ଯଦି ଯୁଦ୍ଧ ହୁଏ... ୪ ଦିନ ତିଷ୍ଠିବ ପାକ୍
ପହେଲଗାମ ବର୍ବରତାକୁ ନେଇ ଦେଶ ସାରା ଦୁଃଖ ଓ ପ୍ରତିଶୋଧର ବାତାବରଣ ଖେଳିଯାଇଛି । ପାକ୍କୁ ପାନେ ଦେବା ପାଇଁ ଭାରତ ସରକାର ଗୋଟିଏ ପରେ ଗୋଟିଏ ଦୃଢ଼ ଓ ସୁଚିନ୍ତିତ ପଦକ୍ଷେପ ନେଉଛନ୍ତି । ପ୍ରଥମ ପ୍ରହାର ସ୍ୱରୂପ ପାକିସ୍ତାନ ସହ ୧୯୬୫ରେ ହୋଇଥିବା ସିନ୍ଧୁଜଳ ଆବଣ୍ଟନ ଚୁକ୍ତିକୁ ରଦ୍ଦ କରାଯାଇଛି । ଦ୍ୱିତୀୟରେ ପାକ୍ ନାଗରିକଙ୍କୁ ଦେଶରୁ ତଡ଼ିବା ପାଇଁ ନିର୍ବାସନ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ତୃତୀୟରେ ପାକ୍ ପାଇଁ ଭାରତର ବାୟୁସୀମାକୁ ସିଲ୍ କରାଯାଇଥିବା ବେଳେ ଚତୁର୍ଥରେ ଗତକାଲି ପାକ୍ ସହିତ ସମସ୍ତ ପ୍ରକାର ବାଣିଜ୍ୟ କାରବାର ରଦ୍ଦ କରାଯାଇଛି । ଆଉ ସେପଟେ କାଶ୍ମୀରରେ ସ୍ଥିତାବସ୍ଥା ଫେରାଇ ଆଣିବାକୁ ସ୍ଥଳସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଇ ବହୁ ସନ୍ଧିଗ୍ଧ ଏବଂ ଆତଙ୍କୀଙ୍କୁ କାବୁ କରି ଜେରା କରାଯାଉଛି । ଏହାସହ ପହେଲଗାମ ଆତଙ୍କୀଙ୍କୁ ଧରିବା ପାଇଁ ମଧ୍ୟ ଅପରେସନ୍ ଜୋର କରାଯାଇଛି ।
ଖାଲି ଏତିକି ନୁହେଁ ପାକ୍ ଉପରେ ଯଥୋଚିତ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସେନାକୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି । ଗତ ଦୁଇତିନି ଦିନ ମଧ୍ୟରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଘନ ଘନ ବୈଠକ ବସିଥିବା ବେଳେ ପ୍ରଧାମନ୍ତ୍ରୀ ୩ ସେନାର ମୁଖିଆମାନଙ୍କୁ ଭେଟି ପାକ୍ ବିରୋଧରେ କି ପଦକ୍ଷେପ ଗ୍ରହଣ କରାଯାଇ ପାରିବ ସେମାନଙ୍କ ସହ ଆଲୋଚନା କରୁଛନ୍ତି । ଗତକାଲି ମୋଦି ନୌସେନା ଭାଇସ୍ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନଙ୍କୁ ଭେଟିଥିବା ବେଳେ ନୌସେନା ପକ୍ଷରୁ ମଧ୍ୟ ଯୁଦ୍ଧାଭ୍ୟାସକୁ ଜୋରଦାର କରାଯାଇଛି । ଆଜି ବାୟୁସେନାର ଏୟାର ଚିଫ୍ ମାର୍ସାଲ ଅମରପ୍ରିତ ସିଂହ ମୋଦିଙ୍କୁ ଭେଟି ଆଗାମୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ସହ ଯୁଦ୍ଧାଭ୍ୟାସକୁ ତ୍ୱରାନ୍ୱିତ କରିଛନ୍ତି । ଏହିଭଳି ଭାବେ ଗୋଟିଏ ପରେ ଗୋଟିଏ ପାକ୍ ବିରୋଧୀ ପଦକ୍ଷେପ ନିଆଯାଉଥିବା ବେଳେ କେତେବେଳେ କେଉଁ ମୁହୂର୍ତ୍ତରେ ଭାରତ କି ପଦକ୍ଷେପ ଗ୍ରହଣ କରିବା ତାହାକୁ ନେଇ ପାକିସ୍ତାନ ଚିନ୍ତିତ । ଏହାରି ମଧ୍ୟରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଯଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ପାକିସ୍ତାନ କି କି ସମସ୍ୟାର ସମ୍ମୁଖୀନ ହେବ ତାହା ଚର୍ଚ୍ଚାର ବିଷୟ ହୋଇଛି ।
