ବେଙ୍ଗାଲୁରୁରେ ଟଣାହେବ ତିନି ରଥ

 ଭୁବନେଶ୍ୱର :  ପ୍ରଥମ ଥର ପାଇଁ ବାଙ୍ଗାଲୋର ବିକନାହାଲି ସରଜାପୁରା ମନ୍ଦିର  ଟ୍ରଷ୍ଟ ପକ୍ଷରୁ ତିନିଗୋଟି ରଥ ଟଣା ଯିବା ପାଇଁ ନିଷ୍ପତ୍ତି ନିଆଯାଇଛି  । ବାଙ୍ଗାଲୋରରେ ଅନେକ ଜଗନ୍ନାଥ ମନ୍ଦିର ଥିବାବେଳେ ପ୍ରଥମ ଥର ପାଇଁ ତିନି ରଥ ଗଡିବ । ଲକ୍ଷାଧିକ ଓଡ଼ିଆ ବାଙ୍ଗାଲୋରରେ ବସବାସ କରୁଥିବା ବେଳେ ସେମାନେ ପବିତ୍ର ରଥଯାତ୍ରାରେ ଦେବାଦେବୀଙ୍କର ଦିବ୍ୟ ଦର୍ଶନ ପାଇବାରୁ ବଞ୍ଚିତ ହେଉଥିଲେ  । ଅନେକ ସ୍ଥାନରେ ପ୍ରଭୁ ଜଗନ୍ନାଥଙ୍କ ରଥ ଗଡୁଥିବା ବେଳେ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥ ଦଉଡି ଛୁଇଁବାରୁ ବଂଚିତ ହେଉଥିଲେ ଭକ୍ତ  । ତେଣୁ ଚଳିତ ବର୍ଷ ପ୍ରଥମ କରି  ଜଗନ୍ନାଥ ମନ୍ଦିର  ବିକନାହାଲି ସରଜାପୁର ତରଫରୁ ତିନୋଟି ରଥ ନିର୍ମାଣ କରାଯାଉଥିବାରୁ ବିଧି ଅନୁସାରେ ପବିତ୍ର ଅକ୍ଷୟ ତୃତୀୟାରେ ରଥକାଠ ପୂଜା କରାଯାଇଛି  । ସହସ୍ରାଧିକ ଭକ୍ତ ମନ୍ଦିର ପ୍ରାଙ୍ଗଣରେ ରହି ଭଜନ କୀର୍ତ୍ତନ ସହିତ ରଥକାଠ ପୂଜା କରାଯାଇଥିଲା  । ତିନି ରଥ ଦେଖିବା ଏବଂ ଛୁଇଁବା ପାଇଁ ବାଙ୍ଗାଲୋର ରେ ରହିଥିବା ଜଗନ୍ନାଥପ୍ରେମୀ ମାନେ ଉତ୍ସକତା ସହିତ ଅପେକ୍ଷା କରିଛନ୍ତି  ।