ମନ୍ଦିର ଭିତରେ ଯୁବତୀଙ୍କ ଝୁଲନ୍ତା ଶବ
ବାହାନଗା: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ପଥରପେଣ୍ଠ ପଞ୍ଚାୟତର ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିର କୋଠରୀ ଭିତରୁ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ସୂଚନା ମୁତାବକ; ଲକ୍ଷ୍ମୀ ନାରାୟଣ ମନ୍ଦିରର ପ୍ରତିଷ୍ଠାତା ଠାକୁର ବାବା ତଥା ଗୋବିନ୍ଦ ଚନ୍ଦ୍ର ମଲ୍ଲିକଙ୍କ ସାନ ଝିଅ ଆଜି ମା’ଙ୍କ ଠାରୁ ୫ ଶହ ଟଙ୍କା ନେଇ ବାରିକପୁର ହାଟକୁ ସଉଦା କରିବାକୁ ଯାଇଥିଲେ । ତେବେ ଲକ୍ଷ୍ମୀ ନାରାୟଣ ମନ୍ଦିର ଭିତରେ ଥିବା ସନ୍ଥ ନିବାସ ଗୃହ ଭିତରେ ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲୁଥିବାର ଦେଖିବାକୁ ପାଇଥିଲେ ଝିଆରୀ ଅର୍ଚ୍ଚିତା ମଲ୍ଲିକ । ସେ ଏନେଇ ନିଜ ଆଈ ଚାରୁଲତାଙ୍କୁ ଜଣାଇଥିଲେ । ଖବର ପାଇ ଚାରୁଲତା ମନ୍ଦିର ନିକଟରେ ପହଁଚି ଝିଅ ଫ୍ୟାନ୍ରେ ଝୁଲୁଥିବାର ଦେଖିବାକୁ ପାଇଥିଲେ । ପରେ ସୋର ପୋଲିସକୁ ଘଟଣା ବାବଦରେ ଜଣାଇଥିଲେ । ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିବା ସହିତ ଯୁବତୀଙ୍କ ମୃତ ଦେହକୁ ଜବତ କରିଥିଲେ । ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ କରିବା ପାଇଁ ପୋଲିସ ନିକଟରେ ପରିବାର ଲୋକେ ଦାବି କରିଛନ୍ତି ।