ପ୍ରଥମତଃ ପାକିସ୍ତାନ ପାଖରେ ବର୍ତ୍ତମାନ ସ୍ଥିତିରେ ଆବଶ୍ୟକ ପରିମାଣରେ ଗୋଳାବାରୁଦ ନାହିଁ । ଯେତିକି ପରିମାଣରେ ଅଛି ଯଦି ଯୁଦ୍ଧ ଲାଗେ ତେବେ ପାକ୍ ସେନା ମାତ୍ର ୪ ଦିନ ତିଷ୍ଠି ପାରିବ । ସଦ୍ୟତମ ଭାବେ ପାକିସ୍ତାନ ନିଜର ଗୋଳାବାରୁଦ ଏବଂ ଅନ୍ୟ ଯୁଦ୍ଧାସ୍ତ୍ର ପାଇଁ ଇସ୍ରାଏଲ୍ ଏବଂ ୟୁକ୍ରେନ୍କୁ ଅର୍ଡର ଦେଇଥିବା ଏକ ବିଶେଷ ସୂତ୍ରରେ ଜଣାପଡ଼ିବା ପରେ ଏହି ଖବର ସାମ୍ନାକୁ ଆସିଛି । ତା ସାଙ୍ଗକୁ ପାକିସ୍ତାନ ଗୋଳାବାରୁଦ କାରଖାନା (ପିଓଏଫ୍) ରେ ଅତ୍ୟାଧୁନିକ ଗୋଳାବାରୁଦ ନିର୍ମାଣ ପାଇଁ ସେଭଳି କିଛି ନୂଆ ଟେକ୍ନୋଲୋଜି ବି ନାହିଁ । ଗୋଳାବାରୁଦ ଅଭାବର ଏହା ଆଉ ଏକ କାରଣ ହୋଇପାରେ । ଭାରତର ଦୃଢ଼ ପଦକ୍ଷେପରେ ଛାନିଆ ହୋଇ ବହୁ ପାକ୍ ମନ୍ତ୍ରୀ ଓ ସେନା ପ୍ରମୁଖ ବିଭ୍ରାନ୍ତିକର ବୟାନ ଦେଉଥିବା ବେଳେ ଆଜି ରୁଷ୍ରେ ଥିବା ପାକ୍ ରାଷ୍ଟ୍ରଦୂତ ମହମ୍ମଦ ଖାଲିଦ ଜମାଲି ଜଣେ ସମ୍ବାଦଦାତାଙ୍କୁ ଦେଇଥିବା ବୟାନ ଚର୍ଚ୍ଚାର ବିଷୟ ପାଲଟିଛି । ସେ କହିଛନ୍ତି ଯଦି ଭାରତ ଆକ୍ରମଣ କରେ ତେବେ ପାକିସ୍ତାନ ପୂର୍ଣ୍ଣ କ୍ଷମତା ସହ ଭାରତ ଉପରେ ଆକ୍ରମଣ କରିବ ଏବଂ ଆବଶ୍ୟକ ପଡ଼ିଲେ ଆଣବିକ ଆକ୍ରମଣ ମଧ୍ୟ କରିବ ।
ଏହାରି ମଧ୍ୟରେ ପାକିସ୍ତାନ ନ୍ୟାସନାଲ ଆସେମ୍ବଲୀରେ ସାଂସଦ ଥିବା ସେର ଅଫଜଲ ଖାନ୍ ମରୱାତଙ୍କ ବୟାନ ଅତ୍ୟନ୍ତ ହ୍ୟାସ୍ୟାସ୍ପଦ ହୋଇଛି । ସେ କହିଛନ୍ତି, ଯଦି ଭାରତ-ପାକିସ୍ତାନ ଯୁଦ୍ଧ ହୁଏ ତେବେ ମୁଁ ସିଦ୍ଧା ସଳଖ ଲଣ୍ଡନ ପଳେଇବି । ଜଣେ ସାମ୍ବାଦିକଙ୍କ ‘ଯୁଦ୍ଧ ସମୟରେ ଆପଣଙ୍କୁ ଯଦି ବନ୍ଧୁକ ଧରାଇ ଦିଆଯାଏ ଏବଂ ଲଢ଼ିବା ପାଇଁ ବର୍ଡରକୁ ପଠାଯାଏ...’ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଅଫଜଲ । ସେହିଭଳି ଅନ୍ୟଏକ ପ୍ରଶ୍ନର ‘ଯଦି ଆପଣଙ୍କ ଅନୁରୋଧରେ ମୋଦି ପାକ୍ ବିରୋଧରେ ଯୁଦ୍ଧ ଘୋଷଣା ନ କରନ୍ତି’ ଉତ୍ତରରେ ସେ କହିଥିଲେ ‘ମୋଦି କ’ଣ ମୋ ମାଉସୀଙ୍କ ପୁଅ କି, ମୁଁ କହିଲେ ସେ ପଛକୁ ଫେରିଯିବେ ।’ ଜଣେ ସାଂସଦ ତଥା ରାଜନେତା ହୋଇ ଅଫଜଲଙ୍କ ମୁହଁରେ ଏଭଳି ଉତ୍ତରକୁ ନେଇ ପାକିସ୍ତାନରେ ସମାଲୋଚନାର ଶିକାର ହୋଇଛନ୍ତି । ଆଉ ଭାରତରେ ମଧ୍ୟ ହାସ୍ୟାସ୍ପଦର ଅନ୍ୟଏକ କାରଣ ହୋଇଛି । ଏହି ବାତାବରଣ ମଧ୍ୟରେ ପାକିସ୍ତାନ ପକ୍ଷରୁ ଦିଆଯାଉଥିବା ଏଭଳି ବୟାନକୁ ନେଇ ଭାରତରେ ବିଜେପି ମୁଖବାର୍ତ୍ତା ପ୍ରଦୀପ ଭଣ୍ଡାରୀ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଭାରତ ଭୟରେ ଅଧିକାଂଶ ପାକିସ୍ତାନ ନେତା, ମନ୍ତ୍ରୀ ଏବଂ ସେନା ପ୍ରମୁଖ ବିଦେଶ ଯିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଭାରତରେ ମୋଦିଙ୍କ ନେତୃତ୍ୱ ସେମାନଙ୍କୁ ଅତ୍ୟଧିକ ଭୟଭୀତ କରି ପକାଇଛି । ଏଣୁ ସେମାନେ ଲଣ୍ଡନ ସମେତ ଅନ୍ୟାନ୍ୟ ଦେଶକୁ ଯିବା ପାଇଁ ଏବେ ଠାରୁ ଟିକେଟ ବୁକିଂ କରି ସାରିଛନ୍ତି ।