ପଡେ଼ାଶୀ ରାଜ୍ୟର ଧାନ ଜଗିବ ସ୍କ୍ୱାଡ
paddy procurement

ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିବେ ମନ୍ତ୍ରୀ
ଅନିୟମିତତା ଓ ଦୁର୍ନୀତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
କ୍ଷୁଦ୍ର ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ ଉପରେ ପ୍ରାଥମିକତା
ଭୁବନେଶ୍ୱର : ଏଥର ଧାନ କୁଇଣ୍ଟାଲ ୩୧ ଶହ ଟଙ୍କା ହିସାବରେ କିଣାଯିବ । ତେଣୁ ପଡେ଼ାଶୀ ରାଜ୍ୟରୁ ଓଡ଼ିଶାକୁ ଧାନ ଚୋରାଚାଲାଣ ହେବାର ସମ୍ଭାବନା ରହିଛି । ଏହାକୁ ଆଖିଆଗରେ ରଖି ଧାନ କିଣା ବେଳେ ପଡେ଼ାଶୀ ରାଜ୍ୟ ସୀମା ସିଲ୍ କରାଯିବ । ସ୍ୱତନ୍ତ୍ର ସ୍କ୍ୱାଡ଼ ଦାୟିତ୍ୱରେ ରହିବେ । ମଣ୍ଡିରେ ଠିକ ଭାବେ ଧାନ କିଣା ହେଉଛି କି ନାହିଁ ତାହା ମନ୍ତ୍ରୀମାନେ ଦେଖିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମୀକ୍ଷା କରି ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।
ବିଶେଷ କରି ଧାନ ସଂଗ୍ରହରେ ହେଉଥିବା ଅନିୟମିତତା, ଦୁର୍ନୀତି ଓ ପ୍ରିୟାପ୍ରୀତିତୋଷଣ ଯେପରି ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ମୂଲ୍ୟ ଉପରେ ୮ ଶହ ଟଙ୍କା ଅଧିକ ଦିଆଯାଉଛି । ସେଥିପାଇଁ ଚାଷୀମାନଙ୍କ ଭିତରେ ବିପୁଳ ଉତ୍ସାହ ରହିଛି । ଧାନ ସଂଗ୍ରହ ପ୍ରକ୍ରିୟା ଯେପରି ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ ହେବ, ସେଥିପାଇଁ ପ୍ରତ୍ୟେକ ମନ୍ତ୍ରୀ ଗୋଟିଏ ବା ଦୁଇଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେମାନେ ସରକାରଙ୍କ ପାଇଁ ୱାନ-ପଏଣ୍ଟ-କଣ୍ଟାକ୍ଟ ଭାବେ କାର୍ଯ୍ୟ କରିବେ । ମନ୍ତ୍ରୀମାନେ ଜିଲ୍ଲା ତଥା ବିଭିନ୍ନ ମଣ୍ଡି ଗସ୍ତ କରି ଚାଷୀମାନଙ୍କ କଥା ଶୁଣି ତା’ର ପ୍ରତିକାର କଲେ, ସାଧାରଣ ଜନତା ସରକାରଙ୍କ ଆନ୍ତରିକତା ଅନୁଭବ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେଥିପାଇଁ ପୂରା ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ସମସ୍ତ ସଂପୃକ୍ତ ବିଭାଗ ଓ ଜିଲ୍ଲାପାଳମାନେ ସମନ୍ୱୟ ରଖି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେଯେ, ସମୁଦାୟ ପଞ୍ଜିକୃତ ଚାଷୀମାନଙ୍କ ମଧ୍ୟରୁ ୮୩ % ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଚାଷୀ । ସମାନେ ଯେପରି ବିନା କୌଣସି ଅସୁବିଧାରେ ସେମାନଙ୍କ ଧାନ ବିକ୍ରି କରିପାରିବେ ତାହା ସୁନିଶ୍ଚିତ କରିବା ଦାୟିତ୍ୱ ଜିଲ୍ଲାପାଳମାନଙ୍କର । ଧାନ ସଂଗ୍ରହରେ କ୍ଷୁଦ୍ର ଚାଷୀମାନଙ୍କୁ ପ୍ରାଥମିକତା ଦେବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ ।
ସେହିପରି ଟୋକେନ୍ର ଅବଧି ସମ୍ପର୍କରେ କ୍ଷୁଦ୍ର ଚାଷୀମାନେ ବିଶେଷ ସୂଚନା ପାଇପାରୁନାହାନ୍ତି । ତେଣୁ ସେମାନଙ୍କୁ ସଚେତନ କରିବା ସହିତ ଆବଶ୍ୟକ ସ୍ଥଳେ ଜିଲ୍ଲାପାଳମାନେ ସେମାନଙ୍କ ଟୋକେନ୍ର ଅବଧିକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଧାନର କଟନୀ-ଛଟଣି ବନ୍ଦ କରିବା ପାଇଁ ଚାଷୀମାନେ ଯେପରି କେବଳ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବେ, ସେଥିପାଇଁ ବ୍ୟାପକ ସଚେତନତା ଅଭିଯାନ କରିବା ଆବଶ୍ୟକ । ବିଶେଷକରି ଚାଷୀମାନଙ୍କ ହ୍ୱାଟସଆପ୍ ଗ୍ରୁପରେ ସେମାନଙ୍କୁ ବାରମ୍ବାର ଏସଂପର୍କରେ ସୂଚନା ଦେବାକୁ ସେ ପରାମର୍ଶ ଦେଇଥିଲେ । ଏଫଏକ୍ୟୁ ଧାନ ପରୀକ୍ଷାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଧାନର ମାନ ନିର୍ଣ୍ଣୟରେ ମଣ୍ଡି ପରିଚାଳନା ଅଧିକାରୀମାନଙ୍କୁ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।