ପୋଖରୀରେ ବୁଡ଼ି ୨ ମହିଳା ମୃତ 

 ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମ ବଡବନ୍ଧ ପୋଖରୀ ପାଣିରେ ବୁଡି ୨ ଜଣ ଭିନ୍ନକ୍ଷମ ମହିଳାଙ୍କ ମୃତୁ୍ୟ ଘଟିଛି । ମୃତ ମହିଳା ମାନେ ହେଲେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ କୁମ୍ଭାର ସାହିର ଯୋଗିନ୍ଦ୍ର ଡାକୁଆଙ୍କ ଝିଅ ସ୍ୱପ୍ନା ଡାକୁଆ (୩୦) ଓ ରଞ୍ଜନ ସ୍ୱାଇଁଙ୍କ ଝିଅ ଜ୍ୟୋତି ସ୍ୱାଇଁ (୧୯)  । ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ବୁଧବାର ଅପରାହ୍ନରେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ କୁମ୍ଭାର ସାହିର ସ୍ୱପ୍ନା ଓ ଜ୍ୟୋତି ସାଥି ହୋଇ ଗ୍ରାମ ବଡବନ୍ଧ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଦୀର୍ଘ ସମୟଧରି ମହିଳା ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇନଥିଲେ । ସନ୍ଧ୍ୟାରେ ଗ୍ରାମର କିଛି ମହିଳା ସଂପୃକ୍ତ ପୋଖରୀରେ ସ୍ନାନ କରୁଥିବା ବେଳେ ପୋଖରୀ ପାଣିରେ ୨ ମହିଳା ଭାସୁଥିବା ଦେଖିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ ।  ଖବର ପାଇ ଗ୍ରାମର କିଛି ଲୋକେ ପୋଖରୀକୁ ଯାଇ ଭାସୁଥିବା ୨ ଭିନ୍ନକ୍ଷମ ମହିଳାଙ୍କୁ ଉଦ୍ଧାର କରିଥିଲେ । ଘଟଣାର ଖବର ପାଇ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି, ଏସଆଇ ସୁରେଶ କୁମାର ସାହୁ ଓ ଏଏସଆଇ ଅନନ୍ତ ଶବର ଓ ପୁଲିସ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ୨ ମହିଳାଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସଂପୃକ୍ତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ପୋଖରୀ ପାଣିରେ ସ୍ନାନ କରୁଥିବା ବେଳେ ଅସାବଧାନତା ବଶତଃ ଗୋଡ ଖସି ମହିଳାଙ୍କ ମୃତୁ୍ୟ ଘଟିଥିବା ପୁଲିସ ଅନୁମାନ କରୁଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୮/୨୫ ଓ ୯/୨୫ ରେ ୨ ଟି ପୃଥକ ଅପମୃତୁ୍ୟ ମାମଲା ରୁଜୁ କରିଛି । ଗୁରୁବାର ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଘଟଣା ପରଠାରୁ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।