ପଞ୍ଚୁ ପାଣ୍ଡବ ବାରୁଣୀ ଯାତ୍ରା

ଦ୍ୱାପର ଯୁଗର କଥା ଅଜ୍ଞାତବାସରେ ଥାଆନ୍ତି ପାଣ୍ଡବ ପାଞ୍ଚଭାଇ, ବର୍ଷ ବର୍ଷ ଧରି ନିଘଞ୍ଚ ବଣ ଜଙ୍ଗଲ ଓ ପଥପ୍ରାନ୍ତ ଜନପଦ ଘୁରି ଘୁରି ଲୁକ୍କାୟିତ ଭାବେ ବୁଲୁଥାନ୍ତି ମାତା କୁନ୍ତୀ ଓ ଧର୍ମପତ୍ନୀ ଦୌପଦୀଙ୍କୁ ସଙ୍ଗରେ ଧରି । ପ୍ରଥମେ ଆମେ ବନବାସ ଏବଂ ଅଜ୍ଞାତବାସ ତାରତ୍ୱମ ବିଷୟରେ ପାର୍ଥକ୍ୟ ବୁଝିନେବା ଆବଶ୍ୟକ ଅଟେ । ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଚଉଦବର୍ଷ ବନବାସରେ ବିତାଇବାକୁ ପଡ଼ିଥିଲା । ବନବାସ ଏବଂ ଅଜ୍ଞାତବାସର ସମ୍ପୂର୍ଣ୍ଣ ଭିନ୍ନ, ଅର୍ଥ ହେଲା ଯେ ଅନ୍ୟମାନେ ସେମାନଙ୍କୁ ଦେଖି ଚିହ୍ନିପାରିଲେ ବି ବନବାସ ସମୟ ସେହି ଚଉଦ ବର୍ଷରେ ହିଁ ସୀମିତ ରହିବ । କିନ୍ତୁ ଅଜ୍ଞାତବାସର ଅର୍ଥ ହେଉଛି ଯଦି ପାଣ୍ଡବମାନେ ଅଜ୍ଞାତବାସରେ କାଟୁଥିବା ସମୟରେ ବାର ବର୍ଷ ଶେଷ ହେବା ପୂର୍ବରୁ ଯଦି କୌଣସି ପ୍ରକାରେ ସେମାନଙ୍କ ପରିଚୟ ମିଳିଯାଏ ଯେ ଏମାନେ ହେଉଛନ୍ତି ପାଣ୍ଡବ ପାଞ୍ଚଭାଇ ତାହାହେଲେ ସେହି ଦିନ ଠାରୁ ପୁନରାୟ ଚଉଦବର୍ଷ ଅଜ୍ଞାତବାସ ଭୋଗ କରିବା ପାଇଁ ପଡ଼ିବ ବୋଲି ସର୍ତ୍ତ ରହିଥିଲା । ଅଜ୍ଞାତବାସ ସମୟରେ ପାଣ୍ଡବମାନେ ସାରା ଭାରତ ବର୍ଷ ଲୁକ୍କାୟିତ ଭାବେ ପାହାଡ଼ ପର୍ବତ ଘଞ୍ଚ ବଣ ଜଙ୍ଗଲ ଘୁରି ଘୁରି ବୁଲୁଥିବା ସମୟରେ ଉକ୍ରଳ ଭୂଖଣ୍ଡରେ ବିଭିନ୍ନ ସ୍ଥାନ ମାନଙ୍କରେ ମଧ୍ୟ ଡେରା ପକାଇ ଅବସ୍ଥାନ କରୁଥାନ୍ତି । ପାଣ୍ଡବମାନେ ଡ଼େରା ପକାଇ ରହିଥାନ୍ତି ତକ୍ରାଳୀନ ଏକ ଘନ ଘୋର ଜଙ୍ଗଲ ମଧ୍ୟରେ । ଚୈତ୍ରମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି ସେ ଦିନ ମହାବାରୁଣି ଯୋଗ ପଡ଼ିଥାଏ । ଦିନେ ମାତା କୁନ୍ତୀ ଜ୍ୟେଷ୍ଠ ପୁତ୍ର ଧର୍ମରାଜ ଯୁଧିଷ୍ଠିରଙ୍କ ସହିତ ଅନ୍ୟ ଚାରି ଭାଇଙ୍କୁ ଡକାଇ କହିଲେ ଯେ ପୁତ୍ର ଆଉ ତିନି ଦିନ ପରେ ମହାବାରୁଣି ପଡ଼ିବ । ତୁମେମାନେ ଭଲ ଭାବେ ଜାଣିଛ ଯେ ମୁଁ ପ୍ରତ୍ୟେକ ଥର ମହାବାରୁଣି