ଅସହ୍ୟ ହେଲାଣି ବୁଗୁଡ଼ା ଏନ୍ଏସିର ଦୁର୍ଗନ୍ଧ

 ବୁଗୁଡ଼ା : ସଂପ୍ରତି ବୁଗୁଡ଼ା ଏନ୍ଏସି ଦୁର୍ଗନ୍ଧକୁ ନେଇ ସର୍ବସାଧାରଣରେ ସମାଲୋଚନାର ହକଦାର ପାଲଟିଛି  । ଏନ୍ଏସି ମଧ୍ୟରେ ମୁକ୍ତାକାଶ ପରିସ୍ରା ସ୍ଥଳ ଯୋଗୁଁ ପଞ୍ଚାଗଳି, ବସଷ୍ଟାଣ୍ଡ ପଛପଟ, ମେଡିକାଲର ଆଗପଟ, ପଶୁ ଚିକିସôାଳୟ ପରିସର ଆଦି ଭଳି ଆହୁରି ଅନେକ ଦୁର୍ଗନ୍ଧ ସ୍ଥଳ ରହିଥିବା ବେଳେ, ପରିବା ବଜାର ସମ୍ମୁଖସ୍ଥ ଆବର୍ଜନା ଜମାସ୍ଥଳ ଦୁର୍ଗନ୍ଧରେ ସବୁଠାରୁ ଆଗରେ ରହି ଚର୍ଚ୍ଚାର ପରିସରକୁ ଆସିଯାଇଛି  । ସେଠାରେ ପରିବା ବଜାର ଆବର୍ଜନା ପକାଇବା ପାଇଁ କୁଣ୍ଡ ହୋଇଛି ଏବଂ ସେଥିରେ ଜୈବିକ ଆବର୍ଜନା ମଧ୍ୟ ଗଦା ହେଉଛି । ତେବେ ଏନ୍ଏସି ପ୍ରଶାସନର ଅବହେଳା କାରଣରୁ ତାହାକୁ ନିୟମିତ ସଫା କରାଯାଉ ନ ଥିବାରୁ  ସେଠାରେ ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଫଳରେ ସେହି ପାଖ ଦେଇ ଯିବାବେଳେ, ଲୋକଙ୍କୁ ଅଣନିଶ୍ୱାସୀ ହେବାକୁ ପଡୁଛି । ଅନ୍ୟପକ୍ଷରେ ମୁଖ୍ୟ ସଡକକୁ ସଂଯୋଗ କରୁଥିବା ବାଲିପିଣ୍ଡି ରାସ୍ତାକୁ କିଛି ଅମାନିଆ ବେପାରୀ ଅକ୍ତିଆର କରି ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବାରୁ ଲୋକେ ସେହି ରାସ୍ତାରେ ନ ଯାଇପାରି ଏହି ନାକ ଫଟା ଦୁର୍ଗନ୍ଧ ସ୍ଥଳ ଦେଇ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି । ଏନେଇ ଏନ୍ଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ  । ଏଣୁ ଉଚ୍ଚ କର୍ତ୍ତୃପକ୍ଷ ଏହି ଅବ୍ୟସ୍ଥାର ସ୍ଥାୟୀ ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି  ।