ଅକଳରେ ବିଜେଡ଼ି କର୍ପୋରେଟର
ଭୁବନେଶ୍ୱର : ବିଜୁ ଜନତା ଦଳର ବିଏମସି କର୍ପୋରେଟର ଅମରେଶ ଜେନାଙ୍କ ନାମରେ ଆସିଛି ସଂଗୀନ ଅଭିଯୋଗ । ଜଣେ ଯୁବତୀଙ୍କୁ ସେ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି । ଲକ୍ଷ୍ମୀସାଗର ଥାନାରେ ଏନେଇ ମାମଲା ରୁଜୁ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଥାନାରେ ପୀଡ଼ିତା ଏଭଳି ସଂଗୀନ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅମରେଶ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ପରେ ଅମରେଶ ତାଙ୍କୁ ପ୍ରତାରଣା କରିବା ସହ ହତ୍ୟାର ବି ଧମକ ଦେଇଥିଲେ । ୨୦୨୩ରେ ଯୁବତୀ ଜଣଙ୍କ ନାବାଳିକା ଥିଲେ । ଏକ ରଜ ଉତ୍ସବରେ ସେମାନଙ୍କର ଦେଖା ସାକ୍ଷାତ ହୋଇଥିଲା । ଅମରେଶ ତାଙ୍କୁ ଏକ ମୋବାଇଲ୍ ବି ଉପହାର ଦେଇଥିଲେ । ସେତେବେଳେ ସେ ନାବାଳିକା ଥିଲେ । ଏମିତିକି ଯୁବତୀ ଜଣଙ୍କୁ ସେ ଗର୍ଭବତୀ କରିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅପରପକ୍ଷରେ ପୁଲିସ୍ ଏନେଇ ଏକ ମାମଲା ରୁଜୁ କରିବା ସହ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ କ୍ୟାପିଟାଲ୍ ହସପିଟାଲକୁ ନେଇଥିଲେ ।
ପୀଡ଼ିତା ଏଫଆଇଆରରେ ଦର୍ଶାଇଛନ୍ତିଯେ, ବାଇଆଁ ଜେନା ଉପହାର ଦେଇଥିବା ମୋବାଇଲ୍ ଫୋନ୍ରେ ସେମାନେ ସବୁଦିନ କଥା ହେଉଥିଲେ । ଦିନେ ସେ ତାଙ୍କୁ ଭଲପାଇବା ହୋଇଛି ବୋଲି କହିବା ସହ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୨୦୨୩ ସେପ୍ଟେମ୍ବରରେ ପ୍ରଥମେ ପୁରୀରେ ତାଙ୍କର ଜଣେ ସାଙ୍ଗ ଘରେ ଶାରୀରିକ ସମ୍ପର୍କ ରଖିଥିଲେ । ତା’ପରେ ତାଙ୍କୁ ସେ ଅନେକ ଯାଗାକୁ ନେଇ ସମ୍ପର୍କ ରଖିଥିଲେ । ଉପହାର ଭାବେ ଡ୍ରେସ୍, ଜୋତା ଓ ଟଙ୍କା ଇତ୍ୟାଦି ଦେଇଛନ୍ତି । ବୈବାହିକ ଜୀବନରେ ସେ ଖୁସିନଥିଲେ, ତାଙ୍କ ସ୍ତ୍ରୀଙ୍କର ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ରହିଛି ବୋଲି କହୁଥିଲେ । ୨୦୨୪ ଫେବୃଆରୀରେ ସେ ୨ ମାସର ଗର୍ଭବତୀ ହୋଇଥିଲେ । ସେ କହିଥିଲେଯେ, ସେ ତାଙ୍କ ସ୍ତ୍ରୀଙ୍କୁ ଡିଭର୍ସ ଦେଇ ବାହାହେବେ । ତା’ପରେ ଛୁଆପିଲା ହେବ । ତେଣୁ ତାଙ୍କୁ ଗର୍ଭପାତ ପିଲ୍ ଖୁଆଇ ଛୁଆ ନଷ୍ଟ କରିଥିଲେ । ଗତ ଅପ୍ରେଲରେ ବାଇଅାଁ ଜେନା ତାଙ୍କ ଧଳା ଏକ୍ସୟୁଭି କାରରେ ପୁରୀ ରୋଡ଼ ବୁଲାଇବାକୁ ନେଇ ମୋବାଇଲ୍ ଛଡ଼ାଇ ନେଇଥିଲେ । ଅଶ୍ଳୀଳ ଭାଷାରେ ଗାଳିକରିବା ସହ ଜୀବନରେ ମାରିଦେବାକୁ ଚେଷ୍ଟା କରିଥିଲେ । ଭୁବନେଶ୍ୱର ଛାଡ଼ି ନଗଲେ ମାରିବାକୁ ବି ଧମକ ଦେଇଥିଲେ ।
ପୁଲିସ୍ ଏତଲାକୁ ଗ୍ରହଣ କରି ବିଏନଏସର ୬୪ (୨) (ଏମ୍), ୮୯, ୨୯୬, ୩୫୧ (୨) ଓ ବିଏନଏସ ୬ ଦଫାରେ ମାମଲା ରୁଜୁ କରିଛି ।