ପ୍ରସନ୍ନଙ୍କ ପ୍ରଶ୍ନବାଣରେ ପାଣ୍ଡିଆନ୍ ଘାଇଲା
prasanna patasani

ଉତ୍ତର ଦେବାକୁ ସାହାସ ଅଛି କି ?
।। ପ୍ରଭାନ୍ୟୁଜ୍ ।। ଭୁବନେଶ୍ୱର : ବିଜୁବାବୁଙ୍କୁ ଭାରତ ରତ୍ନ ଦେବା ପାଇଁ ମୁଁ ସଂସଦରେ ଦାବି କଲି । ପାଣ୍ଡିଆନ୍ ରାଗିକି ଫୋନ୍ କଲେ, ଏମିତି ନକହିବାକୁ ତାଗିଦ୍ କଲେ । ଗୀତା ମେହେଟ୍ଟାଙ୍କୁ ରାଜ୍ୟସଭା ପଠାଇବାକୁ କହୁଥିଲି । ପାଣ୍ଡିଆନ୍ ଫୋନ୍ କରି ତାଗିଦ୍ କଲେ । ଠାକୁରଙ୍କୁ ଅନେଇ କହୁଛି, ମୁଁ ସତ କହୁଛି । ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କ ଏହି ବିସ୍ଫୋରକ ମନ୍ତବ୍ୟ ଏବେ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି । ହେଲେ ବାବାଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ପାଣ୍ଡିଆନଙ୍କର ସାହାସ ଅଛି ତ ? ସେ ନିଜେ ଗଣମାଧ୍ୟମକୁ ଆସି ଏହାକୁ ଖଣ୍ଡନ କରିପାରିବେ ତ ? ନାଁ ନିଜ ଚେଲାଚାମୁଣ୍ଡାଙ୍କ ଜରିଆରେ ବାବାଙ୍କ ଗୋହି ଖୋଳିବେ ? ଏବେ ଏହି ପ୍ରଶ୍ନ ରାଜନୀତିକ ଅଳିନ୍ଦରେ ଘୂରିବୁଲୁଛି ।
ପ୍ରସନ୍ନ ପାଟ୍ଟଶାଣୀ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ପାଣ୍ଡିଆନଙ୍କ ଗୋହି ଖୋଳିଛନ୍ତି । ସେ କହିଥିଲେଯେ, ଦିନେ ସେ ସଂସଦରେ ବିଜୁବାବୁଙ୍କୁ ଭାରତ ରତ୍ନ ଦେବାକୁ ଦାବି ଉପସ୍ଥାପନ କରିଥିଲେ । ହେଲେ ପାଣ୍ଡିଆନ୍ ମୋତେ ଫୋନ୍ କରି ତାଗିଦ୍ କଲେ । ତୁମେ କାହିଁକି ଏକଥା ଉଠାଇଲ ବୋଲି ପଚାରିଲେ । ସେହିପରି ଗୀତା ମେହେଟ୍ଟା, ବିଜୁବାବୁଙ୍କ ଝିଅ । ଜଣେ ଓଡ଼ିଆ ଲେଖିକା ଭାବେ ତାଙ୍କର ସୁନାମ ରହିଛି । ତାଙ୍କୁ ରାଜ୍ୟସଭା ପଠାଯାଉ ବୋଲି କହିଲି । ପୁଣି ପାଣ୍ଡିଆନ୍ ତାଗିଦ୍ କଲେ । ସେ ବିଜୁବାବୁ ଭାରତ ରତ୍ନ ପାଆନ୍ତୁ ବୋଲି ଚାହୁଁନଥିଲେ ।
ପାଣ୍ଡିଆନଙ୍କୁ ନବୀନଙ୍କ କ୍ଳିନଚିଟ୍ ପ୍ରସଙ୍ଗରେ ପାଟ୍ଟଶାଣୀ କହିଲେଯେ, ଦିନେ ନବୀନ ଦୋଷୀକୁ ତୁରନ୍ତ ଦଣ୍ଡ ଦେଉଥିଲେ । ଏମିତି ଅନେକ ନେତା ଓ ଖୋଦ୍ ପ୍ୟାରୀବାବୁଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ହେଲେ ପାଣ୍ଡିଆନଙ୍କ ବେଳକୁ ଏମିତି କାହିଁକି କରୁଛନ୍ତି । ନବୀନ ଆଉ ପୁରୁଣା ନବୀନ ହୋଇନାହାନ୍ତି । ପାଣ୍ଡିଆନଙ୍କୁ କ୍ଳିନଚିଟ୍ ଦେଇ ସେ ଭୁଲ କାମ କରିଛନ୍ତି । ସେହିପରି ବିଜେଡ଼ି ପାଇଁ ଆମେ କଷ୍ଟ କଲୁ । ପରିଶ୍ରମ ଆମର ହେଲେ ଫାଇଦା ପାଣ୍ଡିଆନଙ୍କର । ବିଜୁବାବୁଙ୍କ ଅମଳରୁ ଦଳ ପାଇଁ କାମ କରୁଥିବା ଅନେକ ନେତାଙ୍କୁ ସେ ତଡ଼ି ଦେଇଛନ୍ତି । ପ୍ୟାରୀ ଓ ପାଣ୍ଡିଆନଙ୍କ ମଧ୍ୟରେ ବହୁ ଫରକ ରହିଛି । ପ୍ୟାରୀବାବୁ ବିଧାୟକ ଓ ଅନ୍ୟ ନେତାଙ୍କ ସହ ଭଲ ସମ୍ପର୍କ ରଖୁଥିଲେ । ଭଗବାନ ସବୁ ସହନ୍ତି ହେଲେ ଗର୍ବ ସହନ୍ତି ନାହିଁ । ଯାହାର ପ୍ରତିଫଳନ ନିର୍ବାଚନରେ ଦେଖିବାକୁ ମିଳିଛି ବୋଲି ପାଟ୍ଟଶାଣୀ କହିଛନ୍ତି ।
ନିକଟରେ ମଧ୍ୟ ପାଟ୍ଟଶାଣୀ ବିସ୍ଫୋରକ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେଯେ, ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡ଼ି ଛାଡ଼ିଥିଲି । ତାଙ୍କରି ପାଇଁ ଏକ ଲୋକପ୍ରିୟ ସରକାର କ୍ଷମତାରୁ ଚାଲିଗଲା । ଲୋକେ ଥରେ ପ୍ରତ୍ୟାଖ୍ୟାନ କରିଥିବା ଦଳକୁ ପୁଣି କ୍ଷମତା ଦେବେବୋଲି କି ଗ୍ୟାରେଣ୍ଟି ରହିଛି । ଯେ ପର୍ଯ୍ୟନ୍ତ ପାଣ୍ଡିଆନ୍ ବିଜେଡ଼ିରେ ଥିବେ ସେପର୍ଯ୍ୟନ୍ତ ବିଜେଡ଼ି କ୍ଷମତାକୁ ଆସିପାରିବ ନାହିଁ ବୋଲି ସେ କହିଛନ୍ତି ।