"ଅନ୍ତ୍ୟୋଦୟ ଗୃହ'ର ଶୁଭାରମ୍ଭ

"ଅନ୍ତ୍ୟୋଦୟ ଗୃହ'ର ଶୁଭାରମ୍ଭ

ଭୁବନେଶ୍ୱର: ୭୦ ଦଶକରୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇବା ଗରିବ ଓ ସାଧାରଣ ଲୋକଙ୍କ ପାଇଁ ବଡ ସମସ୍ୟା ହୋଇ ରହିଛି  । ଆଜି ମଧ୍ୟ ଅନେକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ  । ଏ ସମସ୍ୟାର ସମାଧାନ ହେବ ଏବଂ ସମସ୍ତଙ୍କୁ ପକ୍କା ଘର ମିଳିବ । ଅନ୍ତ୍ୟୋଦୟ ଗୃହ ଯୋଜନାରେ ସବୁଠାରୁ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଘର ଦିଆଯିବ  । ଆଜି କଳାହାଣ୍ଡିର ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ହିନ୍ଦୁ ନବ ବର୍ଷର ଶୁଭେଚ୍ଛା ଜଣାଇ କହିଥିଲେଯେ, ଏହି ଯୋଜନା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ପାଇଁ ସମ୍ମାନର ସହ ବଞ୍ଚିବାକୁ ଆଶା ଓ ଭରସା ଯୋଗାଇଦେବ  । ସେ କହିଥିଲେଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୨୦୧୮ରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେଇ ଏହି ସମସ୍ୟାର ସମାଧାନ ପାଇଁ ଘୋଷଣା କରିଥିଲେ  । ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ସହରୀ ଓ ଗ୍ରାମୀଣ ଆଦି ଯୋଜନା କାର୍ଯ୍ୟକାରୀ ହେଉଛି  । ଏହାକୁ ଆହୁରି ଜୋରଦାର କରାଯାଇ ଓଡିଶାରେ ଆମେ ଆରମ୍ଭ କରିଛୁ ଅନ୍ତ୍ୟୋଦୟ ଗୃହ ଯୋଜନା  । ଏହାଦ୍ୱାରା ସମସ୍ତଙ୍କ ପାଇଁ ଘର ସୁନିଶ୍ଚିତ କରାଯାଇପାରିବ  ।
ଆଜି ପ୍ରଥମ ଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୬୦ ହଜାର ଘର ପାଇଁ କାର୍ଯ୍ୟାଦେଶ ଦିଆଯାଇଛି  । ଆଗାମୀ ୩ ବର୍ଷରେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଘର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି  । ଚଳିତ ବର୍ଷ  ଏହି ଯୋଜନା ପାଇଁ ୨୬ ଶହ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଥିବା ବେଳେ ଆଗାମୀ ୩ ବର୍ଷରେ ଏଥିପାଇଁ ୭୫୫୦ କୋଟି ଟଙ୍କା ବିନିଯୋଗ କରାଯିବ  । ସୂଚନାଯୋଗ୍ୟଯେ, ବିଜୁ ପକ୍କା ଘର ଯୋଜନାରେ ୧୦ ବର୍ଷରେ ବହୁତ କମ ଘର ନିର୍ମାଣ ହୋଇଛି  । ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବା ସହିତ ଏଥିରେ ଅନ୍ୟାନ୍ୟ ଯୋଜନାର ସମନ୍ୱୟ କରାଯାଇ ବିଭିନ୍ନ ଆବଶ୍ୟକୀୟ ସୁବିଧା ଦିଆଯିବ  । ସ୍ୱଚ୍ଛ ଭାରତ ମିଶନରୁ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରୁ ରନ୍ଧନ ଗ୍ୟାସ, ଜଳ ଜୀବନ ମିଶନରୁ ସ୍ୱଚ୍ଛ ପାନୀୟ ଜଳ, ସୌଭାଗ୍ୟ ଯୋଜନାରୁ ବିଦୁ୍ୟତ ସଂଯୋଗ ଆଦି ଯୋଗାଇ ଦିଆଯିବ  । ଜୀବନଯାପନ ପାଇଁ ସବୁ ଆବଶ୍ୟକୀୟ ସୁବିଧା ଦିଆଯିବ  । କେବଳ ସେତିକି ନୁହେଁ, ଏହି ଯୋଜନାରେ ହିତାଧିକାରୀମାନଙ୍କୁ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୯୦ରୁ ୯୫ ଦିନ ପର୍ଯ୍ୟନ୍ତ ଅଣକୁଶଳୀ ଶ୍ରମିକ ଭାବରେ ପାରିଶ୍ରମିକ ସହ କାମ ଯୋଗାଇ ଦିଆଯିବ  । