ନାହାନ୍ତି ସ୍ଥାୟୀ ନିର୍ବାହୀ ଯନ୍ତ୍ରୀ, ବାଧାପ୍ରାପ୍ତ ଉନ୍ନୟନମୂଳକ କାର୍ଯ୍ୟ
ନିଶ୍ଚିନ୍ତକୋଇଲି : ଚଳିତ ସରକାରଙ୍କ ସମୟରେ ରାଜ୍ୟରୁ ଦୁର୍ନୀତି ହଟାଇବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀମାନେ ନିଜ ନିଜ କର୍ମଚାରୀମାନଙ୍କୁ ତାଗିଦ୍ କରୁଥିବାବେଳେ ନିଶ୍ଚିନ୍ତକୋଇଲି ବ୍ଲକ ଗ୍ରାମ ଉନ୍ନୟନ ବିଭାଗରେ ସରକାରଙ୍କ ନିୟମ ଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବା ସ୍ପଷ୍ଟ ବାରି ହେଉଛି । ପ୍ରକାଶ ଯେ, ନିଶ୍ଚିନ୍ତକୋଇଲି ବ୍ଲକ ଗ୍ରାମ୍ୟଉନ୍ନୟନ ବିଭାଗ ଅଧିନରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା, ପ୍ରଧାନମନ୍ତ୍ରୀ ସଡକ ଯୋଜନା, ସରକାରୀ କ୍ୱାଟର ଓ ଅଫିସ ବିଶେଷ ଭାବରେ ଚିତ୍ରୋତ୍ପଳା ନଦୀର ଅମାଣିଆ ପାଟଣା ଠାରୁ କେନ୍ଦୁପାଟଣା ପର୍ଯ୍ୟନ୍ତ ୬୨କୋଟି ଟଙ୍କା ବ୍ୟୟରେ ନିର୍ମିତ ସେତୁ ଏବଂ ଚିତ୍ରୋତ୍ପଳା ନଦୀର ଦାଉଦପୁର ପଞ୍ଚାୟତ ନଇଁଗୁଣା - ସାହାଣୀସାହି ଗଡା କାର୍ଯ୍ୟ ଚାଲିଥିଲେ ବି ଏହି କାର୍ଯ୍ୟ କଂପାନୀ ମାଧ୍ୟମରେ ହେଉଥିଲେ ବି ଗ୍ରାମ ଉନ୍ନୟନ ବିଭାଗର କର୍ମଚାରୀମାନେ ଠିକଣା ଭାବରେ ନିଜର ଦାୟିତ୍ୱ ବହନ କରୁନାହାଁନ୍ତି । ବିଶେଷ ଭାବରେ ଏହି ବିଭାଗ ଅଧନରେ ବରକୋଳିଆଠାରୁ ବାଲି ଗରଡା ଓ ବାଲିଗରଡାଠାରୁ ବନ୍ଧକାଟିଆ, ବରହମପୁରଠାରୁ ବାଲିଗରଡା, ନିଶ୍ଚିନ୍ତକୋଇଲି-ନଳିତଗିରି ରାସ୍ତା ନିର୍ମାଣ କାର୍ଯ୍ୟ ଠିକାଦାରଙ୍କ ମର୍ଜିରେ ଚାଲିଛି । ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଥିବାରୁ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଶ୍ଚିନ୍ତକୋଇଲି, ସାଲେପୁର, କଟକ ସଦର ଦାୟିତ୍ୱରେ ରହିଛନ୍ତି । ସଂପୂର୍ଣ୍ଣ ଜିଲ୍ଲା ବୁଲିବା ତାଙ୍କ ପକ୍ଷରେ ସମ୍ଭବ ହେଉନଥିବାରୁ କୌଣସି ଅଫିସରେ ସ୍ଥିର ଭାବରେ ରହିପାରୁନଥିବା ସହ ଏକ ଅଜ୍ଞାତ ସ୍ଥାନରେ ଅଫିସ କରି ଠିକାଦାରମାନଙ୍କୁ ଡାକି ଜେଇମାନଙ୍କ ଜରିଆରେ କାଗଜପତ୍ର କାମ କରୁଥିବା ଗୁରୁତର ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଠିକ୍ ଭାବେ କାର୍ଯ୍ୟ ତଦାରଖ ହେଉନଥିବାରୁ ଲାଲବାଗଠାରେ ଗାର୍ଡୱାଲ ଭୁଷୁଡିବା, ବରହମପୁର (ବାଲିଗରଡା)-ବନ୍ଧକାଟିଆ ରାସ୍ତା ଅବଧି ପୁରିଥିଲେ ମଧ୍ୟ ତାହା ମନ୍ଥର ଗତିରେ ଚାଲୁଥିବାର ଦେଖିବାକୁ ମିଳିଛି । ଠିକ୍ ସେହିପରି ବୋଧଙ୍ଗରୁ ବଗୁଲିପଡା ରାସ୍ତା ଓ ମଙ୍ଗଳପୁର- କମଳପୁର ରାସ୍ତା ମରାମତି କାର୍ଯ୍ୟ ମାର୍ଚ୍ଚମାସରେ ହୋଇଥିଲେ ବି ମଝିରେ ମଝିରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଥିବାର ଉଦାହରଣ ଦେଖାଦେଇଛି । କକଟ ଜିଲ୍ଲାର ନିଶ୍ଚିନ୍ତକୋଇଲି ସବ୍ଡିଭିଜନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବାରୁ ଏହି ସବ୍ଡିିଭିଜନକୁ ଏକ ସ୍ଥାୟୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତ କରିବା ପାଇଁ ନିଶ୍ଚିନ୍ତକୋଇଲି ଓ ଡେଲ୍ଟା ଉନ୍ନୟନ ପରିଷଦର ସଭାପତି ନିରଞ୍ଜନ ସାମଲ, ରାଜ୍ୟ ମୁଖ୍ୟମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ସ୍ଥାନୀୟ ମାହାଙ୍ଗା ଓ କଟକ ସଦର ବିଧାୟକଙ୍କ ନିକଟରେ ଦାବି କରିଛନ୍ତି ।