ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି ବିକଶିତ ଓଡ଼ିଶାର ନୂଆ ବାଟ
ଭୁବନେଶ୍ୱର : ଭାରତରେ ମହିଳା ଉଦ୍ୟୋଗୀଙ୍କୁ ଆର୍ଥିକ ଭାବେ ସଶକ୍ତ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା "ଲକ୍ଷପତି ଦିଦି' ଯୋଜନା ଓଡିଶାରେ ଏକ ପରିବର୍ତ୍ତନକାରୀ ଶକ୍ତି ଭାବେ ଉଭା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସଶକ୍ତ ମହିଳା ଉଦ୍ୟୋଗୀ ସୃଷ୍ଟି କରିବା ଦୃଷ୍ଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁଦକ୍ଷ ନେତୃତ୍ୱରେ ଓଡିଶାରେ ଉଲ୍ଲେଖନୀୟ କାର୍ଯ୍ୟକାରିତା ଦେଖିବାକୁ ମିଳିଛି । ଆଜି ଓଡିଶା ଲକ୍ଷପତି ଦିଦି ସୃଷ୍ଟି କରିବାରେ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନରେ ଗର୍ବର ସହ ଉପନୀତ ହୋଇଛି । ରାଜ୍ୟରେ ୯.୩୬ ଲକ୍ଷରୁ ଅଧିକ ମହିଳା ବାର୍ଷିକ ୧ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ରୋଜଗାର କରିବାର ମାଇଲଖୁଣ୍ଟ ହାସଲ କରିଛନ୍ତି । ଏପରି ଅନୁପ୍ରେରଣୀୟ କାହାଣୀଗୁଡିକ ମଧ୍ୟରୁ ଜଣେ ହେଉଛନ୍ତି ତିଳୋତ୍ତମା ମହାନ୍ତ । କେଉଁଝର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମପଞ୍ଚାୟତର ଜଣେ ସଶକ୍ତ ଉଦ୍ୟୋଗୀ । ଦୃଢ ଇଚ୍ଛା ଶକ୍ତି ଏବଂ ସରକାରୀ ସହଯୋଗ ବଳରେ ସେ ଉଲ୍ଲେଖନୀୟ ସଫଳତା ସହ ତାଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛନ୍ତି । ଆର୍ଥିକ ଅନ୍ତର୍ଭୁକ୍ତିକରଣ, ବଜାର ସଂଯୋଗ, ତାଲିମ ଓ ଦକ୍ଷତା ବୃଦ୍ଧି କରି ଓଡିଶା ଜୀବିକା ମିଶନ କାର୍ଯ୍ୟକାରୀ ସଂସ୍ଥା ଭାବେ ଏହି ଯୋଜନାର ଉଦେ୍ଦଶ୍ୟଗୁଡ଼ିକୁ ସଫଳତା ଦେଇଛି । ଏହି ପ୍ରକଳ୍ପ ଗୁଡିକ ଓଡିଶା ସାରା ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ସମୃଦ୍ଧ ପରିବେଶ ସୃଷ୍ଟି କରିଛି । ତିଳୋତ୍ତମାଙ୍କ ପରି ମହିଳାମାନେ ତୃଣମୂଳ ଉଦ୍ୟୋଗୁଡିକର ଶକ୍ତିର ପ୍ରଦର୍ଶନ କରନ୍ତି । ତାଙ୍କର କାହାଣୀ କେବଳ ଆର୍ଥିକ ସଫଳତାର ନୁହେଁ ବରଂ ସାମାଜିକ ପରିବର୍ତ୍ତନର ଏକ ଶକ୍ତିଶାଳୀ ଉଦାହରଣ । ତାଙ୍କ ପରି ସଶକ୍ତ ମହିଳାମାନେ ଓଡିଶାର ସାମାଜିକ-ଅର୍ଥନୈତିକ ସ୍ଥିତିକୁ ଦର୍ଶାଉଛନ୍ତି ।
ମହିଳାମାନଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ପୁନଃନିଶ୍ଚିତ କରିବା ସହ ୨୦୨୭ ଶେଷ ସୁଦ୍ଧା ତିନି କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ପୂରା କରିବା ଦିଗରେ ଅଗ୍ରସର ହେଉଛି । ଏହି ଯୋଜନା ଆତ୍ମନିର୍ଭରଶୀଳତା, ସମ୍ମାନ, ସମୃଦ୍ଧି ଏବଂ ବିକାଶର ଏକ ନୂତନ ଯୁଗକୁ ଚିହ୍ନିତ କରୁଛି ।