ଚେନ୍ନାଇକୁ ହରାଇ ପଞ୍ଜାବ ବିଜୟୀ

 ନୂଆଦିଲ୍ଲୀ : ପଞ୍ଜାବର ଦମ୍ଦାର ବିଜୟ । ଟସ୍ ବି ଜିତିଲା ମ୍ୟାଚ୍ ବି ଜିତିଲା । ସିଏସ୍କେକୁ ହରାଇ ବାଜି ମାରିନେଲା ପଞ୍ଜାବ । ପଞ୍ଚାବର ବୋଲରଙ୍କ ସାମ୍ନାରେ ସିଏସ୍କେ ଦଳ ଆଣ୍ଠେଇ ପଡ଼ିଥିଲେ । ଜଣେପରେ ଜଣେ ପାଭିଲିଅନ୍ ଫେରିଥିଲେ । ଧୋନି ଆଜି ମିଡ଼ିଲ ଓର୍ଡ଼ରରେ ଖେଳିବାକୁ ଆସିଥିଲେ । ଆଶା ଥିଲା ସିଏ୍କେ ମ୍ୟାଚ୍ ଜିତିବ । ହେଲେ ଶେଷ ଓଭରର ପ୍ରଥମ ବଲରେ ଧୋନି କ୍ୟାଚ୍ ଆଉଟ୍ ହୋଇଥିଲେ । ସେଇଠି ସିଏସ୍କେ ହାରିଯାଇଥିଲା । ୧୮ ରନ୍ରେ ସିଏସ୍କେକୁ ହରାଇ ପଞ୍ଜାବ ମ୍ୟାଚ୍କୁ ହାତେଇ ନେଇଥିଲା ।   
ଅନ୍ୟପଟେ ପଞ୍ଜାବର ପ୍ରଥମେ ପ୍ରିୟାଂଶ ଆରିୟା ପରେ ଶଶାଙ୍କ ସିଂହଙ୍କ ଜବରଦସ୍ତ ବ୍ୟାଟିଂ କରିଥିଲେ । ଚେନ୍ନାଇ ସୁପର କିଙ୍ଗସ୍ ସାମ୍ନାରେ ୨୨୦ ରନ୍ର ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ କିଙ୍ଗସ୍ । ଆଇପିଏଲରେ ଅନ୍ କ୍ୟାପ୍ ପ୍ଲେୟାର ପ୍ରିୟାଂଶ ଆରିୟାଙ୍କ ପ୍ରଥମ ଶତକୀୟ ଇନିଂସ । ଶଶାଙ୍କ ଖେଳିଲେ ୫୨ ରନର ବିସ୍ଫୋରକ ପାଳି । ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖଲିଲ ଅହମ୍ମଦ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି ।
ମଙ୍ଗଳବାର ଆଇପିଏଲ୍ ଦ୍ୱିତୀୟ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସକୁ ମଧ୍ୟରେ ଲଢେଇ ହୋଇଥିଲା । ଏହି ମ୍ୟାଚ୍ ମୁଲାନପୁରର ମହାରାଜା ୟାଦବିନ୍ଦର ସିଂହ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମ ଖେଳାଯାଉଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ୍ ୬ ୱିକେଟ୍ ହରାଇ ୨୧୯ ରନ୍ କରିଥିଲା । ଆରମ୍ଭରୁ ଝୁଣ୍ଟିଥିଲେ ପଞ୍ଜାବ ବ୍ୟାଟର । ଦ୍ୱିତୀୟ ଓଭରରେ ପ୍ରଭସିମରନ ସିଂହଙ୍କୁ ମୁକେଶ ଚୌଧୁରୀ ଆଉଟ୍ କରିଥିଲେ । ଏହାପରେ ଅଧିନାୟକ ଶ୍ରେୟସ ଆୟର ତୃତୀୟ ଓଭରରେ ଖଲିଲ୍ ଅହମ୍ମଦଙ୍କ ଶିକାର ହୋଇଥିଲେ । ସେ ମାତ୍ର ୯ ରନ କରି ଡଗଆଉଟକୁ ଫେରିଥିଲେ । ମାର୍କସ ଷ୍ଟୋଇନିସ୍ ମଧ୍ୟ କିଛି ଖାସ୍ କରିପାରିନଥିଲେ । ଏହା ନିହାଲ୍ ବଢ଼େରା ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ରବିଚନ୍ଦ୍ରନ ଅଶ୍ୱିନ ଆଉଟ୍ କରିଥିଲେ । ମାତ୍ର ଗୋଟିଏ ପଟେ ପ୍ରିୟାଂଶ ଆରିୟା ସିଏସ୍କେ ବୋଲରଙ୍କ ଉପରେ ଜବରଦସ୍ତ ପ୍ରହାର କରିଥିଲେ । ସେ ୪୨ ବଲରୁ ୧୦୩ ରନ୍ କରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ । ଏହାପରେ ଶଶାଙ୍କ ସିଂହ ଅପରାଜିତ ୫୨ ଓ ମାର୍କ ଜନସନ୍ ୩୪ ରନ୍ କରି ଚେନ୍ନାଇ ସୁପର କିଙ୍ଗ୍ସକୁ ୨୨୦ ରନ୍ର ଟାର୍ଗେଟ୍ ଦେଇଥିଲେ ।