ସମବାୟ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ : ନିୟମ ଅନୁସାରେ ଧାନ ସଂଗ୍ରହ ନକଲେ କାର୍ଯ୍ୟାନୁଷ୍ଠାନ
paddy procurement

ସମିତିର ଖାତା ଅପଡେ଼ଟ୍ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ଚଳିତ ବର୍ଷ ୪ ହଜାରରୁ ଉର୍ଦ୍ଧ୍ୱ ସମବାୟ ସଂସ୍ଥା ଧାନ ସଂଗ୍ରହ କେନ୍ଦ୍ର ପରିଚାଳନା କରିବେ । ଚାଷୀମାନେ ବିନା କଟନୀ ଛଟନୀରେ ସରକାରଙ୍କୁ ଧାନ ବିକ୍ରୟ କରିବେ । ୪୮ ଘଣ୍ଟା ମଧ୍ୟରେ ସେମାନେ ନିଜର ପ୍ରାପ୍ୟ ପାଇବେ । ଏହି ନିୟମକୁ ଯେଉଁ ସମବାୟ ସଂସ୍ଥା ପାଳନ ନକରିବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ଚେତାବନୀ ଦେବା ସହ ସମିତିର ଖାତା ଅପଡେ଼ଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ଥିତ ସମବାୟ ଭବନ ପରିସରରେ ୭୧ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର ଉଦ୍ଘାଟନ କରିଛନ୍ତି । ସୂଚନାଯୋଗ୍ୟଯେ, ନଭେମ୍ବର ୧୪ରୁ ୨୦ ପର୍ଯ୍ୟନ୍ତ ଏହି ସମବାୟ ସପ୍ତାହ ପାଳନ କରାଯାଉଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଓଡିଶାର ୨୬ ଶହରୁ ଅଧିକ ପ୍ରାଥମିକ ସମବାୟ ସଂସ୍ଥା ସରକାର ଓ ଚାଷୀଙ୍କ ମଧ୍ୟରେ ସେତୁ ସଦୃଶ କାମ କରୁଛନ୍ତି । ଫସଲ ୠଣ, ଫସଲ ବୀମା, ସାର, ବିହନ, କୀଟନାଶକ ଇତ୍ୟାଦି ସେମାନଙ୍କ ମାଧ୍ୟମରେ ଚାଷୀଙ୍କ ପାଖକୁ ଯାଇଥାଏ । ଏହି ସବୁ ଅନୁଷ୍ଠାନ ହେଉଛି ସମାଜର ତଳସ୍ତରରେ ରହିଥିବା ଗରିବଙ୍କ ଆଶା ଓ ଭରସା । ଓଡିଶାର ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ପରିବାର ସମବାୟ ଆନ୍ଦୋଳନ ସହ ଅଙ୍ଗାଙ୍ଗୀଭାବେ ଜଡିତ ।