ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ କଳାହାଣ୍ଡି ଜିଲାର ପୁରପଲ୍ଲୀ ଚଳଚଞ୍ଚଳ ହୋଇ ଉଠିଛି। କୃଷି ଭିତ୍ତିକ ପର୍ବ ନୂଆଁଖାଇ ପ୍ରକୃତିର କୋଳରେ ଯେବେ ପ୍ରଥମଥର ପାଇଁ ଧାନ ଅମଳ ହୁଏ ତାହା ବଦଳରେ ମଣିଷ ପ୍ରକୃତିକୁ, ଗ୍ରାମଦେବୀ ତଥା ଇଷ୍ଟଦେବୀଙ୍କୁ କୃତଜ୍ଞତା ଜଣାଇଥାଏ। ପ୍ରଥମ ଅମଳ ଧାନକୁ ଭଗବାନଙ୍କ ପାଖରେ ଅର୍ପଣ କରିଥାଏ। ପ୍ରସାଦ ସ୍ବରୂପ ପରିବାର ସାଙ୍ଗରେ ମିଶି ସେହି ନୂଆ ଚାଉଳକୁ ନବାନ୍ନ ଭାବରେ ଭକ୍ଷଣ କରିଥାଏ । ଏହାକୁ ହିଁ ନୂଆଁଖାଇ କୁହାଯାଏ। ଗୁରୁବାର ସକାଳ ୯ଟା ୪୮ ମିନିଟରୁ ୧୦ ଟା ୩ ମଧ୍ୟରେ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଏହି ସମୟରେ ସମଗ୍ର କଳାହାଣ୍ଡିବାସୀ ନୂଆଁ ଖାଇବେ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଏହି ପର୍ବ କୃଷି ସହ ଜଡିତ ଥିବାରୁ ଚାଷୀ ମଧ୍ୟ ବେଶ ଉତ୍ସାହିତ। ପିଲାଠୁ ବୟସ୍କ ସମସ୍ତେ ନୂଆ ପୋଷାକ କିଣିବାରେ ଲାଗିଛନ୍ତି। ଏଥିପାଇଁ ଦୋକାନ ବଜାର ସମେତ ରାସ୍ତାରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। କପଡା ଦେକାନରେ ଭଲ ବ୍ୟବସାୟ ହେଉଥିବା ପ୍ରକାଶ କରିଛନ୍ତି ବ୍ୟବସାୟୀ । ଜିଲାର ବିଭିନ୍ନ ହାଟ ବଜାରରୁ ପନିପରିବା ସହ ନୂଆଁଖାଇରେ ବ୍ୟବହୃତ ନୂଆ ଧାନ, ଚୁଡା ଲୋକେ କିଣୁଛନ୍ତି। ନୂଆଁଖାଇ ଉପଲକ୍ଷେ ଜୁନାଗଡ଼ ସାପ୍ତାହିକ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।ବର୍ଷକୁ ଥରେ କଳାହାଣ୍ଡିବାସୀ ଏହି ଦିନକୁ ଅନାଇ ବସିଥାନ୍ତି। ଯିଏ ଯେଉଁଠି ବି ଥାଆନ୍ତି ଏହି ଦିନରେ ଆସି ପରିବାର ସହ ବସି ଏକାଠି ନୂଆଁ ଖାଇଥାନ୍ତି। ତେଣୁ ଏହାକୁ ଭାଇଚାରାର ପର୍ବ ମଧ୍ୟ କୁହାଯାଏ। ଏହାରି ଭିତରେ ନୂଆଁଖାଇକୁ ସ୍ବାଗତ କରିବା ପାଇଁ ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗାୟକ ନିଲାଞ୍ଚଳ ପାନ ଓ ତାଙ୍କ ସାଥି ନୂଆଁଖାଇ ଗୀତ ପରିବେଷଣ କରି ଏହି ପର୍ବକୁ ଆହୁରି ସ୍ମରଣୀୟ କରିଦେଇଛନ୍ତି।