ଶ୍ରୀଲୋକନାଥ ଦେବଙ୍କ ସରନ୍ତି ସୋମବାର ମେଳା
ପୁରୀ : ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ସରନ୍ତି ସୋମବାର ମେଳା । ମେଳା ଉପଲକ୍ଷେ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବା ସହ ଜାଗରପଦା ଅଞ୍ଚଳ ଲୋକାରଣ୍ୟ ହୋଇଉଠିଥିଲା । ଉଲ୍ଲେଖଯୋଜ୍ୟ ଯେ ମହାଶିବରାତ୍ରି ବା ଜଗର ଯାତ୍ରା ପରେ ସରନ୍ତି ସୋମବାର ମେଳା ହେଉଛି ଶ୍ରୀ ଲୋକନାଥ ଦେବଙ୍କ ଅନ୍ୟତମ ପ୍ରମୁଖ ପର୍ବ । ସରନ୍ତି ସୋମବାର ଅବସରରେ ଶ୍ରୀ ଲୋକନାଥ ଦେବଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଛୁଟିଥିଲା ଭକ୍ତଙ୍କ ସ୍ରୋତ । ସକାଳେ ଅନୁକୂଳ ପାଗ ଥିବା ବେଳେ ପରେ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହୋଇଥିଲା । ଦିନତମାମ ମନ୍ଦିରବେଢା ଓ ମନ୍ଦିର ସଲଗ୍ନ ଅଞ୍ଚଳ ଲୋକରଣ୍ୟ ରହିଥିଲା । ଭକ୍ତମାନେ ଶ୍ରୀଲୋକନାଥ ଓ ଦେବୀ ପାର୍ବତୀଙ୍କୁ ଦର୍ଶନ କରିବା ସହ ଧୂପଦୀପ ନୈବେଦ୍ୟ ଅର୍ପଣ କରିଥିଲେ । ଓମ୍ ନମଃ ଶିବାରୟ ଧ୍ୱନିରେ ମୁଖରିତ ହୋଇଥିଲା ମନ୍ଦିର ବେଢା । ସରନ୍ତି ସୋମବାର ଉପଲକ୍ଷେ ଲୋକନାଥଙ୍କ ଚୂଡ଼ାଘଷା, ନଡ଼ିଆ ଭୋଗ କରାଯାଇଥିଲା । ଭକ୍ତମାନେ ବ୍ୟାରିକେଡ଼ ଦେଇ ମନ୍ଦିର ବେଢାରେ ପ୍ରବେଶ କରିଥିଲେ ଓ ଦର୍ଶନ ପରେ ଅନ୍ୟ ଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ । ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପକ୍ଷରୁବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।