ଓଡ଼ିଶା ରାଜନୀତିରେ କ୍ଷୁଦ୍ର ଦଳଙ୍କ ସ୍ଥିତି

ଓଡ଼ିଶାରେ ନିର୍ବାଚନକୁ ନେଇ ବାହାର ତାତି ଆଉ ନିର୍ବାଚନୀ ତାତି ବିଲକୁଲ ସରଗରମ । ରାଜଧାନୀରୁ ନେଇ ଗାଁ ଗଣ୍ଡା ସବୁଠି ଚାଲିଛି ଜୋରଦାର ପ୍ରଚାର । ତେବେ ଆଶ୍ଚର୍ଯ୍ୟର କଥା ଓଡ଼ିଶା ରାଜନୈତିକ ମାନଚିତ୍ରରେ ତିନି ପ୍ରମୁଖ ଦଳ ବିଜେଡ଼ି, କଂଗ୍ରେସ ଓ ବିଜେପିକୁ ବାଦ ଦେଲେ ଅନ୍ୟ କୌଣସି ଛୋଟବଡ଼ ରାଜନୈତିକ ଦଳ ଆଗକୁ ଆସିପାରି ନାହାଁନ୍ତି । ପରିସଂଖ୍ୟାନର ତଥ୍ୟ ଅନୁଯାୟୀ ଓଡ଼ିଶାରେ ପଞ୍ଜୀକୃତ ରାଜନୈତିକ ଦଳ ସଂଖ୍ୟା ହେଉଛି ୩୦ । ପ୍ରତିଥର ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଅଧିକାଂଶ ଏହି ଦଳର ପ୍ରାର୍ଥୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଥାନ୍ତି । କ୍ରମାଗତ ଭାବେ ଏକପାକ୍ଷିଆ ବିଜେଡ଼ି ପାଞ୍ଚ ପାଞ୍ଚ ଥର ଓଡ଼ିଶାରେ ଶାସନ ଡୋରିକୁ ଧରିଥିଲେ ମଧ୍ୟ ଛୋଟମୋଟ ଦଳର ପ୍ରାର୍ଥୀମାନେ ଭୋଟରଙ୍କ ପାଖରେ ପହଞ୍ଚô କିଛିଟା ସମର୍ଥନ ହାସଲ କରି ପ୍ରଭାବ ବିସ୍ତାର ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥାନ୍ତି । ଓଡ଼ିଶାରେ ଇଣ୍ଡିଆ ମେଣ୍ଟ ସେତେଟା ପ୍ରଭାବୀ ହୋଇପାରିନାହିଁ । 
୨୦୧୯ ନିର୍ବାଚନରେ ଓଡ଼ିଶାରେ ୭ଟି ଜାତୀୟ ଦଳ ସମେତ ବିଜୁ ଜନତା ଦଳ, ଅନ୍ୟ ରାଜ୍ୟର ୪ଟି ଆଞ୍ଚଳିକ ଦଳ, ୨୯ଟି ପଞ୍ଜିକୃତ ଦଳର ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେହିପରି ଅନେକ ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ । ଓଡ଼ିଶା ରାଜନୈତିକ ଇତିହାସରେ ସିପିଆଇ, ଏନସିପି, ବିଏସପି ଭଳି ଜାତୀୟ ଦଳର ପ୍ରାର୍ଥୀମାନେ ନିର୍ବାଚନ ଲଢ଼ି ବିଜୟୀ ହେବାର ନଜିର ରହିଛି । କିନ୍ତୁ କାଳକ୍ରମେ ଏପରି ଜାତୀୟ ଦଳ ଓଡ଼ିଶାରେ ଏକ ପ୍ରକାର ନିଜ ଅସ୍ତିତ୍ୱ ହରାଇବାକୁ ବସିଛନ୍ତି । ୨୦୧୯ ନିର୍ବାଚନରେ ତୃଣମୂଳ କଂଗ୍ରେସ, ବହୁଜନ ସମାଜବାଦୀ ପାର୍ଟି, ଭାରତୀୟ ଜାତୀୟ କଂଗ୍ରେସ, ନ୍ୟାସାଲିଷ୍ଟ କଂଗ୍ରେସ ପାର୍ଟି, ଆମ ଆଦମୀ ପାର୍ଟି, ଅଲ ଇଣ୍ଡିଆ ଫରୱାର୍ଡ଼ ବୁକ, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା, ସମାଜବାଦୀ ପାର୍ଟି, ଆମ୍ବେଦକର ନ୍ୟାସନାଲ କଂଗ୍ରେସ, ହିନ୍ଦୁସ୍ଥାନ ନିର୍ମାଣ ଦଳ, ଜୟ ପ୍ରକାଶ ଜନତା ଦଳ, କୃପା ପାର୍ଟି, ରାଷ୍ଟ୍ରୀୟ ଇଣ୍ଡିପେଣ୍ଡେଣ୍ଟ ମୋର୍ଚ୍ଚା, ସମତା କ୍ରାନ୍ତି ଦଳ ଭଳି ଅନେକ ରାଜନୈତିକ ଦଳ ନିଜ ପ୍ରାର୍ଥୀଙ୍କୁ ମଇଦାନକୁ ଆଣିଥିଲେ । କମ ପରିମାଣର ହେଲେ ବି ଜନତାଙ୍କ ଭୋଟ ହାତେଇବାରେ ମଧ୍ୟ ଅନେକ ପ୍ରାର୍ଥୀ ସକ୍ଷମ ହୋଇଥିଲେ । କିଛି ସ୍ଥାନରେ ବି ଆଗୁଆ ରହିଥିବା ପ୍ରାର୍ଥୀଙ୍କ ଭୋଟ କାଟିବାରେ ଏହି ପ୍ରାର୍ଥୀମାନେ କିଛି କମ ଭୂମିକା ନିଭାଇ ନାହାନ୍ତି ।
ଛୋଟମୋଟ ଦଳ ଗୁଡ଼ିକ ଏ ପ୍ରକାର ସ୍ଥିତିକୁ ନେଇ ରାଜନୈତିକ ସମୀକ୍ଷକ ମାନଙ୍କ କହିବା କଥା ହେଉଛି ଯେ, ବର୍ତ୍ତମାନର ଅତ୍ୟନ୍ତ ବ୍ୟୟବହୁଳ ଓ ପ୍ରଭାବୀ ନିର୍ବାଚନରେ ଏମାନେ ତିଷ୍ଠି ରହିବା ମୁସ୍କିଲ । ଓଡ଼ିଶାରେ ଆଗଧାଡ଼ିର କିଛି ରାଜନୈତିକ ଦଳ ମଧ୍ୟ ଅତୀତରେ ଛୋଟ ଦଳ ଥିଲେ । ସେହିପରି ବଡ଼ ବଡ଼ ଦଳମାନେ ଆଉ ଛୋଟ ଦଳକୁ ଗୁରୁତ୍ୱ ଓ ସମର୍ଥନ ଦେଉନାହାଁନ୍ତି । ସେହିପରି ବ୍ୟକ୍ତିତ୍ୱ, ସଂଗଠନ, ପ୍ରଭାବ, ଅର୍ଥ, ପ୍ରତିପତ୍ତି ବା କୌଣସି ଦଳରୁ କେହି ଅସନ୍ତୁଷ୍ଟ ରହିଲେ ସେମାନେ ବରଂ ସ୍ୱାଧୀନ ପ୍ରାର୍ଥୀ ହେବାକୁ ଶ୍ରେୟସ୍କର ମନେକରୁଛନ୍ତି । ବଡ଼କଥା ହେଉଛି ଆଜିର କର୍ପୋରେଟ ଶୈଳୀରେ ରାଜନୀତି ପରିଚାଳନା ଭିତ୍ତିରେ ଛୋଟ ଛୋଟ ଦଳ ଗୁଡ଼ିକ ନିଜ ପାଇଁ ସ୍ଥାନ ତିଆରି କରିବାରେ ଭୀଷଣ ଭାବେ ବିଫଳ ହେଉଛନ୍ତି । କୌଣସି ରାଜନୈତିକ ଦଳ ଲୋକମାନଙ୍କ ପାଖରେ ନିଜ ପ୍ରଭାବ ରକ୍ଷା କରି ସଂଗଠନ ଦିନକୁ ଦିନ ମଜଭୁତ କରୁଥିବାରୁ ଏ କ୍ଷେତ୍ରରେ ଛୋଟ ଦଳମାନେ ପଛେଇ ଯାଉଛନ୍ତି । କ୍ରମାଗତ ଭାବେ କର୍ମୀ ମାନଙ୍କ ଠାରୁ ଦୂରେଇ ରହିବା ଆଉ ବଡ଼ ବଡ଼ ଦଳର ମଜଭୁତ କର୍ମୀ ସଂଗଠନ ପ୍ରଭାବୀ ଦଳୀୟ କାର୍ଯ୍ୟକ୍ରମ ଓ ଅର୍ଥର ଥାଟବାଟ ସାମ୍ନାରେ ଏହି ଛୋଟଦଳ ଗୁଡ଼ିକ ରାଜନୈତିକ ଦୃଶ୍ୟପଟ୍ଟରୁ ହଜି ଯାଉଛନ୍ତି । ଭାରତର ବଡ଼ ରାଜ୍ୟ କୁହାଯାଉଥିବା ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ବିହାର ଓ ରାଜସ୍ଥାନ ପରି ରାଜ୍ୟରେ ବିଭିନ୍ନ ଛୋଟ ଛୋଟ ଦଳ ବେଶ ପ୍ରଭାବୀ ପ୍ରଦର୍ଶନ କରି ସିଟ ହାତେଇ ପାରିବା ସହ ଅଧିକାଂଶ କ୍ଷେତ୍ରରେ ସେମାନଙ୍କ ସ୍ଥାନୀୟ ପ୍ରଭାବକୁ ଦେଖି ବଡ଼ଦଳମାନେ ସେମାନଙ୍କ ସହ ଗଠବନ୍ଧନ କରିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି । ତେବେ ଏ ସୁସ୍ଥ ଗଣତନ୍ତ୍ରରେ ବିରୋଧୀ ଦଳର ଯେଉଁ ଭାବରେ ଗୁରୁତ୍ୱ ରହିଛି ଠିକ ସେହିପରି ଛୋଟ ଛୋଟ ଦଳମାନେ ସେମାନଙ୍କ ପ୍ରଭାବ ରକ୍ଷା କଲେ ଏହା ଗଣତନ୍ତ୍ରର ସୁସ୍ଥ ନିର୍ବାଚନ କ୍ଷେତ୍ରରେ ଏକ ଭଲ ପରମ୍ପରା ମଧ୍ୟ ସୃଷ୍ଟି କରିଥାଏ । ତେବେ ଛୋଟଦଳ ଗୁଡ଼ିକ ଆଗକୁ ନିଜ ବ୍ୟକ୍ତିତ୍ୱ ଓ ପ୍ରଭାବକୁ ନେଇ ମଇଦାନକୁ ଆସନ୍ତୁ  । ସେମାନଙ୍କ ପ୍ରତି ଆମର ଅକୁଣ୍ଠ ସମର୍ଥନ ଓ ଭଲପାଇବା ଅଛି ।  
ବାଦଲ ଭୂୟାଁ
ମୋ: ୭୪୮୮୯୯୮୫୩୨