ଆଜି ଆସିବେ ମୋଦି : ହେବ ୨ ଲକ୍ଷ ଲୋକଙ୍କ ସମାଗମ

ଆଜି ଆସିବେ ମୋଦି  : ହେବ ୨ ଲକ୍ଷ ଲୋକଙ୍କ ସମାଗମ

 ଭୁବନେଶ୍ୱର:  ଆଜି ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ମୋଦିଙ୍କ ଏହି ଗସ୍ତକୁ ଭବ୍ୟ କରିବା ପାଇଁ ଉଭୟ ସରକାର ଓ ବିଜେପି ଭରପୂର ପ୍ରୟାସ କରିଛନ୍ତି  । ସମାବେଶ  ଓ ରୋଡ଼ ଶୋ’ରେ ୨ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ  । ଫଳରେ ଭୁବନେଶ୍ୱରରେ ଟ୍ରାଫିକ୍ ଜାମ୍ ରହିବା ନିଶ୍ଚିତ  । ଏନେଇ କମିଶନରେଟ ପୁଲିସ୍ ପକ୍ଷରୁ ଉଭୟ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଫୋକସ କରାଯାଇଛି  । ସ୍କୁଲ କଲେଜ ଛୁଟି କରାଯାଇଥିବାବେଳେ ଆସନ୍ତାକାଲି ବିଏମସି ଅଞ୍ଚଳରେ ସବୁ ଅଫିସ୍ ଅଧା ଦିନ କରାଯାଇଛି  । ଆସନ୍ତାକାଲିର ଉତ୍ସବ ଖାଲି ଭବ୍ୟ ହେବ ତାହା ନୁହେଁ, ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନୂଆ ଘୋଷଣା କରିବେ ବୋଲି ଜାଣିବାକୁ ମିଳିଛି  । ଜୁନ୍ ୧୨ରେ ସରକାରଙ୍କ ବର୍ଷ ପୂର୍ତ୍ତି ହୋଇଥିଲେବି କିଛି ନୂଆ ଯୋଜନା ବା ଘୋଷଣା ହୋଇନାହିଁ  । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଘୋଷଣା କରାଯିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ବି ସଂକେତ ଦେଇଥିଲେ  । 
ଅପରପକ୍ଷରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହ ଉପଲକ୍ଷେ ଭୁବନେଶ୍ୱର ଜନତା ମୈଦାନ ଠାରେ ଆୟୋଜିତ ସଭାସ୍ଥଳର ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି  । 
ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସଭାସ୍ଥଳ ବୁଲି ଦେଖିବାସହ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯେପରି କୌଣସି ତ୍ରୁଟି ନରହିବ ସେଥିପ୍ରତି ସଜାଗ ରହିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ  । ଆଜି ବିଳମ୍ୱିତ ସନ୍ଧ୍ୟା ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉଷେଣ୍ଡି ପ୍ରସ୍ତୁତି କାର୍ଯ୍ୟ ବୁଲି ଦେଖିଥିଲେ  । ମୁଖ୍ୟ ଶାସନସଚିବ ମନୋଜ ଆହୁଜା ଏବଂ ଅତିରିକ୍ତ ମୁଖ୍ୟଶାସନ ସଚିବ ଶିଳ୍ପ ବିଭାଗ ହେମନ୍ତ ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତୁତି କାର୍ଯ୍ୟର ସବିଶେଷ ସୂଚନା ପ୍ରଦାନ କରିଥିଲେ  ।
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ଉନ୍ନୟନ କମିଶନର  ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ୍ ମହାନିଦେ୍ର୍ଦଶକ ୱାଇବି ଖୁରାନିଆ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ  । ଗତ ତିନି ଦିନ ଧରି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନ ଓ ପୁଲିସସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି  । ଅପରାହ୍ନ ୩ଟା ୪୫ରେ ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ  । ସେଠାରୁ ଏକ ବିଶାଳ ରୋଡ଼ ଶୋ’ ‘ତ୍ରିରଙ୍ଗା ଶୋ’ରେ ଜନତା ମଇଦାନ ପର୍ଯ୍ୟନ୍ତ ମୋଦି ଯିବେ  । ଦୁଇ ପାଶ୍ୱର୍ରେ ବିଜେପିର କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା ତାଙ୍କୁ ସ୍ୱାଗତ କରିବେ  । ଏଥିପାଇଁ ମଞ୍ଚ ବି ପ୍ରସ୍ତୁତ କରାଯାଇଛି  । ବାଟରେ କିଛି କିଛି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ  ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜନତା ମଇଦାନରେ କେନ୍ଦ୍ରମନ୍ତ୍ରୀ, ମନ୍ତ୍ରୀମାନେ ଉଦ୍ବୋଧନ ଦେବେ  । କେବଳ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେଲେ ବାକି ସମସ୍ତଙ୍କର ଉଦବୋଧନ ଶେଷ ହୋଇଯିବ  । ମୋଦି ପହଁଚିବା ପରେ ମୁଖ୍ୟମନ୍ତ୍ରୀ ଭାଷଣ ଦେବେ  । ଏହାପରେ ମୋଦି ଲୋକମାନଙ୍କୁ ସମ୍ବୋଧିତ କରି ପୁଣି ଭୁବନେଶ୍ୱର ବିମାନ ବନ୍ଦର ଅଭିମୁଖେ ବାହାରିବେ  । ସୁରକ୍ଷା ପାଇଁ ୧୩୩ ପ୍ଳାଟୁନ୍ ଫୋର୍ସ ମୁତୟନ ହେବେ  । କେବଳ ରୋଡ଼ ଶୋ’ ପାଇଁ ୨୫ ପ୍ଳାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ଜାଣିବାକୁ ମିଳିଛି  ।