ସ୍ୱପ୍ନରେ ରହିଗଲା ପଲିଥିନ ମୁକ୍ତ ଶ୍ରୀକ୍ଷେତ୍ର

ସ୍ୱପ୍ନରେ ରହିଗଲା ପଲିଥିନ ମୁକ୍ତ ଶ୍ରୀକ୍ଷେତ୍ର

ପର୍ଯ୍ୟଟନ ସହର ଓ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀର ପରିବେଶ ପ୍ରତି ଗୁରୁତର ବିପଦ ସୃଷ୍ଟି କରିଛି ଏକକ ବ୍ୟବହାର ଯୋଗ୍ୟ ପଲିଥିନ୍ ଓ ପ୍ଲାଷ୍ଟିକ୍ ସାମଗ୍ରୀ । ୨୦୧୯ ମସିହାରୁ ପଲିଥିନ ବ୍ୟବହାର ସହରରେ ନିସିଦ୍ଧ କରାଯାଇଥିଲେ ମଧ୍ୟ ତାହା କେବଳ କାଗଜ ପତ୍ରରେ ରହିଛି । ମଝିରେ ମଝିରେ ହଠାତ୍ ନିଦ୍ରାଭଙ୍ଗ ଭଳି ପୌରପାଳିକା ବିଭିନ୍ନ ଦୋକାନ ଉପରେ ଚଢାଉ କରି କିଛି କିଛି ପଲିଥିନ୍ ଜବତ କରିବା ସହ ଜୋରିମାନା ଆଦାୟ କରିଥାଏ । ୨-୩ଦିନ ଏହି ଅଭିଯାନ ଚାଲିବା ପରେ କର୍ତ୍ତୃପକ୍ଷ ପଲିଥିନ୍ର ବିପଦ ସମ୍ପର୍କରେ ଭୁଲିଯାଆନ୍ତି । ଜଳଖିଆ ଠାରୁ ଆରମ୍ଭ କରି ବିଭିନ୍ନ ତେଜରାତି ସାମଗ୍ରୀ ଓ ସଉଦାପତ୍ର ନେବାଆଣିବା ପାଇଁ ଖୋଲାଖୋଲି ଭାବେ ପଲିଥିନ ବ୍ୟବହୃତ ହୁଏ । ସମସ୍ତେ ଏହା ଦେଖୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏନାହିଁ । ଲୋକଦେଖାଣିଆ ଭାବେ ପ୍ରଚାର ପାଇଁ ପଲିଥିନ ଧରପଗଡ଼ ଓ ପଲିଥିନ ବର୍ଜନ ସଚେତନତା ଅଭିଯାନ କରାଯାଏ । କିଛିଦିନ ପରେ ପୂର୍ବଭଳି ବ୍ୟବସାୟୀ ଓ ଗ୍ରାହକମାନେ ଖୋଲାଖୋଲି ଭାବେ ପଲିଥିନ୍ ବ୍ୟବହାର କରନ୍ତି । ଏକକ ବ୍ୟବହାରେ ଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାରକୁ ନିସିଦ୍ଧ କରିବା ପାଇଁ ନିୟମ ରହିଥିଲେ ମଧ୍ୟ ସେଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ । ସଂପ୍ରତି ସମସ୍ତ ପ୍ରକାରର କଠିନ ଓ ତରଳ ପଦାର୍ଥ ପାଇଁ ପଲିଥିନ୍ର ବ୍ୟବହାର କରାଯାଉଥିବା ବେଳେ ଶ୍ରୀମନ୍ଦିରରେ ମଧ୍ୟ ଭୋଗ ପାଇଁ ପଲିଥିନ୍ ବ୍ୟବହାର କରାଯାଉଛି । ବର୍ଯ୍ୟବସ୍ତୁ ପରିଚାଳନା ନିୟମ ଅନୁଯାୟୀ ୭୫ତମ ମାଇକ୍ରୋନ୍ରୁ କମ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ପଲିଷ୍ଟରର ବ୍ୟବହାର ସଂପୂର୍ଣ୍ଣ ରୂପେ ନିସିଦ୍ଧ ହୋଇଥିଲେ ମଧ୍ୟ ଏହାକୁ ଆଖିଠାର ଭଳି । ୬୦ ଜିଏସ୍ଏମ୍ରୁ କମ୍ ପ୍ଲାଷ୍ଟିକ୍ ବ୍ୟାଗ୍ର ବ୍ୟାପକ ବ୍ୟବହାର କରାଯାଉଛି । ସେହିଭଳି ଖୋଲାଖୋଲି ଭାବେ ଥର୍ମକୁଲ ବ୍ୟବହୃତ ହେଉଛି । ପ୍ରତ୍ୟହ ରାସ୍ତା କଡ଼ରେ ପଲିଥିନ୍, ପ୍ଲାଷ୍ଟିକ୍ ବ୍ୟାଗ୍ ଓ ଅନ୍ୟାନ୍ୟ କଣ୍ଟେନର ଅଳିଆଗଦାରେ ପଡ଼ିରହୁଥିବା ଦେଖାଯାଉଛି । କ୍ଷୀର ଠାରୁ ଆରମ୍ଭ କରି ମିଠା ଓ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ ମଧ୍ୟ ପଲିଥିନ୍ ବ୍ୟାଗରେ ବିକ୍ରି କରାଯାଉଛି । ଏହା ଜନସ୍ୱାସ୍ଥ୍ୟ ପ୍ରତି କ୍ଷତିକାର ହୋଇଥିଲେ ମ୍ୟ ସେଥିପ୍ରତି କେହି ସଚେତନ ନୁହନ୍ତି ଏବଂ ଏହାକୁ ରୋକିବା ଦିଗରେ ମଧ୍ୟ କୌଣସି ଆନ୍ତରିକ ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ସରକାରଙ୍କ ପକ୍ଷରୁ ୨୦୨୧ ମସିହାରେ ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ପରିଚାଳନା ନିୟମ ପ୍ରଣୟନ କରାଯାଇଥିଲା ଏବଂ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ପୌରାଞ୍ଚଳମାନଙ୍କରେ ଏହାର ଯୋଗାଣ, ବିକ୍ରୟ, ବଣ୍ଟନ ଓ ପରିବହନକୁ ସଂପୂର୍ଣ୍ଣଭାବେ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇ ଆବଶ୍ୟକୀୟ ନିଦେ୍ର୍ଦଶନାମା ଜାରି ହୋଇଥିଲା । କିନ୍ତୁ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ପରିବର୍ତ୍ତୋ କୋହଳ ମନଭାବ ଯୋଗୁଁ ଏପର୍ଯ୍ୟନ୍ତ ପଲିଥିନ୍ ଓ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକର ବ୍ୟବହାର ଅବ୍ୟାହତ ରହିଛି । ପଲିଥିନ୍  ଓ ପ୍ଲାଷ୍ଟିକ୍ର ବ୍ୟାପକ ବ୍ୟବହାର ସାଙ୍ଗକୁ ଏଣେତେଣେ ସେଗୁଡ଼ିକୁ ଫୋପାଡ଼ିବା ଯୋଗୁଁ ନାଳସବୁ ଅନେକ ସମୟରେ ଅବରୁଦ୍ଧ ହୋଇପଡୁଛି ଓ ରାସ୍ତାରେ ନର୍ଦ୍ଦମା ପାଣିର ସୁଆ ଛୁଟୁଛି । ନାଳ ଭିତରୁ ପଲିଥିନ୍ ଓ ପ୍ଲାଷ୍ଟିକ୍ କାଢିବା ପାଇଁ ସଫେଇ କର୍ମଚାରୀମାନେ ନାକେଦମ୍ ହେଉଛନ୍ତି । ସ୍ୱଚ୍ଛତା ଅଭିଯାନରେ ପଲିଥିନ୍ ଓ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାରକୁ ବର୍ଜନ କରିବା ପାଇଁ ବିଭିନ୍ନ ସମୟରେ ଅନୁଷ୍ଠିତ ସରକାରୀ ଓ ବେସରକାରୀ ବୈଠକରେ ପରାମର୍ଶ ଦିଆଯାଉଥିଲେ ମଧ୍ୟ ସେଥିପ୍ରତି କାହାର ଭୃକ୍ଷେପ ନଥିବା ପ୍ରତିତ ହେଉଛି । ଦିନକୁ ଦିନ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ବଢିଚାଲିଥିବାରୁ ତୁରନ୍ତ ଏହାକୁ ରୋକିବା ଦିଗରେ କଡ଼ା କଟକଣା ଜାରି ଓ ଦୃଢ ପଦକ୍ଷେପ ଗ୍ରହଣ ପାଇଁ ପରିବେଶପ୍ରେମୀଙ୍କ ପକ୍ଷରୁ ଦାବି ହେଉଛି ।