ଆଳୁ, ଅଡୁଆ ଓ ରାଜନୀତି

ଆଳୁ, ଅଡୁଆ ଓ ରାଜନୀତି


ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆସିବା ବନ୍ଦ ହେବା ପରେ ଏବଂ ନାନା ଘନଘଟା ପରେ ଏହା ଏବେ ରାଜନୀତିକ ମୋଡ଼ ନେଉଛି । ଭାରତ ହେଉଛି ଏକ ସଂଘୀୟ ବ୍ୟବସ୍ଥାର ଗଣତନ୍ତ୍ର । ଏଠାରେ ରାଜ୍ୟ ରାଜ୍ୟ ମଧ୍ୟରେ ସହଯୋଗ ରହିବା ନିହାତି ଆବଶ୍ୟକ । କୌଣସି ରାଜ୍ୟ ନିଜକୁ ଏକ ସ୍ୱାଧୀନ ରାଷ୍ଟ୍ର ବୋଲି ଭାବିବା ଅନୁଚିତ୍ । ଦେଶର ଦୁଇଟି ରାଜ୍ୟ ମଧ୍ୟରେ ଥିବା ସମ୍ପର୍କ ଦୁଇଟି ପଡ଼ୋଶୀ ରାଷ୍ଟ୍ର ଭଳି କୁଟନୀତିକ ସମ୍ପର୍କରେ ବନ୍ଧା ନୁହଁନ୍ତି । ଦୁଇଟି ପଡ଼ୋଶୀ ରାଷ୍ଟ୍ର ପରସ୍ପରର ଶତ୍ରୁ ହୋଇପାରନ୍ତି, ମାତ୍ର ନିଜ ଦେଶର ଦୁଇଟି ରାଜ୍ୟ ପରସ୍ପରର ଶତ୍ରୁ ହେବା ଘୋର ପରିତାପର ବିଷୟ । ବର୍ତ୍ତମାନ ଓଡିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ସେହିଭଳି ହେବାକୁ ଯାଉଛି । ଭାରତର ସଂଘୀୟ ବ୍ୟବସ୍ଥା ପ୍ରତି ଏହା ଏକ ଶକ୍ତ ଧକ୍କା ସଦୃଶ । କିଛି ଦିନ ହେଲା ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆସିବା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ଫଳରେ ଓଡ଼ିଶାରେ ଆଳୁ ଦର ୨୦ରୁ ୨୫ ଟଙ୍କାରୁ ବଢ଼ି ବଢ଼ି ଆସି ସର୍ବନିମ୍ନ ୬୦ ଟଙ୍କା ଏବଂ ସ୍ଥାନ ବିଶେଷରେ ୭୦ ଟଙ୍କା ଯାଏଁ ହେଲାଣି । ଏଭଳି ଏକ ଦରଦାମ୍ ବୃଦ୍ଧି ଆଳୁର ଅଭାବ ଯୋଗୁଁ ହେଉଛି । 
ଏ କ୍ଷେତ୍ରରେ ଆଳୁର ଅଭାବ ଏକମାତ୍ର କାରଣ ନୁହେଁ । ଖାଉଟି ବଜାରରେ କୌଣସି ଏକ ଦ୍ରବ୍ୟ କ୍ରମଶଃ କମି କମି ଆସିଲେ ଏହାର ଦର ବୃଦ୍ଧିର କୌଣସି କାରଣ ନାହିଁ; ବରଂ ଏକଥା କୁହାଯାଇପାରିବ ଯେ ଖାଉଟି ଦ୍ରବ୍ୟ କମି ଆସୁଥିବା ବେଳେ ବ୍ୟବସାୟୀମାନେ ମନଇଚ୍ଛା ଦର ବଢ଼ାଇ ଦିଅନ୍ତି । ତେଣୁ ବ୍ୟବସାୟୀମାନଙ୍କର ମନଇଚ୍ଛା ଦର ବୃଦ୍ଧି କରିବା ମୂଳରେ କୌଣସି ଯୁକ୍ତି ନାହିଁ । ଏବେ ମୂଳ କଥାଟିକୁ ଦେଖିବାକୁ ଗଲେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଆସିବା କ୍ଷେତ୍ରରେ ଜାଣିଶୁଣି ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି । ପଶ୍ଚିମବଙ୍ଗର ଶୀତଳଭଣ୍ଡାରରୁ ଓଡ଼ିଶାକୁ ଆସୁଥିବା ଆଳୁ ଓଡ଼ିଶା ସୀମା ପୂର୍ବରୁ ଅଟିକ ରହୁଛି । ସେଠାରେ ପଶ୍ଚିମବଙ୍ଗର ପୁଲିସ୍ ବିଭାଗ ଗାଡ଼ି ଗୁଡ଼ିକୁ ଓଡ଼ିଶା ଭିତରକୁ ପ୍ରବେଶ କରାଇ ଦେଉନାହିଁ ବୋଲି ଅଭିଯୋଗ ଆସୁଛି । ଯଦି ଏସବୁ ଅଭିଯୋଗ ସତ୍ୟ ହୁଏ ତେବେ ଏକଥା କୁହାଯାଇପାରିବ ଯେ ସରକାରୀ ଭାବରେ ପଶ୍ଚିମବଙ୍ଗ ଓଡିଶାକୁ ଆଳୁ ଦେବାକୁ ପ୍ରସ୍ତୁତ ନୁହେଁ । ଏ କ୍ଷେତ୍ରରେ ପଶ୍ଚିମବଙ୍ଗ ଭାବୁଛି ଯେ ଦୁଇ ରାଜ୍ୟ ମଧ୍ୟରେ ବଜାର ସମ୍ପର୍କ ପଶ୍ଚିମବଙ୍ଗର ଏକଚାଟିଆ ଅଧିକାରଭୁକ୍ତ, ଯାହାକି କୌଣସି ମତେ ମଧ୍ୟ ଗ୍ରହଣୀୟ ନୁହେଁ । 
ପଶ୍ଚିମବଙ୍ଗ ସୀମା ଭିତରେ ଆଳୁ ଟ୍ରକ୍କୁ ଅଟକାଇବା ଘଟଣା ଓଡ଼ିଶାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଓଡ଼ିଶାରେ ମଧ୍ୟ ସମାନ ଧରଣର ପ୍ରତିକ୍ରିୟା ଦେଖିବାକୁ ମିଳିଲାଣି । ଅଗଷ୍ଟ ୯ ତାରିଖ ଦିନ ଓଡ଼ିଶାରୁ ଏବଂ ଓଡ଼ିଶା ଦେଇ ପଶ୍ଚିମବଙ୍ଗକୁ ଯାଉଥିବା ବିଭିନ୍ନ ଖାଦ୍ୟ ଦ୍ରବ୍ୟ ତଥା ଅନ୍ୟାନ୍ୟ ପରିବହନ ଟ୍ରକ୍ ଗୁଡ଼ିକୁ କିଛି ବ୍ୟକ୍ତି ସଂଘବଦ୍ଧ ଭାବରେ ଅଟକାଇ ଦେଇଛନ୍ତି । ଏହି ସଂଘବଦ୍ଧ ବ୍ୟକ୍ତିମାନେ କଟକ ଦେଇ ଯାଉଥିବା ୧୬ ନମ୍ବର ଏବଂ ୫୫ ନମ୍ବର ଜାତୀୟ ରାଜପଥର ମଙ୍ଗୁଳି ଛକରେ ପଶ୍ଚିମବଙ୍ଗ ବିରୋଧୀ ନାରା ଦେଇ ପ୍ଲାକାର୍ଡ୍ ଧରି ରାସ୍ତା ଅବରୋଧ କରିଥିଲେ । ଏହା ଫଳରେ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶରୁ ପଶ୍ଚିମବଙ୍ଗକୁ ଯାଉଥିବା ସମସ୍ତ ଟ୍ରକ୍ ଅଟକି ଯାଇଥିଲା । ତେବେ ଏହି ଟ୍ରକ୍ ଗୁଡ଼ିକ ଅଟକିବା ଫଳରେ ଅଣ୍ଡା, ମାଛ ଆଦି ଶୀଘ୍ର ପଚନଶୀଳ ପଦାର୍ଥ ଅଟକିଯିବା ଫଳରେ ପରିବହନକାରୀ ସଂସ୍ଥା ଏବଂ ଯୋଗାଣକାରୀ ସଂସ୍ଥା ଗୁଡ଼ିକର ବିପୁଳ କ୍ଷତି ହେବାର ସମ୍ଭାବନା ଉପୁଜିଲା । ପଶ୍ଚିମବଙ୍ଗ ଓଡ଼ିଶାର ବଜାରକୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ଓଡ଼ିଶାର ଲୋକ ପଶ୍ଚିମବଙ୍ଗର ବଜାରକୁ ଅଟକାଇବାକୁ ଚେଷ୍ଟା କରିଲେ । ସଂଘୀୟ ବ୍ୟବସ୍ଥା ଭିତରେ ଏଭଳି ଏକ ପ୍ରତିଶୋଧ ପରାୟଣ ମନୋବୃତ୍ତି ସୃଷ୍ଟି ହେବା ମୂଳରେ ପଶ୍ଚିମବଙ୍ଗ ହିଁ ଦାୟୀ । ତେଣୁ ଏ ପ୍ରକାରର ମନୋବୃତ୍ତିକୁ ତୁରନ୍ତ ବଦଳାଯିବା ଉଚିତ୍ ।