ଯୋଗରେ ଗଙ୍ଗା ସ୍ନାନ କରିଥାଏ । ଆମେ ତ ଏତେ ଦୂରରେ ରହିଛେ ଯେ ମୋତେ ଗଙ୍ଗା ସ୍ନାନ କରିବାରୁ ବଞ୍ଚôତ ହେବାକୁ ପଡ଼ିବ । ଯାହା ମୋ ପାଇଁ ଅତ୍ୟନ୍ତ କଷ୍ଟଦାୟକ । ମାତା କୁନ୍ତୀଙ୍କ କଥା ଶୁଣି ପାଣ୍ଡବ ପାଞ୍ଚଭାଇଙ୍କ ମଧ୍ୟରେ ଦୁଃଖର ଛାୟା ମୁଖମଣ୍ଡଳରେ ସ୍ପଷ୍ଟ ବାରି ହୋଇପଡ଼ୁଥାଏ । ସମସ୍ତେ ଚିନ୍ତା ମଗ୍ନ ଅବସ୍ଥାରେ ବସି ରହିଥାନ୍ତି । କିଛି ସମୟ ଧ୍ୟାନମଗ୍ନ ଅବସ୍ଥାରେ ରହିବା ପରେ ହଠାତ୍ ଦିବ୍ୟଦ୍ରଷ୍ଟା ଓ ସର୍ବଜ୍ଞାତା ସହଦେବ ନୀରବତା ଭଙ୍ଗ କରି ଜ୍ୟେଷ୍ଠ ଭ୍ରାତା ଧର୍ମରାଜ ଯୁଧିଷ୍ଠିରଙ୍କୁ କହିଲେ ଯେ ଭ୍ରାତା ଏଥିରେ ଦୁଃଖିତ ଓ ମି୍ରୟମାଣ ହେବାର କୌଣସି କାରଣ ନାହିଁ । ସେହି ଅମୂଲ୍ୟ ସ୍ଥାନ ନିରୂପଣ କରିବାକୁ ନିଜେ ଯୁଧିଷ୍ଠିର ସହଦେବ ଓ ଅନ୍ୟ ତିନିଭାଇଙ୍କ ସହିତ ସୁବଳୟା ନଦୀରେ କୂଳରେ ପହଞ୍ଚôଲେ । ନିଜେ ସହଦେବ ଉକ୍ତ ସ୍ଥାନଟିକୁ ନିରୂପଣ କଲାପରେ ମହାଧନୁର୍ଦ୍ଧର ଅର୍ଜ୍ଜୁନ ଶବ୍ଦଭେଦୀ ବାଣ ମାରି ଉକ୍ତ ଭୂମିକୁ ବିର୍ଦ୍ଦିନ କରିବାରୁ ଆଶ୍ଚର୍ଯ୍ୟ ଚକିତ କରି ପାତାଳରୁ ଗଙ୍ଗାଙ୍କ ଜଳଧାରା ଉଚ୍ଛୁରିତ ହୋଇ ବାହାରିବାକୁ ଲାଗିଲା । ଆନନ୍ଦ ବିଭୋରିତ ହୋଇ ପଞ୍ଚୁପାଣ୍ଡବମାନେ ସଙ୍ଗେ ସଙ୍ଗେ ମାତା କୁନ୍ତୀ ଓ ଦ୍ରୌପଦୀଙ୍କୁ ମଧ୍ୟ ଡକାଇ ଆଣି ସେହି ସ୍ଥାନରେ ଗଙ୍ଗାଦେବୀଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରି ମହାନନ୍ଦରେ ପ୍ରତ୍ୟାଗମନ କଲେ । ଯେଉଁଦିନ ମହାବାରୁଣି ସ୍ନାନ ଯୋଗ ସେ ଦିନ ସମସ୍ତ ପାଞ୍ଚ ଭାଇ ମାତା କୁନ୍ତୀ ଓ ଦ୍ରୌପଦୀ ଦେବୀ ମଧ୍ୟ ସେଠାରେ ବାରୁଣୀ ସ୍ନାନ କରି ପ୍ରଫୁଲ୍ଲିତ ମନୋଭାବରେ ନିଜ ନିଜର ଡେରାକୁ ଫେରି ଅବସ୍ଥାନ କଲେ । ସେହି ଦ୍ୱାପର ଯୁଗରୁ ସେଠାରେ ପ୍ରତ୍ୟେକ ବର୍ଷ ଚୈତ୍ରମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ବାରୁଣୀ ସ୍ନାନ ବା ବୁଡ଼ ପକାଇଥାନ୍ତି ।
