ରା ସଂପର୍କିତ ପ୍ରଥମ ସମନ୍ୱୟ କମିଟି ବୈଠକରେ ବୁଦ୍ଧିଜୀବୀ, ସେବାୟତ, ଗଣମାଧ୍ୟମ ଓ ବିଶିଷ୍ଟ ନାଗରିକମାନେ ଅଭିଯୋଗ ଉଠାଇଛନ୍ତି । ଗୁରୁବାର ଦିନ ପୌରସଦନ ଠାରେ ଅନୁଷ୍ଠିତ ପ୍ରଥମ ସମନ୍ୱୟ ବୈଠକ ପ୍ରବଳ ହୋହଲ୍ଲା, ଆରୋପ, କଥା କଟାକଟି ମଧ୍ୟରେ ଶେଷ ହୋଇଛି । କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ବି. ପରମେଶ୍ୱରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରଥଯାତ୍ରା ପରିଚାଳନା ନେଇ ଉପସ୍ଥିତ ଅଧିକାଂଶ ସଦସ୍ୟ ରୋଷ ପ୍ରକଟ କରିଥିଲେ । ବୈଠକରେ ରଥକାଠ ସଂଗ୍ରହ, ସ୍ୱାସ୍ଥ୍ୟ ପରିମଳ ଅବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବାରେ ସମସ୍ୟା, ରାସ୍ତାଘାଟର ଶୋଚନୀୟ ଅବସ୍ଥା, ବିଦୁ୍ୟତ ଯୋଗାଣ କ୍ଷେତ୍ରରେ ଟାଟା କମ୍ପାନୀର ଗୁଣ୍ଡାଗର୍ଦ୍ଦି, ଆଦି ପ୍ରସଙ୍ଗ ଉତ୍ଥାପିତ ହୋଇଥିଲା । ରଥ ନିର୍ମାଣ ପାଇଁ ଫାସୀ କାଠ ଯୋଗାଣରେ ଅବ୍ୟବସ୍ଥା ତଥା ଜଗନ୍ନାଥ ବନ ପ୍ରକଳ୍ପର ସୁପରିଚାଳନା ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ଅନେକ ସଭ୍ୟ ଅଭିଯୋଗ କରିଥିଲେ ଯେ ଉପଯୁକ୍ତ ତତ୍ତ୍ୱାବଧାନର ଅଭାବ ତଥା ଆନ୍ତରିକତାହୀନ ଉଦ୍ୟମ ଯୋଗୁଁ ବନପ୍ରକଳ୍ପରେ ଫାସୀ କାଠ ଗଛ ଉଧାଉ ନାହିଁ । ତେଣୁ ପ୍ରତିବର୍ଷ ଫାସୀ କାଠ ଯୋଗାଣ ନେଇ ସମସ୍ୟା ଉପଜୁଛି । ସହରର ପରିମଳ ଅବ୍ୟବସ୍ଥାକୁ ନେଇ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ସଭ୍ୟମାନେ ଅଭିଯୋଗ କରିଥିଲେଯେ ରାସ୍ତାଘାଟ ଚଳାଚଳ ପାଇଁ ଦୁର୍ବିସହ ହୋଇପଡ଼ିଥିବା ବେଳେ ନାଳନର୍ଦ୍ଦମା ଠିକ୍ ଭାବେ ସଫେଇ କରାଯାଉନାହିଁ । ପୌରସଂସ୍ଥାରେ କୋଟି କୋଟି ଟଙ୍କା ଆତ୍ମସାତ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଆବର୍ଜନାର ସ୍ତୁପ ସୃଷ୍ଟି ହୋଇଛି ।
ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାସ୍ତାଘାଟର ଦୟନୀୟ ଅବସ୍ଥା ନେଇ ସଭ୍ୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ପୁରୀ ବଡ଼ଡ଼ାକ୍ତରଖାନାକୁ ଚିକିସôା ପାଇଁ ଆସୁଥିବା ରୋଗୀଙ୍କୁ କଟକ ଓ ଭୁବନେଶ୍ୱର ପଠାଇ ଦିଆଯାଉଛି । ଲୋକଙ୍କୁ ଚିକିସôା ସେବା ମିଳୁନାହିଁ । ଆଇଡ଼ିଏଚ୍ ହସ୍ପିଟାଲରେ ୨୦ଶଯ୍ୟା ଓ ବିଭିନ୍ନ ଉପକରଣ କରୋନା ପର ଠାରୁ ତାଲା ପଡ଼ିରହିଛି । ଯାହାଫଳରେ ରୋଗୀ ସେବାରେ ରୋଗୀ ସେବାରେ ବାଧା ସୃ୍ଷ୍ଟି ହେଉଛି । ଡ଼ାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ରୋଗୀ ଓ ସେମାନଙ୍କ ଆତ୍ମୀୟଙ୍କ କଥା ଶୁଣୁନାହାନ୍ତି ବୋଲି ଅଭିଯୋଗ ହୋଇଛି । ଅକ୍ଷୟତୃତୀୟା ଅବସରରେ ରଥନିର୍ମାଣର ଅନୁକୂଳ ସମୟରେ ବ୍ୟକ୍ତିଗତ କାରଣରୁ ପାଳିଆ ଅନୁପସ୍ଥିତ ଥିବାରୁ ବିଜେ କାହାଳି ବାଜିପାରିନଥିଲା । ପ୍ରଶାସନ ଅନ୍ୟ ସେବାୟତଙ୍କ ଦ୍ୱାରା ବିଜେ କାହାଳୀର ବ୍ୟବସ୍ଥା କରିପାରିଥାନ୍ତେ । ବିଜେ କାହାଳୀ ନବାଜିବା ଦ୍ୱାରା ପରମ୍ପରାର ଭଙ୍ଗ ହୋଇଛି ବୋଲି ବୈଠକରେ ଅଭିଯୋଗ କରାଯାଇଥିଲା । ଏହି ବୌଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ମହାନିରୀକ୍ଷକ ପ୍ରବୀଣ କୁମାର, ଓରମାସ୍ର ମୁଖ୍ୟ ନିର୍ବାହୀ ଅଧିକାରୀ ଚକ୍ରବର୍ତ୍ତୀ ସିଂ ରାଠୋର, ଏସ.ପି ବିନିତ ଅଗ୍ରୱାଲ, ରେଳବାଇ ଏସ୍.ପି ବିବେକାନନ୍ଦ ଶର୍ମା, ଦେବୋତ୍ତର କମିଶନର ଲଲାଟେନ୍ଦୁ ଜେନା, ଦୂରଦର୍ଶନ ଉପମହାନିଦେ୍ର୍ଦଶକ ନରସିଂହ ଜେଠି, ଗୃହ ଓ ପୌର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ବିନୟ କୁମାର ଦାସ, ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡ଼ାକ୍ତର ନୀଳକଣ୍ଠ ମିଶ୍ର, ଅଗ୍ନିଶମ ମୁଖ୍ୟ ସେବା ଅଧିକାରୀ ରମେଶ ଚନ୍ଦ୍ର ମାଝୀ ଅତିରିକ୍ତ ଜିଲ୍ଲାପାଳ ଡ଼କ୍ଟର ଶରତ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ ।