ଓଡ଼ିଶାବାସୀଙ୍କ ସେବା କରୁଛି ଓଡ଼ିଶା ପୁଲିସ

ପୁରୀ: ପୁରୀ ଜିଲ୍ଲା ପୁଲିସ ପକ୍ଷରୁ ଓଡ଼ିଶା ପୁଲିସର ୮୯ତମ ପ୍ରତିଷ୍ଠା ଦିବସ ସ୍ତାନୀୟ ପୁଲିସ ଲାଇନ୍ ପଡ଼ିଆରେ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅଭିବାଦନ ଗ୍ରହଣ କରି ଏସ୍ପି ପିନାକ ମିଶ୍ର କହିଥିଲେ ଯେ, ୧୯୩୬ ମସିହାରେ ଓଡ଼ିଶା ପୁଲିସ ପ୍ରତିଷ୍ଠା ହୋଇଥିଲା । ଏପ୍ରିଲ ୧ ତାରିଖ ୧୯୩୬ ମସିହାରୁ ପୋଲିସ ଓଡ଼ିଶାବାସୀଙ୍କ ନିରନ୍ତର ସେବା କରିଆସୁଛି । ଏହି ଅବଧି ମଧ୍ୟରେ ଓଡ଼ିଶା ପୁଲିସ ବହୁ ଗୁରୁତ୍ୱପୂର୍ଣ୍ର ଓ ସମ୍ବେଦନଶୀଳ ଆହ୍ୱାନର ସମ୍ମୁଖୀନ ହୋଇଛି । ଓଡ଼ିଶା ପୁଲିସର କିଛି ଆରକ୍ଷୀ କର୍ମଚାରୀ ନିଜର ପ୍ରାଣବଳୀ ଦେଇ ଓଡ଼ିଶାକୁ ନକ୍ସଲବାଦରୁ ମୁକ୍ତ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଓଡ଼ିଶା ପୁଲିସର ଯେଉଁମାନେ ବଳିଦାନ ଦେଇଛନ୍ତି ସେମାନଙ୍କ ପ୍ରତି ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଓଡ଼ିଶାବାସୀଙ୍କୁ ଆଗାମୀ ଦିନରେ ନିରନ୍ତର ସେବା ଯୋଗାଇ ଦେବା ପାଇଁ ଆଜିର ଦିନରେ ଶପଥ ନେବା ପାଇଁ ଓଡ଼ିଶା ପୋଲିସକୁ ଏସ୍.ପି ଶ୍ରୀ ମିଶ୍ର ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ଏସ୍.ପି ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ବାର୍ତ୍ତା ପଠନ କରିଥିଲେ । ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିବା ପରେ ଏସ୍.ପି ଶ୍ରୀ ମିଶ୍ର ପୁରୀ ଜିଲ୍ଲାର ଶ୍ରେଷ୍ଠ ସବ୍ଇନ୍ସପେକ୍ଟର ଭାବେ ବିକାଶ କୁମାର ପ୍ରଧାନଙ୍କୁ ପୁରସ୍କୃତ କରିବା ସହିତ ୧୦୦୦ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ । ସେହିଭଳି ଶ୍ରେଷ୍ଠ ଏପିଆର ହାବିଲଦାର ଭାବେ ପ୍ରହ୍ଲାଦ ଭୋଇଙ୍କୁ ୭୫୦ଟଙ୍କା, ବାସେଳୀ ସାହି ଥାନାରେ କାର୍ଯ୍ୟରତ ଓଆର କନଷ୍ଟେବଳ ବିଭୂତିଭୂଷଣ ପାତ୍ରଙ୍କୁ ୫୦୦ଟଙ୍କା ଓ ଜିଲ୍ଳାର ଶ୍ରେଷ୍ଠ ଏପିଆର୍ କନଷ୍ଟେବଳ ଭାବେ ନଟବର ସିଂଙ୍କୁ ୫୦୦ଟଙ୍କା ଅର୍ଥରାଶି ସହ ପୁରସ୍କୃତ କରାଯାଇଥିଲା । ଏହି ପ୍ୟାରେଡ଼ ଉସôବରେ ଅତିରିକ୍ତ ଏସ୍.ପି ସୁଶୀଲ କୁମାର ମିଶ୍ର, ବିଷ୍ଣୁ ପତି, ସିଟିଡ଼ିଏସ୍.ପି ପ୍ରଶାନ୍ତ କୁମାର ସାହୁ ବିଭିନ୍ନ ଥାନାର ଅଧିକାରୀମାନେ ଯୋଗଦାନ କରିଥିଲେ ।