ଭତ୍ତା କେଳେଙ୍କାରୀ; କୋଟିଏ ଆତ୍ମସାତ
।ା ପ୍ରଭାନୁ୍ୟଜ୍ ।ା ବିଞ୍ଝାରପୁର: ଉପଜିଲାପାଳଙ୍କ ଦସ୍ତଖତକୁ ଜାଲିଆତି କରାଯାଇ ବୟସ ହୋଇନଥିବା ଶତାଧିକଙ୍କୁ ଭତ୍ତାଯୋଗ୍ୟ କରାଯାଇଛି । ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ବର୍ଷକରେ କୋଟିଏ ଟଙ୍କା ରାଜକୋଷରୁ ଆତ୍ମସାତ କରାଯାଇଛି । ଏଭଳି ସାଂଘାତିକ ଅଭିଯୋଗ ବିଞ୍ଝାରପୁର ବିଡ଼ିଓ ଦିବ୍ୟେନ୍ଦୁ ଦାସ ଆଣି ପ୍ରାକ୍ତନ ସାମାଜିକ ମଙ୍ଗଳ ଅଧିକାରୀ ଧର୍ମେନ୍ଦ୍ର ସାହୁଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗଟି ଚଳିତମାସ ୨୨ତାରିଖରେ ହୋଇଥିଲେ ହେଁ ଏହାକୁ ପୁଲିସ ଏବଂ ଖୋଦ ଅଭିଯୋଗକାରୀ ଘଣ୍ଟ ଘୋଡ଼ାଇ ରଖିଥିଲେ । ଟୁପୁରୁଟାପର ପରେ କଥାଟି ସାମ୍ନାକୁ ଆସିଛି । ବିଡ଼ିଓଙ୍କ ଅଭିଯୋଗ କ୍ରମେ ପୁଲିସ ୫୮୪/୨୪ରେ ମାମଲା ରୁଜୁ କରିବା ସହ ୪୬୮/୪୭୦/୪୭୧/୪୧୯/୪୨୦ଭଳି ଦଫା ଲଗାଇ ଘଟଣାର ତଦନ୍ତ ୬ଦିନ ହେଲା କରୁଛି । ବିଡ଼ିଓ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ବ୍ଲକର ପୂର୍ବତନ ବିଏସଏସଓ ଧର୍ମେନ୍ଦ୍ର ସାହୁ ଉପଜିଲାପାଳଙ୍କ ନିଦେ୍ର୍ଦଶ ନାମାକୁ ଟାମ୍ପରିଂ କରି ୮୯୪ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି । ଫଳରେ ୯୦ଲକ୍ଷ ୯ହଜାର ଟଙ୍କା ବର୍ଷକରେ ଆତ୍ମସାତ ହୋଇଥିବା ଦର୍ଶାଇବା ସହିତ ସମ୍ପୁର୍ଣ୍ଣ ଘଟଣାରେ ବିଏସଏସଓ ବା ସାମାଜିକ ମଙ୍ଗଳ ଅଧିକାରୀ ଧର୍ମେନ୍ଦ୍ର ସାହୁଙ୍କୁ ଦାୟି କରିଛନ୍ତି । ମଞ୍ଜୁରି ଆଦେଶ ଗୁଡିକ ଜିଲା କାର୍ଯ୍ୟାଳୟରୁ ୨୦୨୩ ଜୁଲାଇ ମାସ ୨୧ ତାରିଖରେ ଚିଠି ସଂଖ୍ୟା-୯୭୯୭ରେ ମଞ୍ଜୁର ହୋଇଥିଲା । ଗୋଟାଏ ଇସୁ ନମ୍ୱର୍ରେ ତିନୋଟି ମଞ୍ଜୁରୀ ପତ୍ରରେ ହିତାଧିକାରୀ ତାଲିକା କରାଯାଇଛି । ବିଡିଓଙ୍କ ଅଭିଯୋଗ ପରେ ବ୍ଲକରେ ଭତ୍ତା କେଳେଙ୍କାରୀ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଭଳି ଜାଲିଆତି ପଛରେ କେବଳ ଧର୍ମେନ୍ଦ୍ର ସାହୁ ନା ଆଉ କାହାର ସଂପୃକ୍ତି ଅଛନ୍ତି ତାକୁ ନେଇ ପ୍ରଶ୍ନଉଠିଛି । କେବଳ କମ୍ ବୟସ ଥିବା ୮୯୦ଜଣ ଲୋକ ଭତ୍ତା ପାଉଥିଲେ ନା ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଦିଆଯାଉଥିଲା ତାକୁ ନେଇ ମଧ୍ୟ ସାଧାରଣରେ ସନେ୍ଦହ ସୃଷ୍ଟି ହୋଇଛି । ତେବେ ପ୍ରଶ୍ନ ଉଠୁଛି ସବୁକିଛି ଅନଲାଇନ୍ରେ ହେଉଥିବା ବେଳେ ଜାଲିଆତି ହେଲା କିପରି? ଭତ୍ତା ପାଇବା ପାଇଁ ଯାହା ବ୍ୟବସ୍ଥା ରହିଛି, ତାହା ହେଲା ଅନଲାଇନରେ ଆବେଦନ କରୁଥିବା ବ୍ୟକ୍ତି ମାନଙ୍କର ନଥିପତ୍ର ଇତ୍ୟାଦି ବ୍ଲକର ଡାଟା ଅପରେଟର ତନଖି କରି ବିଏସଏସଓଙ୍କୁ ଅବଗତ କରିବା ପରେ ବିଏସଏସଓ ଏହାକୁ ଯାଞ୍ଚ କରି ବିଡିଓଙ୍କୁ ପ୍ରଦାନ କରିଥାନ୍ତି । ବିଡିଓ ଆବେଦନ ପତ୍ର ଗୁଡିକୁ ଯାଞ୍ଚ କରି ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ ପାଇଁ ଅନୁମତି ଦେବାକୁ ଉପଜିଲାପାଳଙ୍କୁ ଆବେଦନ କରିଥାନ୍ତି । ଏହାପରେ ଉପଜିଲାପାଳ ପୁଣି ହିତାଧିକାରୀ ମାନଙ୍କ ନଥିପତ୍ର ଯାଞ୍ଚ କରି ସେମାନଙ୍କୁ ମଧ୍ୟରୁ ଯୋଗ୍ୟ ଅଯୋଗ୍ୟ ତଦନ୍ତ କରି ଚୁଡାନ୍ତ ତାଲିକା ପ୍ରସ୍ତୁତ କରନ୍ତି ଏବଂ ଏହି ତାଲିକା ଅନୁଯାୟୀ ଭତ୍ତା ପ୍ରଦାନ ପାଇଁ ବିଡିଓଙ୍କୁ ନିଦେ୍ର୍ଦଶ ଦେଇଥାନ୍ତି । ଏଣୁ ଏଠାରେ ଶତାଧିକଙ୍କ ନାଁରେ ଭତ୍ତା ହେବା ଏବଂ କୋଟିଏ ଟଙ୍କା ରାଜକୋଷରୁ ଉଠିବା ଘଟଣା ବଡ଼ ଆଶ୍ଚର୍ଯ୍ୟ କରିବା ପରି ହୋଇଛି । କୁହାଯାଉଛି ବିଞ୍ଝାରପୁରରେ ହୋଇଥିବା ଭତ୍ତା କେଳଙ୍କାରୀ ଘଟଣା ଲୋକ ଲୋଚନକୁ ଆସିବା ପୂର୍ବରୁ ବିଡିଓ ନିଜର ଏବଂ ଉପଜିଲାପାଳଙ୍କ ସୁରକ୍ଷା ପାଇଁ ଏଭଳି ଅଭିଯୋଗ କରି ପୂର୍ବତନ ବିଏସଏସଓଙ୍କୁ ଫସାଇଦେବାକୁ ମସୁଧା କରାଯାଇ ନାହିଁ ତ? । କେଳେଙ୍କାରୀର ତମାମ ପ୍ରକ୍ରିୟା କେବଳ ପୂର୍ବତନ ବିଏସଏସଓ ଧର୍ମେନ୍ଦ୍ର ସାହୁଙ୍କ ମୁଣ୍ଡରେ ଅଠା ବୋଳି ବିଡିଓ, ଉପଜିଲାପାଳ ଖସିଯିବେ ନାହିଁତ ? ଏଭଳି ଏକ ସଙ୍ଗିନ କେଳଙ୍କାରୀକୁ ବିଡିଓଙ୍କୁ ଏତେ ସମୟ ଧରି ଚାପିରଖିଥିଲେ କାହିଁକି? ତେବେ ବିଡ଼ିଓ ଲେଖିଥିବା ଅଭିଯୋଗରେ ଯାହା ଦର୍ଶାଇଛନ୍ତି ତାହା ହେଲା ଗୋଟାଏ ଇସୁ ନମ୍ୱର୍ରେ ତିନୋଟି ମଞ୍ଜୁରୀ ପତ୍ର କିପରି ଆସିଲା ତାକୁ ନେଇ ସନେ୍ଦହ ଉପୁଜିଥିଲା । ଶ୍ରୀ ସାହୁଙ୍କୁ ଏଥି ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଶ୍ରୀ ସାହୁ ଏଭଳି ଅନିୟମିତତା ବିଷୟରେ କିଛି ଜାଣିନଥିବା କହିଥିଲେ । ଯେଉଁଥିପାଇଁ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇଥିବା ବେଳେ ଜାଲ ମଞ୍ଜୁରୀପତ୍ର ଜରିଆରେ ଏଭଳି ଜାଲିଆତି କରାଯାଇଥିବା ସାମ୍ନାକୁ ଆସିଥିଲା । ପୁଲିସ ମାମଲା ରୁଜ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ବାମଦେବ ନନ୍ଦ ପ୍ରକାଶ କରିଥିବା ବେଳେ ଯେଉଁ ୮୯୪ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଜାଲିଆତି କରି ଭତ୍ତା ପ୍ରଦାନ କରାଯାଇଛି ବୋଲି କୁହାଯାଉଛି ସେମାନଙ୍କ ମଧ୍ୟରୁ ପ୍ରାୟ ୬୦୦ରୁ ଊର୍ଦ୍ଧ ଯୋଗ୍ୟ ବିବେଚିତ ହୋଇ ଭତ୍ତା ପାଉଛନ୍ତି ବୋଲି କୁହାଯାଉଛି । ହେଲେ ବିଞ୍ଝାରପୁରର ଭତ୍ତା କେଳେଙ୍କାରୀର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ କେବଳ ବିଏସଏସଓଙ୍କ ନାଁ ଆଉ କାହାର ସଂପୃକ୍ତି ରହିଛି, ତାହା ଖୁଲାସା ହୋଇପାରନ୍ତା ।