ସାରଦାଙ୍କ ଚାଲ୍ରେ ପ୍ରତାପ ଓ ପ୍ରକାଶ ଚିତ୍ପଟାଙ୍ଗ: ଉପାଧ୍ୟକ୍ଷ ଉପନିର୍ବାଚନରେ ବାଜିମାରିଲେ ନୃସିଂହ 


 ନିଶ୍ଚିନ୍ତକୋଇଲି:  ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଦମ୍ ଦେଖାଇଛନ୍ତି । ପ୍ରତାପ ଜେନା ଓ କଟକ ସଦର ବିଧାୟକ ଇଂ. ପ୍ରକାଶ ସେଠୀ ମିଳିତ ଭାବେ ଗୋଟି ଚାଳନା କରିଥିଲେ ବି ସାରଦାଙ୍କ ଆଗରେ ଚିତ୍ପଟାଙ୍ଗ ମାରିଛନ୍ତି । ବହୁ ଚର୍ଚ୍ଚିତ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଉପନିର୍ବାଚନରେ ସାରଦାଙ୍କ ସମର୍ଥୀତ ପ୍ରାର୍ଥୀ ନୃସିଂହ ଚରଣ ମିଶ୍ର ବାଜିମାତ୍ କରିଛନ୍ତି ।
୪୧ ପଞ୍ଚାୟତକୁ ନେଇ ନିଶ୍ଚିନ୍ତକୋଇଲି ବ୍ଲକ ଗଠନ ହୋଇଛି । ସେଥିମଧ୍ୟରୁ ୨୭ ପଞ୍ଚାୟତ ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଥିବାବେଳେ ବାକି ୧୪ଟି ପଞ୍ଚାୟତ କଟକ ସଦର ନିର୍ବାଚନମଣ୍ଡଳୀରେ ରହିଛି । ସାରଦାଙ୍କ ପତିଆରା ବଢ଼ିବଢ଼ି ଚାଲିଥିବାରୁ ତାଙ୍କୁ ଚେକ୍ ଦେବା ପାଇଁ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଓ କଟକ ସଦର ବିଧାୟକ ଇଂ. ପ୍ରକାଶ ସେଠୀ ମିଳିତ ରଣନୀତି କରିଥିଲେ । ଏମିତିକି ସାରଦାଙ୍କ ବିରୋଧରେ ସ୍ଥାନୀୟ ବିଜେପି ନେତମାନେ ମଧ୍ୟ ଷଡଯନ୍ତ୍ର କରିଥିଲେ । ହେଲେ ଶେଷରେ ସାରଦା ସେମାନଙ୍କୁ ମାତ୍ ଦେଇ ନିଜର ପତିଆରା ଆହୁରି ବଢ଼ାଇ ଦେଇଛନ୍ତି ବୋଲି ରାଜନୀତିକ ଅଳିନ୍ଦରେ ଚର୍ଚ୍ଚା ହେଉଛି ।
ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦ ପାଇଁ ୧୧ତାରିଖ ଶୁକ୍ରବାର ଦିନ ଉପନିର୍ବାଚନ ଅନୁଷ୍ଠିତ ହୋଇଛି । ଏଥିପାଇଁ ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ବେଶ୍ ସରଗରମ ହୋଇଉଠିଥିଲା । ସକାଳ ୧୦ଟା ବେଳକୁ ସମିତିସଭ୍ୟ ସଭ୍ୟାମାନେ ଉପନିର୍ବାଚନରେ ମତ ସାବ୍ୟସ୍ତ କରିବା ପାଇଁ ଆସିଥିଲେ । ପୂର୍ବରୁ ଥିବା ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା ବ୍ୟକ୍ତିଗତ ଓ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ସେ ତାଙ୍କ ପଦରୁ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଥିଲେ । ଏହାପରେ ଆଜି ଏହି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଉପନିର୍ବାଚନରେ ମୁହାଁମୁହିଁ ହୋଇଥିଲେ ସାରଦାଙ୍କ ସମର୍ଥୀତ ପ୍ରାର୍ଥୀ ତଥା ଫଗୋଳ ପଞ୍ଚାୟତର ସମିତିସଭ୍ୟ ନୃସିଂହ ଚରଣ ମିଶ୍ର ଓ ପ୍ରତାପ ଏବଂ ପ୍ରକାଶଙ୍କ ସମର୍ଥୀତ ମହମ୍ମଦପୁର ପଞ୍ଚାୟତ ସମିତି ସଭ୍ୟ ରଞ୍ଜନ କୁମାର ପାତ୍ର ।
ଏଥିପାଇଁ ବ୍ଲକ ପରିସରରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା । ନିର୍ବାଚନ ଶେଷରେ ନୃସିଂହଙ୍କୁ ୨୪ଟି ଭୋଟ ମିଳିଥିବା ବେଳେ ରଞ୍ଜନଙ୍କୁ ୧୬ଟି ଭୋଟ ଯାଇଥିଲା । ଅପରପକ୍ଷରେ ଜଣେ ସମିତି ସଭ୍ୟ ଅନୁପସ୍ଥିତ ରହିଥିଲେ ।
ବିଜୟ ଖୁସିରେ ବିଜୟୀ ଗୋଷ୍ଠୀ ସ୍ୱାଧୀନ ବିଧାୟକ ଓ ନବନିର୍ବାଚିତ ଉପାଧ୍ୟକ୍ଷ ନୃସିଂହ ମିଶ୍ରଙ୍କୁ ବିଭିନ୍ନ ନାରାବାଜି ଜରିଆରେ ସ୍ୱାଗତ ଜଣାଇଥିଲେ । ଏହାସହ ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ବରବେଶରେ ସଜାଇଥିବା ବେଳେ ବର୍ତ୍ତମାନର କଟକ ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କୁ କନ୍ୟା ବେଶରେ ସଜାଇଥିଲେ । ସେମାନଙ୍କ ଫଟୋଚିତ୍ରକୁ ବ୍ଲକ ପରିସରରେ ପୋଲିସଙ୍କ ଉପସ୍ଥିତିରେ ଜାଳିବା ସହ ସେମାନଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ ।