ଯେକୌଣସି ମୁହୂର୍ତ୍ତରେ ଘୋଷଣା : ସୁରେଶ
ଭୁବନେଶ୍ୱର: ଅମିତ ଶାହଙ୍କ ଓଡ଼ିଶା ଗସ୍ତ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇଯାଇଛି । ଆସନ୍ତା ୧୦ରେ ଶାହ ଓଡ଼ିଶା ଆସୁଥିବାରୁ ରାଜ୍ୟ ସଭାପତି ନାମ ଘୋଷଣା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଅତୀତରେ ବହୁବାର ଶାହଙ୍କ ଓଡ଼ିଶା ଗସ୍ତ ବାତିଲ୍ ହୋଇଥିବାବେଳେ, ସମ୍ଭାବ୍ୟ ଯୁଦ୍ଧ ଘନଘଟା ସ୍ଥିତିରେ ଶାହ ଆସିବେ ନା ପୁଣି ଗସ୍ତ ବାତିଲ୍ ହେବ ତାହାକୁ ନେଇ ବି ଆଶଙ୍କା ରହିଛି ।
ଏସବୁ ଭିତରେ ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟ ବିଜେପି ସଭାପତି ନିଯୁକ୍ତି ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତିଯେ, ରାଜ୍ୟ ସଭାପତି ଚୟନ ଶେଷ ସୋପାନରେ ଅଛି । ଯେ କୌଣସି ମୂହୁର୍ତ୍ତରେ ଘୋଷଣା ହୋଇପାରେ । ସମସ୍ତଙ୍କ ମତାମତ ନେଇ ସହମତ ଭିତ୍ତିରେ ରାଜ୍ୟ ସଭାପତି ଚୟନ ହେବ ବୋଲି ସେ କହିଛନ୍ତି । ଶାହଙ୍କର ଅନେକ ସରକାରୀ କାର୍ଯ୍ୟକ୍ରମ ରହିଛି । ପରେ ସେ ଦଳୀୟ ନେତାଙ୍କୁ ଭେଟି ଆଲୋଚନା ମଧ୍ୟ କରିବେ । ବିଜେପିରେ ସଭାପତି ଚୟନ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ହୋଇଥାଏ । ବିଜେପି ହେଉଛି ଏକମାତ୍ର ଦଳ ଯେଉଁଠି ଦଳର ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଜିଲ୍ଲା ସଭାପତି, ରାଜ୍ୟ ସଭାପତି କିମ୍ବା ଜାତୀୟସ୍ତରରେ ସଭାପତି ହୋଇଥାନ୍ତି । ଅତୀତରେ ଅନେକ ବ୍ୟକ୍ତି ଛୋଟ କାର୍ଯ୍ୟକର୍ତ୍ତାରୁ ଜାତୀୟସ୍ତରରେ ଦଳର ବଡ ବଡ ଦାୟିତ୍ୱ ସମ୍ଭାଳିଛନ୍ତି ।
ସେହିପରି ରାଜ୍ୟ ସଭାପତି ଚୟନ ଶେଷ ପର୍ଯ୍ୟାୟରେ ଅଛି । ଯେକୌଣସି ମୁହୂର୍ତ୍ତରେ ନାମ ଘୋଷଣା ହୋଇପାରେ । ଦେଶର ଅନେକ ଆଞ୍ଚଳିକ ଦଳରେ ଜଣେ ବ୍ୟକ୍ତି ସଭାପତି ରହି ଆସିଛନ୍ତି । କିନ୍ତୁ ଆମେ ଜାତୀୟ ଦଳ ହୋଇଥିବାରୁ ଆମ ପ୍ରକ୍ରିୟା ବିଳମ୍ବ ହୁଏ । ଅନ୍ୟ ଦଳର ସଭାପତି ଚୟନ ପୂର୍ବ ନିର୍ଦ୍ଧାରିତ । ତେଣୁ ଦଳର ଆଭ୍ୟନ୍ତରୀଣ ବ୍ୟାପାରକୁ ନେଇ ଚୟନ ପ୍ରକ୍ରିୟା ଅଟକିବା କହିବା ଭୁଲ୍ ବୋଲି ସେ କହିଛନ୍ତି ।