ଏହା ପଞ୍ଚୁପାଣ୍ଡବ ବାରୁଣୀ ବୁଡ଼ ବା ବାରୁଣୀ ତୀର୍ଥ ଯାତ୍ରା ନାମରେ ଖ୍ୟାତି ଅର୍ଜନ କରିଆସୁଅଛି । ଏଠାରେ ପାଠକ ମାନଙ୍କୁ ଅବଗତି କରାଇବା ଉଚିତ ହେବ ଯେ ପଞ୍ଚୁପାଣ୍ଡବ ଗ୍ରାମରେ କୌଣସି ଗ୍ରାମ ମଧ୍ୟ ନାହିଁ । ପାଣ୍ଡବମାନେ ଏହି ସ୍ଥାନରେ କିଛି ଦିନ ଡେରା ପକାଇ ରହି ସେ ସ୍ଥାନରୁ ଚାଲିଯିବା ସମୟରେ ଡେରା ପକାଇଥିବାରୁ ଉକ୍ତ ସ୍ଥାନ ଟିକୁ ଡେରାଡିହ ନାମରେ ନାମିତ କରିଦେଇ ଯାଇଥିଲେ । କାଳକ୍ରମେ ଉକ୍ତ ଗ୍ରାମଟି ଡେରାଡିହ ରାଜସ୍ୱ ଗ୍ରାମ ନାମରେ ନାମିତ ହୋଇଅଛି । ଚଣ୍ଡୀଖୋଲରୁ ପାରାଦ୍ୱୀପ ୨୨ କିଲୋମିଟର ଗଲାପରେ ପଞ୍ଚୁପାଣ୍ଡବ ଛକ ପଡ଼େ । ଉକ୍ତ ଛକଟି ହେଉଛି ଡେରାଡିହ ଗ୍ରାମ । ସେଠାରେ ଯୁଧିଷ୍ଠିର, ଭୀମ, ଅର୍ଜ୍ଜୁନ, ନକୁଳ, ସହଦେବଙ୍କ ସହିତ ମାତା କୁନ୍ତୀ ଓ ଦ୍ରୌପଦୀଙ୍କ ମନ୍ଦିର ରହିଅଛି । ସେହି ତୀର୍ଥକ୍ଷେତ୍ର ଯେଉଁଠି କି ମାତା କୁନ୍ତୀ ବାରୁଣୀ ସ୍ନାନ କରିଥିଲେ । ସେହି ଦ୍ୱାପର ଯୁଗରୁ ପ୍ରତ୍ୟେକ ବର୍ଷ ବାରୁଣୀ ସ୍ନାନ ଯାତ୍ରା ହୋଇ ଆସୁଅଛି । ସେଠାରେ ଶ୍ରଦ୍ଧାଳୁ ଭକ୍ତମାନେ ପବିତ୍ର ବାରୁଣୀ ବୁଡ଼ ପକାଇବା ସଙ୍ଗେ ସଙ୍ଗେ ବିବାହ ସମୟରେ ବରକନ୍ୟାଙ୍କ ମଥାରେ ବନ୍ଧା ଯାଇଥିବା ଦୋଳମୁକୁଟ ଓ ଗଇଁଠାଳ ଇତ୍ୟାଦି ଉକ୍ତ ତୀର୍ଥଜଳରେ ବିସର୍ଜନ କରିଥାନ୍ତି । ବହୁ ସଂଖ୍ୟାରେ ଦୋକାନ ବଜାର ଖୋଲିବା ସହିତ ସାଜସଜ୍ଜାରେ ଆଖି ଝଲସି ଯାଏ । ଆଗେ ଆମ ପିଲାବେଳେ ବାରୁଣୀ ଯାତ୍ରା ଦଶ ଦିନ ପର୍ଯ୍ୟନ୍ତ ଚାଲିଥିଲା ବର୍ତ୍ତମାନ ପାଞ୍ଚ ଦିନ ପର୍ଯ୍ୟନ୍ତ ଉକ୍ତ ଯାତ୍ରା ମହା ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଅଛି । ପ୍ରତ୍ୟେକ ଦିନ ଆଖପାଖ ପାଞ୍ଚଦଶ ଗୋଟି ଗ୍ରାମ ପଞ୍ଚାୟତର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରୁ ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁମାନେ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି ।
ବଟକୃଷ୍ଣ ସାମଲ, କେନ୍ଦ୍ରାପଡ଼ା, ଦୂରଭାଷ : ୯୯୩୭୧୫୩୬୬୯