ମୋଦିଙ୍କ ଜନ୍ମଦିନରେ ଓଡ଼ିଶାର ବିଶ୍ୱ ରେକର୍ଡ଼ : ଦିନକେ ଲାଗିଲା ଦେଢ଼ କୋଟି ଚାରା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଏକ ଅନନ୍ୟ ଇତିହାସ ଏବଂ ଅସାଧାରଣ ଉଦାହରଣ ସୃଷ୍ଟି କରିଛି ଆଜି ଓଡିଶା । ମା’ ଓ ମାତୃଭୂମି, ପ୍ରକୃତି ଓ ପରିବେଶକୁ ଓଡିଆମାନେ କେତେମାତ୍ରାରେ ଭଲ ପାଆନ୍ତି, ତାହା ଆଜି ପ୍ରମାଣିତ କରି ଦେଖେଇ ଦେଇଛନ୍ତି । ଓଡ଼ିଆମାନେ ଐକବଦ୍ଧ ହେଲେ କୋଣାର୍କ ଗଢ଼ିପାରନ୍ତି, ଓଡ଼ିଆମାନେ ଐକବଦ୍ଧ ହେଲେ କଳ୍ପନା ଠାରୁ ଅଧିକ କିଛି କରିପାରନ୍ତି । ମାତ୍ର ୧୨ ଘଣ୍ଟା ଭିତରେ ପାଖାପାଖି ୧.୫ କୋଟି ଚାରା ରୋପଣ କରି ଓଡ଼ିଶା ରେକର୍ଡ଼ ସୃଷ୍ଟି କରିଛି ।
ଆଜି ସ୍ଥାନୀୟ ଏକାମ୍ର କଲେଜ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୫ତମ ଜନ୍ମଦିନ ଅବସରରେ ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଁଳା ଗଛ ଲଗାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେ କହିଥିଲେଯେ, ନିଜର ଜନ୍ମଦାତୀ ମା’ଙ୍କ ସ୍ମୃତିରେ ଗଛଟିଏ ଲଗାନ୍ତୁ । ସେହି ଗଛକୁ ନିଜ ପରିବାରର ସଦସ୍ୟ ଭଳି ଦେଖାଶୁଣା କରନ୍ତୁ । ଗଛ ଯେପରି ଫୁଲ, ଫଳ ଧରି ଆପଣଙ୍କ ପରିଶ୍ରମକୁ ସାର୍ଥକ କରିବ । ଏହା ହେବ ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ, ଧରିତ୍ରୀ ମାତାଙ୍କୁ ଓ ଆମର ଆଗାମୀ ପିଢିକୁ ଓଡିଶାବାସୀଙ୍କ ଶ୍ରେଷ୍ଠ ଉପହାର ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଶର ବିକାଶ ପୁରୁଷ ତଥା ବିଶ୍ୱର ଶ୍ରେଷ୍ଠ ଲୋକପ୍ରିୟ ନେତା ଭାବେ ବର୍ଣ୍ଣନା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଦୀର୍ଘ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରିଥିଲେ । ସେକହିଥିଲେ ଯେ, ମୋଦୀ ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ସ୍ୱାଧୀନତା ପରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ୫୫ ବର୍ଷର ରାଜନୈତିକ ଜୀବନରେ ସେ ସବୁବେଳେ ଦେଶ ମାତୃକାର ସେବା ବିଷୟରେ ହିଁ ଚିନ୍ତା କରିଆସିଛନ୍ତି । ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ପ୍ରଖର ରାଷ୍ଟ୍ରବାଦ ଓ ଦେଶପ୍ରେମର ଝଲକ ମିଳେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ରାଷ୍ଟ୍ର ହିତ ମୋଦୀଜୀଙ୍କ ପାଇଁ ଏକ ସ୍ଳୋଗାନ ନୁହେଁ, ଏହା ତାଙ୍କ ଜୀବନ ପଦ୍ଧତି ।
ଆଜିର ଗଛ ଲଗାଇବା କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ ୪୦ ହଜାର ବିଦ୍ୟାଳୟର ୧୫ ଲକ୍ଷ ଛାତ୍ରଛାତ୍ରୀ, ୧ ହଜାର କଲେଜର ୧ ଲକ୍ଷ ଛାତ୍ରଛାତ୍ରୀ, ୨ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ, ୭୬ ହଜାର ଅଙ୍ଗନବାଡି କର୍ମୀ, ୧୭୫୦୦ ବନ ସୁରକ୍ଷା ସମିତି, ପରିବେଶ ଉନ୍ନୟନ କମିଟି ସଭ୍ୟସଭ୍ୟା, ୧୭ ହଜାର ଆଶା କର୍ମୀ, ୧୬୫୦୦ ମାଇଁ ଭାରତ ସ୍ୱେଚ୍ଛାସେବୀ ଓ ୧୦ ହଜାର ଇକୋ-କ୍ଲବ ଯୋଗଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ସ୍ୱାଗତ ଭାଷଣ ଦେଇ ପ୍ରଧାନମନ୍ତ୍ରୀଙ୍କ ଦେଶପ୍ରେମ ଓ ଦେଶସେବା ଉପରେ ଆଲୋକପାତ କରିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉପସ୍ଥିତ ଥିବାବେଳେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମର ଆରମ୍ଭରେ ମୁଖ୍ୟମନ୍ତ୍ରୀ କଲେଜ ପରିସରରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କଲେଜ ପରିସରରେ ୧ ହଜାର ଫଳଗଛ ଚାରା ରୋପଣ କରାଯାଇଥିଲା । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଉପସ୍ଥିତ ଥିଲେ । ସେହିପରି ଆଜି ସକାଳେ ମୁଖ୍ୟମନ୍ତ୍ରୀ ମାଷ୍ଟର କ୍ୟାଣ୍ଟିନ ବସ୍ଷ୍ଟାଣ୍ଡ ଠାରେ ଆୟୋଜିତ ସ୍ୱଚ୍ଛ ଭାରତ ଓ ପରେ ରକ୍ତଦାନ ଶିବିରରେ ଯୋଗଦେଇଥିଲେ ।
ସୂଚନାଯୋଗ୍ୟଯେ, ‘ଏକ ପେଡ୍ ମା କେ ନାମ ଦ୍ୱିତୀୟ ସଂସ୍କରଣ’ ଅଭିଯାନ ଅନ୍ତର୍ଗତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଅବସରରେ ସୂର୍ଯେ୍ୟାଦୟରୁ ସୂର୍ଯ୍ୟାସ୍ତ ମଧ୍ୟରେ ୭୫ ଲକ୍ଷ ଚାରା ରୋପଣ କରିବା ପାଇଁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଥିଲେ । ଏହି ଆହ୍ୱାନକୁ ଏକ ସାମାଜିକ ଆନେ୍ଦାଳନରେ ପରିଣତ କରି ଓଡିଶାବାସୀ ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ୧ କୋଟି ୪୯ ଲକ୍ଷ ୧୧,୩୩୯ ଚାରା ରୋପଣ କରି କେବଳ ଭାରତ ବର୍ଷ ନୁହଁ, ବିଶ୍ୱ ରେକର୍ଡ ସ୍ଥାପନ ପୂର୍ବକ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଏହା ପୂର୍ବରୁ ମଧ୍ୟପ୍ରଦେଶ ସରକାର ଗୋଟିଏ ଦିନରେ ୧୧ ଲକ୍ଷ ଚାରା ରୋପଣ କରି ରେକର୍ଡ ସୃଷ୍ଟି କରିଥିଲେ । ସେହିପରି ଆସାମ ସରକାର ଗୋଟିଏ ଦିନରେ ୯ ଲକ୍ଷ ୨୬ ହଜାର ଚାରା ରୋପଣ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲା । କିନ୍ତୁ, ଆଜି ଓଡିଶା ମାତ୍ର କେଇ ଘଣ୍ଟା ଭିତରେ ଦେଢ଼ କୋଟି ଚାରା ରୋପଣ କରି ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି ।
ସୁନ୍ଦରଗଡ଼ ଜିଲ୍ଲା ୧୪,୨୧,୬୧୮ ଚାରା ରୋପଣ ସହ ଏହି ଅଭିଯାନରେ ଶୀର୍ଷରେ ରହିଛି । କୋରାପୁଟ ୧୧,୦୧,୬୨୪ ଚାରା ରୋପଣ ସହିତ ଦ୍ୱିତୀୟ ଏବଂ କେନ୍ଦୁଝର ୧୦,୪୨,୯୨୭ ଚାରା ରୋପଣ ସହିତ ତୃତୀୟ ସ୍ଥାନରେ ରହିଛି । ମୟୁରଭଞ୍ଜ ୯,୧୭,୬୫୯ ଏବଂ ଏବଂ କଳାହାଣ୍ଡି ୭,୬୭,୫୧୦ ଚାରା ରୋପଣ ସହିତ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି । ୧,୩୧,୮୮୫ ଚାରା ରୋପଣ ସହିତ ଦେବଗଡ ତାଲିକାର ଶେଷରେ ରହିଛି ।