ରାଜନଗର ବିଡିଓଙ୍କୁ ଆକ୍ରମଣ ଘଟଣା : ବର୍ଷିଲା ବିଜେଡ଼ି
ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ
ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ମହିଳା ବିଡିଓଙ୍କ ଉପରେ ବିଜେପି ନେତା ଓ କର୍ମୀଙ୍କ ଅମାନବୀୟ ଆକ୍ରମଣକୁ ନେଇ ବିଜେଡ଼ି ଉଦ୍ବେଗ ପ୍ରକାଶ କରିବା ସହ ଶାସକ ଦଳକୁ ଟାର୍ଗେଟ୍ କରିଛି । ଏନେଇ ବିଜେଡ଼ି ନେତା ପ୍ରତାପ ଦେବଙ୍କ ନେତୃତ୍ୱରେ ଏକ ଟିମ୍ ଡିଜିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ବରିଷ୍ଠ ସାଧାରଣ ସମ୍ପାଦକ ଡ ଲେଖାଶ୍ରୀ ସାମନ୍ତସିଂହାର ଓ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି, ମହିଳାଙ୍କ ବିରୋଧରେ ଅପରାଧ ଓ ବିଜେପି ନେତା ଓ କର୍ମୀଙ୍କ ଦୌରାତ୍ମ୍ୟ ଉପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଡ.ସାମନ୍ତସିଂହାର କହିଥିଲେ, ବିଜେପି କ୍ଷମତାସୀନ ହେବାପରେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟା ୪୦,୯୪୭କୁ ବୃଦ୍ଧି ପାଇଛି । ଦେଶର ଅପରାଧ ତାଲିକାରେ ଓଡିଶା ଅଷ୍ଟମ ସ୍ଥାନରେ ରହି ଏକ ଅଲୋଡା କୀର୍ତ୍ତିମାନ କରିଛି । ବିଜେପି ନେତା କର୍ମୀମାନେ ଆଇନ ଶୃଙ୍ଖଳାକୁ ହାତକୁ ନେଉଛନ୍ତି, ଯାହା ଫଳରେ ଶାସନ ବ୍ୟବସ୍ଥା ଏକ ପ୍ରହସନରେ ପରିଣତ ହୋଇଛି ।
ଡ.ସାମନ୍ତସିଂହାର କହିଥିଲେ, ରାଜନଗର ମହିଳା ବିଡିଓଙ୍କ ଉପରେ ବିଜେପି ନେତା କର୍ମୀଙ୍କ ଆକ୍ରମଣ ଘଟଣାକୁ ୩ ଦିନରୁ ଉଦ୍ଧ୍ୱର୍ ସମୟ ବିତି ଯାଇଥିବା ବେଳେ, ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ରାଜନଗରରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ବିଡ଼ିଓଙ୍କ ଉପରେ ଆକ୍ରମଣ ହୋଇଛି । ଶ୍ରୀ ଧ୍ରୁବ ସାହୁ କହିଥିଲେ, ଏହି ଘଟଣାକୁ ଯେତେ କଡା ଭାଷାରେ ନିନ୍ଦା କଲେ ମଧ୍ୟ କମ୍ ହେବ । ଅହଙ୍କାରର ବଶବର୍ତ୍ତୀ ହୋଇ ବିଜେପିର କର୍ମୀମାନେ ବ୍ଲକ ପଞ୍ଚାୟତକୁ ନିଜ କବଜାରେ ରଖିବାକୁ ଚାହୁଁଛନ୍ତି । ଗତକାଲି ଏହି ଘଟଣାର ଅଭିଯୁକ୍ତମାନେ ଥାନାରେ ପହଞ୍ଚି ମିଥ୍ୟା ଆରୋପ ଲଗାଇ ପାଲଟା ଅଭିଯୋଗ କରିଛନ୍ତି । ପୋଲିସ ଅପରାଧୀଙ୍କୁ ଗିରଫ କରିବା ପରିବର୍ତ୍ତେ ସେମାନଙ୍କ ଠାରୁ ପାଲଟା ଏଫଆଇଆର ରଖିବାରୁ ରାଜ୍ୟରେ ପୋଲିସ ଶାସକ ଦଳର ହାତବାରିସି ସାଜିଛି ବୋଲି ସ୍ପଷ୍ଟ ହେଉଛି । ତେଣୁ ରାଜ୍ୟରେ ଶାସନ ବ୍ୟବସ୍ଥା ଭୁଶୁଡି ପଡିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଅପରାଧୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ, ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି ।
Samir Kumar Rout