ତାରା ଥିଲେ ଯୋଗ୍ୟ


ଭୁବନେଶ୍ୱର : କଂଗ୍ରେସର ଟାଣୁଆ ନେତା ହେଉଛନ୍ତି ତାରା ପ୍ରସାଦ ବାହନୀପତି  । ରାଜ୍ୟରେ ବିଜେଡ଼ି ବଢୁ କି ବିଜେପି ବଢୁ, ହେଲେ ଜୟପୁରରେ ରବିଙ୍କୁ ପରାହତ କରି ସବୁବେଳେ ତାରା ହିଁ ଝଟକି ଆସୁଥିଲେ  । ବିଧାନସଭାରେ ମଧ୍ୟ ତାଙ୍କର ପ୍ରଦର୍ଶନ ଦମଦାର  । ମଜାଳିଆ ଢଙ୍ଗରେ ସରକାରଙ୍କୁ ସେ ଶାଣିତ ଆକ୍ରମଣର କ୍ଷମତା ରଖିଛନ୍ତି  । ଗୃହ ମଧ୍ୟଭାଗରେ ତାରାଙ୍କ ପ୍ରତିବାଦ ସବୁବେଳେ ଗଣମାଧ୍ୟମର ଶିରୋନାମା ପାଲଟିଥାଏ  । ଚଳିତ ବିଧାନସଭାକୁ କଂଗ୍ରେସର ଯେତେକ ବିଧାୟକ ନିର୍ବାଚିତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ତାରା ହିଁ ସବୁଠାରୁ ଅଭିଜ୍ଞ  । ସମସ୍ତେ ଭାବୁଥିଲେ ତାରା ବାହିନୀପତି ହିଁ କଂଗ୍ରେସ ବିଧାୟକ ଦଳ ନେତା ହେବେ  । ତାରା ବିଧାୟକ ଦଳ ନେତା ହେଲେ ନରସିଂହଙ୍କ ଶୂନ୍ୟତାକୁ ଆଉ କଂଗ୍ରେସ ଅନୁଭବ କରିବ ନାହିଁ  । ବିଜେଡ଼ି ଓ ବିଜେପିକୁ ଆକ୍ରମଣ କରିବା ପାଇଁ କଂଗ୍ରେସ ପାଖରେ ଭଲ ମଉକା ଥିବାବେଳେ ତାରା ହିଁ ସମସ୍ତଙ୍କ ଠାରୁ ଫିଟ୍‌ ଥିଲେ  । ଗଣମାଧ୍ୟମ ପ୍ରତିନିଧିଙ୍କ ସହ ତାଙ୍କର ସୁସମ୍ପର୍କ ଥିବାରୁ ମିଡ଼ିଆରେ ମଧ୍ୟ ଭଲ କଭରେଜ୍‌ ମିଳିପାରିଥା’ନ୍ତା  । ତେବେ କଂଗ୍ରେସର ଦାଓପେଂଚ ଲଢେ଼ଇରେ ତାରା ବଳି ପଡ଼ିଯାଇଛନ୍ତି  । ତାଙ୍କ ଭଳି ଅନୁଭବୀ ନେତାଙ୍କୁ କଂଗ୍ରେସ ବିଧାୟକ ଦଳ ନେତା କରାଯାଇନାହିଁ  । ପିସିସି ସଭାପତି ଶରତ ପଟ୍ଟନାୟକ, କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଚକ୍ରାନ୍ତରେ ତାରା ବଳି ପଡ଼ି ଯାଇଛନ୍ତି  । ରାମଚନ୍ଦ୍ର କାଡ଼ାମଙ୍କୁ କଂଗ୍ରେସ ବିଧାୟକ ଦଳ ନେତା କରାଯାଇଥିବାବେଳେ ଅଶୋକ ଦାସଙ୍କୁ ଉପନେତା କରାଯାଇଛି  । ଯେତେବେଳେକି ସିଏସ ରାଜେନ ଏକ୍କାଙ୍କୁ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ଦିଆଯାଇଛି  ।