ଲୁଟେରା ଜେଲରେ ଚକି ପେଶିବେ:ମୋଦୀ
ଭୁବନେଶ୍ୱର: ବିଜେଡି ଉପରେ ଆପଣମାନେ ୨୫ ବର୍ଷ ଭରସା କଲେ । ବିଜେଡି ସବୁ କ୍ଷେତ୍ରରେ ଆପଣଙ୍କ ଭରସା ଭାଙ୍ଗିଲା । ବିଜେଡି ଆଦିବାସୀଙ୍କ ଜମି ହଡ଼ପ ପାଇଁ ଆଇନ ଆଣିଥିଲା । ବିଜେପି ଚାପରେ ପଡ଼ି ବିଜେଡି ଉକ୍ତ ଆଇନ ପ୍ରତ୍ୟାହାର କରିଥିଲା । ଏଥର ମୌକା ମିଳିଲେ ବିଜେଡି ଆପଣଙ୍କ ଜମି ହଡ଼ପ କରିବା ପାଇଁ ମୌକା ଛାଡ଼ିବନାହିଁ । ଡିଏମଏଫରେ ହଜାର ହଜାର କୋଟି ଦେଇଛୁ । ବିଜେଡି ସେଥିରେ ଘୋଟାଲା କଲା । ଲୁଟ ମାଲ ବିଦେଶକୁ ଯାଇଥିବା ବି ଚର୍ଚ୍ଚା ହେଉଛି । ଲୁଟ ମାଲ ଗୋଟି ଗୋଟି କରି ଆଦାୟ ହେବ । ଏ ହେଉଛି ମୋଦୀ ଗ୍ୟାରେଣ୍ଟି । ଯିଏ ଲୁଟିଛନ୍ତି ତାଙ୍କ ଠାରୁ ସବୁ ଅର୍ଥ ଆଦାୟ ହେବ । ଜନତାଙ୍କ ଲୁଟେରା ସାରା ଜୀବନ ଜେଲରେ ରହିବେ । ଜନତାଙ୍କ ଲୁଟେରା ପ୍ରତି କୌଣସି ସାଲିକ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ମୋଦୀ ଓଡ଼ିଶା ଗସ୍ତରେ ଆସି ବାରିପଦାର ଛଉପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବା ଅବସରରେ ଏହା କହିଛନ୍ତି । ତେବେ ଏହି ଅବସରରେ ସେ କ’ଣ କହିଲେ ଆସନ୍ତୁ ଜାଣିବା ।
ସେ କହିଛନ୍ତି ଯେ ଆଜି ଓଡ଼ିଶାରେ ମୋର ନିର୍ବାଚନ ପ୍ରଚାରର ଶେଷ ଦିନ । ବେଙ୍ଗଲ, ଝାଡ଼ଖଣ୍ଡ ବା ଓଡ଼ିଶାରେ ଯୁଆଡେ଼ ଯାଉଛି ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳୁଛି । ତୃତୀୟ ଥର ମଜଭୁତ ମୋଦୀ ସରକାର ଗଠନ ହେବା ନିଶ୍ଚିତ ହୋଇଛି । ପୂର୍ଣ୍ଣ ବହୁମତ ସରକାର ପାଇଁ ଦେଶ ନିର୍ଣ୍ଣୟ ନେଇସାରିଛି । ମୋଦୀ ଆଜି ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦେଉଛି ।
ଆସନ୍ତା ୫ ବର୍ଷ ଏମିତି ଲୋକଙ୍କୁ ମାଗଣା ରାସନ ମିଳିବ । ଆସନ୍ତା ୫ ବର୍ଷ ଭାରତର ବିକାଶ ପାଇଁ ଅଭୂତପୂର୍ବ ଉପଲବ୍ଧି ଦେବ । ଭାରତ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥଶକ୍ତି ହେବାକୁ ଯାଉଛି ।
ବିଜେଡିର ୨୫ ବର୍ଷ ଶାସନରେ ଫୁଲଷ୍ଟପ ଲାଗାଇବାକୁ ଓଡ଼ିଶା ଏବେ ପ୍ରସ୍ତୁତ । ଜୁନ ୧୦ରେ ବିଜେପିର ଓଡ଼ିଶା ମୁଖ୍ୟମନ୍ତ୍ରୀ ଶପଥ ନେବେ । ଆଜି ଓଡ଼ିଶା କହୁଛି- ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ହେବେ । ଆଜି ଓଡ଼ିଶା କହୁଛି-ଦୁଇ ଥର ପଦ୍ମ, ଦୁଇଗୁଣ ବିକାଶ । ଓଡ଼ିଶା ଲୋକ ଚାହାନ୍ତି ମୋଦୀ ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ମୟୂରଭଞ୍ଜ ମାଟି ନାରୀ ଶସକ୍ତୀକରଣର ପ୍ରମୁଖ ସ୍ଥଳ । ମୟୂରଭଞ୍ଜରେ ଦେବୀ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣନ୍ତି । ଆଜି ମୟୂରଭଞ୍ଜର ଝିଅ ଦେଶର ରାଷ୍ଟ୍ରପତି ହୋଇଛନ୍ତି । ବିଜେପି ସରକାର ଆଦିବାସୀଙ୍କ କଲ୍ୟାଣ ପାଇଁ ସମର୍ପିତ । ବିଜେପି ଶାନ୍ତାଳି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିଥିଲା । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ବଡ଼ ସହଯୋଗ ମିଳିବ ।
ଏହାଛଡ଼ା ମୋଦୀ କହିଛନ୍ତି ଯେ ବିଜେପି ସରକାର ଆପଣଙ୍କ ବିଜୁଳି ବିଲ ଶୂନ କରିବ । ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବା କ୍ଷଣି ଧାନ କୁ୍ୟଣ୍ଟାଲ ୩୧ଶହ ହେବ ।
ବାରିପଦା ଛଉପଡ଼ିଆ ମୋଦୀ ଏକ ବଡ଼ ଘୋଷଣା କରିଛନ୍ତି । ନବୀନଙ୍କ ଅଚାନକ ସ୍ୱାସ୍ଥ୍ୟ ଖରାପର ଯାଞ୍ଚ ହେବ ବୋଲି ମୋଦୀ କହିଛନ୍ତି । ସେ କହିଛନ୍ତି ଯେ ଗତ ବର୍ଷକ ଭିତରେ ନବୀନଙ୍କ ସ୍ୱାସ୍ଥ୍ୟ ଏତେ ଖରାପ କେମିତି ହେଲା । ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ବି ହୋଇପାରେ ବୋଲି କହୁଛନ୍ତି । ନବୀନଙ୍କ ଅଚାନକ ସ୍ୱାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ଅଛି କି? ଏହା ଜାଣିବାର ଅଧିକ ସାରା ଓଡ଼ିଶାବାସୀଙ୍କ ଅଛି । ନବୀନଙ୍କ ନାମରେ କ୍ଷମତା ଉପଭୋଗ କରୁଥିବା ଲୋକଙ୍କ ହାତ ଅଛି କି ? ଏହା ଉପରୁ ପରଦା ହଟିବାର ଆବଶ୍ୟକତା ଅଛି । ବିଜେପି ସରକାର ଆସିଲେ ଏନେଇ ସ୍ୱତନ୍ତ୍ର କମିଟି ଗଠନ କରାଯିବ । ନବୀନଙ୍କ ଅଚାନକ ସ୍ୱାସ୍ଥ୍ୟ ଖରାପର ଯାଞ୍ଚ କରାଯିବ ବୋଲି ମୋଦୀ କହିଛନ୍ତି ।