ନବୀନ ଓ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଲେ ଲେଖାଶ୍ରୀ
ଭୁବନେଶ୍ୱର: ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ଦଳର ନେତାଙ୍କ ଉପସ୍ଥିତିରେ ଶଙ୍ଖ ଧରିଲେ ବିଜେପି ଛାଡ଼ିଥିବା ଲେଖାଶ୍ରୀ । ବିଜେଡିରେ ସାମିଲ ହେବା ପରେ ଲେଖାଶ୍ରୀ କହିଲେ, ହୃଦୟର ସହ ମୋତେ ବିଜେଡିରେ ସାମିଲ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ । ବର୍ଷ ବର୍ଷ ଧରି ମୁଁ ବିଜେପିକୁ ସର୍ବଶ୍ୱ ଦେଇଛି, ଓଡ଼ିଶାବାସୀଙ୍କ ସେବା କରିବାର ଇଚ୍ଛା ଥିଲା ତାହା ବିଜେପି ପୂରଣ କରିବାକୁ ଦେଲାନି । ଏତେ ପରିଶ୍ରମ କରିକି ବି ଦଳର ନେତୃତ୍ୱ ମୋ ଉପରେ ଭରସା କଲେନି । ମୋ ପାଇଁ ବିଜେପିରେ ଏତିକି କାମଥିଲା ବୋଲି ଭାବିଲି ଆଉ ଆଗକୁ ବଢ଼ିବା ପାଇଁ ବିଜେଡିରେ ସାମିଲ ହେଲି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଚିନ୍ତାଧାରା ମୋତେ ବିଜେଡିରେ ସାମିଲ ହେବାକୁ ପ୍ରେରଣା ଦେଲା । ଏପରିକି ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କାର୍ୟ୍ୟକଳାପକୁ ପ୍ରଶଂସା କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । କହିଛନ୍ତି, ବିଜେଡିରେ ‘ମୁଁ ଗୁଣ୍ଡୁଚି ମୂଷା ଭଳି କାମ କରିବି । ଦଳ ମୋତେ ଯାହା ଦାୟିତ୍ୱ ଦେବ ନିଷ୍ଠାର ସହ ତାହା ପାଳନ କରିବି ।
ବିଜେଡିରେ ଯୋଗ ଦେବା ପରେ ଲେଖାଶ୍ରୀ କହିଥିଲେ, ମୋର ଯେତିକି ଦକ୍ଷତା ଥିଲା, ସେହି ଅନୁସାରେ ମୁଁ ଦୀର୍ଘ ୧୦ ବର୍ଷ ଧରି ଭାରତୀୟ ଜନତା ପାର୍ଟି ପାଇଁ କାର୍ୟ୍ୟ କରିଥିଲି। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ମୋର ଯେଉଁ ବୃହତ୍ତ ଇଚ୍ଛା ଥିଲା, ତାହା ୧୦ ବର୍ଷ ପରେ ମଧ୍ୟ ଭାରତୀୟ ଜନତା ପାର୍ଟିରେ ପୂରଣ ହୋଇପାରିଲାନାହିଁ। ପ୍ରତିବଦ୍ଧତାର ସହିତ କଠିନ ପରିଶ୍ରମ କରିବା ସତ୍ତ୍ୱେ ଦଳୀୟ ନେତୃତ୍ୱଙ୍କ ନିକଟରେ ମୁଁ ଆସ୍ଥାଭାଜନ ହୋଇପାରିଲି ନାହିଁ। କୌଣସି କାରଣରୁ ମୋ ଉପରେ ସେମାନେ ଭରସା କରିପାରିଲେ ନାହିଁ। ତେଣୁ ମୁଁ ଅନୁଭବ କଲି ଭାରତୀୟ ଜନତା ପାର୍ଟିରେ ମୋର କାମ ସରିଯାଇଛି। ଆଉ କାମ କରିବାର ସୁଯୋଗ ନାହିଁ। ତେଣୁ ଆଗକୁ ବଢ଼ିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଯାତ୍ରାରେ ସାମିଲ ହେବାକୁ ନିଷ୍ପତ୍ତି ନେଲି