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଏହି ଯୋଜନାରେ ସମାଜରେ ସବୁଠାରୁ ଅଧିକ ଗରିବ ଓ ଅସହାୟ ଲୋକମାନେ ଉପକୃତ ହେବେ  । ଭିନ୍ନକ୍ଷମ, ବିଧବା, କର୍କଟ ଭଳି ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡିତ ପରିବାର, ଶହୀଦ ପରିବାର, ଘରପୋଡି, ହାତୀ ଉପଦ୍ରବ ତଥା ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟରେ ଭୀଷଣ ଭାବେ ପ୍ରଭାବିତ ହୋଇଥିବା ପରିବାରଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ମଞ୍ଜୁର କରାଯିବ  । ଏହା ସହିତ କର୍କଟ, କୁଷ୍ଠ, କିଡନୀ ରୋଗ, ଲିଭର ସିରୋସିସ, ଥାଲାସେମିଆ ଅଥବା ଏଚଆଇଭି ପରି ଦୁରାବ୍ୟାଧିରେ ପୀଡିତ ପରିବାର ଏବଂ ଅନାଥ, ନିରାଶ୍ରୟଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ତୁରନ୍ତ ଗୃହ ଯୋଗାଇ ଦିଆଯିବା ସହ ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ, ମୁକ୍ତ ଗୋତି ଶ୍ରମିକ, ଜାତୀୟ ଏବଂ ଆନ୍ତର୍ଜାତୀୟସ୍ତରର କ୍ରୀଡାବିତ୍ମାନେ ମଧ୍ୟ ଏହି ଯୋଜନାରେ ଉପକୃତ ହୋଇପାରିବେ  । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଅଧିକ ଲୋକଙ୍କୁ ଘର ଦେବା ପାଇଁ ଏହି ଯୋଜନାରେ ‘ପରିବାର’ ଓ ‘ପକ୍କାଘର’ର ସଂଜ୍ଞାକୁ ମଧ୍ୟ ସରଳ କରାଯାଇଛି  । ଆଜବେସଟସ୍, ଟିଣ ଓ ଟାଇଲ ଛାତଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି  ।  ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ହୋଇଥିବା ଅଗ୍ରଗତି ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଏହି ଯୋଜନାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷରୁ ଅଧିକ ଘର ନିର୍ମାଣ ହୋଇସାରିଥିବା ବେଳେ ୪ ଲକ୍ଷ ଘର ନିର୍ମାଣାଧିନ ଅଛି  । ଏହାସହିତ ଜାନୁଆରୀ ୨୪ରୁ ସର୍ଭେ ଆରମ୍ଭ ହେଇ ଏଥିରେ ଆହୁରି ୨୬ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଘର ଯୋଗାଇଦେବା ପାଇଁ ତାଲିକାଭୁକ୍ତ କରାଯାଇଛି  । ମୁଖ୍ୟମନ୍ତ୍ରୀ କହିଥିଲେଯେ, ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ ରାଜ୍ୟ ଯୋଜନାରେ ସମସ୍ତଙ୍କୁ ଘର ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି  । ଅନ୍ତ୍ୟୋଦୟ ଗୃହ ଯୋଜନା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ପିଏମ୍ ଜନମନ ଓ ଅନ୍ୟାନ୍ୟ ସରକାରୀ ଗ୍ରାମୀଣ ଗୃହ ଯୋଜନାରେ ଯେଉଁ ହିତାଧିକାରୀମାନେ ପ୍ରଥମ କିସ୍ତି ପାଇବାର ୪ ମାସ ମଧ୍ୟରେ ଘର ନିର୍ମାଣ ସମ୍ପୂର୍ଣ୍ଣ କରୁଛନ୍ତି ସେମାନଙ୍କୁ ୨୦ ହଜାର ଟଙ୍କା ଏବଂ ୬ ମାସରେ ଘର ସମ୍ପୂର୍ଣ୍ଣ କଲେ ୧୦ ହଜାର ଟଙ୍କାର ପ୍ରୋସôାହନ ରାଶି ମଧ୍ୟ ଦିଆଯାଉଛି  । କଳାହାଣ୍ଡି ଅଞ୍ଚଳବାସୀଙ୍କ ଦାବି ଅନୁଯାୟୀ ଇନ୍ଦ୍ରାବତୀ ବହୁମୁଖୀ ଜଳ ପ୍ରକଳ୍ପର ବାମ ପାର୍ଶ୍ୱ କେନାଲର କଂକ୍ରିଟ୍ ଲାଇନିଂ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ  । ଭବିଷ୍ୟତରେ ଆଉ ଯେପରି କେହି ଦାନ ମାଝୀ ପରି ଅବହେଳାର ଶିକାର ନ ହୁଅନ୍ତି, ସେଥିପାଇଁ ଆମ ସରକାର ୧୦୯ ଆମ୍ବୁଲାନ୍ସ ବ୍ୟବସ୍ଥା ଆରମ୍ଭ କରିଛନ୍ତି  । ଆମ ସରକାର ହେଉଛି ଲୋକଙ୍କ ସରକାର । ଆଗାମୀ ଦିନରେ ସରକାର ଯିବେ ଲୋକଙ୍କ ପାଖକୁ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଭବାନୀପାଟଣାରେ ହେବ ଓ ସମ୍ବଲପୁରରେ ମଧ୍ୟ ହେବ ବୋଲି ସେ କହିଥିଲେ  । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗର ୧୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ  । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାରେ ୬୧୭.୫୧ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ  । ୨୨୩.୬୬ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ ୩୯୩.୮୫ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି  । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଥିଲେଯେ, ଗାଁରେ ରହୁଥିବା ଲୋକଙ୍କର ଦୀର୍ଘଦିନର ସମସ୍ୟା ସବୁ ରହିଥିଲା  । ସେମାନଙ୍କ ସମସ୍ୟା ଦୂର କରିବା ପାଇଁ ଆମେ ସମସ୍ତେ କାର୍ଯ୍ୟରତ ଅଛୁ  । ଗରିବ ଲୋକଙ୍କ ପ୍ରତି ଅବହେଳା କଲେ ସରକାରୀ କର୍ମଚାରୀମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ  । କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଓ କଳାହାଣ୍ଡି ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ  । ଆଭାଷୀ ଜରିଆରେ ସମସ୍ତ ୩୦ ଜିଲ୍ଲାର ସଦର ମହକୁମାରୁ ସାଂସଦ, ମନ୍ତ୍ରୀ, ବିଧାୟକଗଣ, ଏବଂ ସମସ୍ତ ୩୧୪ ବ୍ଲକରୁ ପଞ୍ଚାୟତିରାଜ ସଦସ୍ୟଗଣ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ  । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଗିରୀଶ ଏସ୍. ଏନ୍ ସ୍ୱାଗତ ଭାଷଣ ଦେଇଥିଲେ  । କଳାହାଣ୍ଡି ଜିଲ୍ଲାପାଳ ସଚ୍ଚିନ ପାୱାର ଧନ୍ୟବାଦ ଅର୍ପଣ କରିଥିଲେ  ।