ପଞ୍ଜାବରୁ ଆସିବ ଆଳୁ:ମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମବଙ୍ଗର ଦାଦାଗିରି ପାଇଁ ଏବେ ଓଡ଼ିଶାରେ ଆଳୁ ଦର ବଢ଼ିଛି । ଅନ୍ୟ ଉପାୟ ନପାଇ ରାଜ୍ୟ ସରକାର ଏବେ ଉତ୍ତରପ୍ରଦେଶରୁ ଆଳୁ ଆଣି ବଜାରକୁ ଛାଡ଼ିଛନ୍ତି । ତଥାପି ଉତ୍ତରପ୍ରଦେଶ ଆଳୁ ବଜାର ଚାହିଦା ମେଣ୍ଟାଇ ପାରୁନି । ଏହାରି ଭିତରେ ଦରକାର ପଡ଼ିଲେ ରାଜ୍ୟ ସରକାର ପଞ୍ଜାବରୁ ଆଣିପାରନ୍ତି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି । 

ସେ କହିଛନ୍ତି ଯେ ଏବେ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଅଣାଯାଉଛି । ଉତ୍ତରପ୍ରଦେଶ ଆଳୁ ଶୀଘ୍ର ପଚିବା କଥା ମିଛ । ଓଡ଼ିଶାରେ ୟୁପି ଆଳୁ ବି୍ରକି ହେଲାଣି, କ୍ୱାଲିଟି ବହୁତ ଭଲ । ପଶ୍ଚିମବଙ୍ଗର ବ୍ଲାକମେଲର ଶିକାର ନହୋଇ ଆମେ ସ୍ୱାଭିମାନକୁ ଦେଖିଲୁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । 

ପ୍ରକାଶ ଯେ  ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣିବା ବ୍ୟବସ୍ଥା କରାଯିବା ସଂକ୍ରାନ୍ତରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ବିଭାଗୀୟ ବରିଷ୍ଠ ଅଧିକାରୀ, ଓଡ଼ିଶା ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ଏବଂ ବିଭିନ୍ନ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଆଳୁ ଆଣିବା ନିମନ୍ତେ ଉତ୍ତରପ୍ରଦେଶ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହ ରାଜ୍ୟର ଏକ ପ୍ରତିନିଧି ମଣ୍ଡଳି ଖୁବଶୀଘ୍ର ଉତ୍ତରପ୍ରଦେଶ ଗସ୍ତ କରିବ । ଓଡ଼ିଶାର ଅସ୍ମିତା ରକ୍ଷା ସହ ପଡ଼ୋଶୀ ରାଜ୍ୟ ଉପରେ ଆଳୁ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଆଳୁ ସହ ଅନ୍ୟାନ୍ୟ ସାମଗ୍ରୀ ଉତ୍ପାଦନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶା ବ୍ୟବସାୟୀ ଏବଂ ବିଭିନ୍ନ ସଂଘର ଅନୁରୋଧକୁ ରକ୍ଷା କରି ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି ।