କୃଷି ହେବ ଦେଶର ମୁଖ୍ୟ ଆଧାର: ପ୍ରଧାନମନ୍ତ୍ରୀ

 ଭୁବନେଶ୍ୱର :  ଆଜି ପୂର୍ବାହ୍ନରେ ପୁରୀର ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରୁ ଦେଶବ୍ୟାପୀ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନରେ ଓୟୁଏଟି, ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କୃଷକମାନଙ୍କୁ ଭେଟି ଆଗାମୀ ୧୫ ଦିନ ଧରି ଚାଲୁ ରହିବାକୁ ଥିବା ଏହି ଅଭିଯାନ ବିଷୟରେ ଆଲୋକପାତ କରିଥିଲେ  ।
ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକାଶ କୃଷି ସଂକଳ୍ପ ଅଭିଯାନକୁ ସମ୍ବୋଧିତ କରିଥିଲେ ।
ଏହି ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେଯେ, ବିକାଶ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କୃଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ  । କୃଷି ବିକାଶକୁ ସମର୍ଥନ କରିବା ପାଇଁ ଏକ ଅନନ୍ୟ ପ୍ରୟାସ । କୃଷି କ୍ଷେତ୍ରରେ ଆଧୁନିକୀକରଣକୁ ଆଗେଇ ନେଉଥିବା କୃଷକମାନଙ୍କ ପ୍ରଗତି ପାଇଁ ଏହି ଅଭିଯାନ ନୂତନ ପଥ ଖୋଲିବ । ମୌସୁମୀ ଆସିବା ଏବଂ ଖରିଫ ଋତୁ ପାଇଁ ପ୍ରସ୍ତୁତି ଆରମ୍ଭ ହେବା ସହିତ, ଆଗାମୀ ୧୨ ରୁ ୧୫ ଦିନ ମଧ୍ୟରେ ବୈଜ୍ଞାନିକ, ବିଶେଷଜ୍ଞ, ଅଧିକାରୀ ଏବଂ ପ୍ରଗତିଶୀଳ କୃଷକଙ୍କ ଦ୍ୱାରା ଗଠିତ ୨ ହଜାର ଦଳ ୭୦୦ ରୁ ଅଧିକ ଜିଲ୍ଲା ଭ୍ରମଣ କରିବେ ଏବଂ ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ଚାଷୀଙ୍କ ନିକଟରେ ପହଞ୍ଚିବେ  ।
ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ, ସମସ୍ତ ଚାଷୀମାନଙ୍କୁ ପ୍ରଶଂସା କରି କହିଥିଲେଯେ, ବୈଜ୍ଞାନିକ ଗବେଷଣା ଏବଂ ସଫଳ କୃଷି ପଦ୍ଧତିଗୁଡ଼ିକ ବ୍ୟାପକ ଚାଷୀ ସମାଜ ପର୍ଯ୍ୟନ୍ତ ପହଞ୍ଚିବା ଆବଶ୍ୟକ  । ବର୍ତ୍ତମାନ ନୂତନ ଶକ୍ତି ଓ ଜ୍ଞାନକୌଶଳ ସହିତ ଏହି ପଦକ୍ଷେପଗୁଡ଼ିକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି । 
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆଜିର ଏହି ବିକଶିତ କୃଷି ସଂକଳ୍ପ ଅଭିଯାନ, ଜାତୀୟ ସ୍ତରର ଏକ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ  । ଏହା ମାଧ୍ୟମରେ ଭାରତୀୟ କୃଷିର ଦୃଶ୍ୟପଟ ପରିବର୍ତ୍ତନ ହେବ  । ବୈଜ୍ଞାନିକ ମାନଙ୍କ ଦ୍ୱାରା ସଠିକ୍ ବୈଷୟିକ ଜ୍ଞାନ କୌଶଳ କିପରି ଚାଷୀ ଭାଇମାନଙ୍କ ପାଖରେ ସିଧା ସଳଖ ପହଞ୍ଚିପାରିବ, ଏହି ଅଭିଯାନ ତାହାକୁ ସୁନିଶ୍ଚିତ କରିବା ସହ ଆମ କୃଷକମାନଙ୍କୁ ସମୃଦ୍ଧ, ସ୍ୱାବଲମ୍ବୀ କରାଇବା ସାଙ୍ଗକୁ ସେମାନଙ୍କର ସ୍ୱୟଂସମ୍ପୂର୍ଣ୍ଣ ଭବିଷ୍ୟତ ଗଢିବାରେ ସହାୟକ ହେବ  ।  
କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ୍ କହିଥିଲେ, ‘ଏହି ଅଭିଯାନ ଦ୍ୱିପାକ୍ଷିକ ଯୋଗାଯୋଗ ପଦ୍ଧତିରେ କାର୍ଯ୍ୟ କରିବ, ଗୋଟିଏ ପଟେ ବୈଜ୍ଞାନିକମାନେ କୃଷକମାନଙ୍କ ସହିତ ଗବେଷଣା ଏବଂ ବୈଷୟିକ ସୂଚନା ପ୍ରଦାନ କରିବେ, ଅନ୍ୟପଟେ ସେମାନେ କୃଷକମାନଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ବିଷୟରେ ସୂଚନା ସଂଗ୍ରହ କରିବେ । ‘ଲ୍ୟାବ ଟୁ ଲ୍ୟାଣ୍ଡ’କୁ ସଂଯୋଗ କରିବା ପାଇଁ, ଆମର ଭାରତୀୟ କୃଷି ଗବେଷଣା ପରିଷଦ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଏହି ଅଭିଯାନରେ ଆମ କୃଷକ ଭାଇ ଭଉଣୀଙ୍କ ସହ ସହିତ ଜଡିତ ହେବେ ।’ 
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ  କନକ ବର୍ଦ୍ଧନ ସିଂହଦେଓ କହିଥିଲେଯେ, ଏକ ବିକଶିତ ଭାରତ ପାଇଁ, ଭାରତୀୟ କୃଷିକୁ ମଧ୍ୟ ବିକାଶ କରିବାକୁ ପଡିବ ଏବଂ ଭାରତୀୟ କୃଷି, ଭାରତର ପ୍ରତ୍ୟେକ ଗାଁର ଆତ୍ମାରେ ଅଛି । ଏହି ଅଭିଯାନ ଦ୍ୱାରା ନିକଟ ଭବିଷ୍ୟତରେ କୃଷି କ୍ଷେତ୍ରରେ, ଆମ ରାଜ୍ୟରେ ନିଶ୍ଚିତ ରୂପେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିବ । କାର୍ଯ୍ୟକ୍ରମ ପ୍ରାରମ୍ଭରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ, କୃଷି ବିଭାଗ ନିଦେ୍ର୍ଦଶକ ଶୁଭମ ସକ୍ସେନା ଧନ୍ୟବାଦ ଦେଇଥିଲେ  ।