ନଦୀଶଯ୍ୟାରୁ ବିରଳ ବୁଦ୍ଧ ମୂର୍ତ୍ତି ଉଦ୍ଧାର
ଭଣ୍ଡାରିପୋଖରୀ : ଏହି ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ମୁଢାପଦା ଗ୍ରାମ ନିକଟ ବୈତରଣୀ ନଦୀ ଶଯ୍ୟାରୁ ଏକ ବିରଳ ଶିଳାଲେଖ ଯୁକ୍ତ ଭୂମି ସ୍ପର୍ଶ ବୁଦ୍ଧଙ୍କ ମୂର୍ତ୍ତି ମଙ୍ଗଳବାର ମଧ୍ୟାହ୍ନ ସମୟରେ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ନଦୀ ଶଯ୍ୟାରେ ଆଂଶିକ ଦୃଶ୍ୟମାନ ଏକ କ୍ଲୋରାଇଟ ପ୍ରସ୍ତରରେ ମୂର୍ତ୍ତି ଖୋଦିତ ଏକ ପ୍ରସ୍ତର ଦେଖିବାକୁ ପାଇ ତାକୁ ଉଦ୍ଧାର କରିଥଲେ । ଦେଢ଼ ଫୁଟ ଲମ୍ବ ଏକ ଫୁଟ ଚଉଡ଼ା ବିଶିଷ୍ଟ କ୍ଲୋରାଇଟ ପ୍ରସ୍ତରରେ ଉଦ୍ଧାର ହୋଇଥିବା ଏକ ଭୂମି ସ୍ପର୍ଶ ବୁଦ୍ଧ ମୂର୍ତ୍ତି ଓ ଏହି ମୂର୍ତ୍ତିର ପ୍ରଚ୍ଛଦ ପାର୍ଶ୍ୱରେ ୩ ଧାଡ଼ିର ବିରଳ ଶିଳାଲେଖ ରହିଛି । ଏଥିନେଇ ବିଶିଷ୍ଟ ପ୍ରନôତ୍ୱତବିତ ଡଃ.ସୁନିଲ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରାଯାଇଥିଲା । ଏହି ବିରଳ ବୁଦ୍ଧ ମୂର୍ତ୍ତିଟି ୮ମ/୯ମ ଶତାବ୍ଦୀର ପଦ୍ମାସନରେ ଉପବେସିତ ବଜ୍ରଯାନ ସାମୟିକ ଏକ ବିରଳ ଭୂମିସ୍ପର୍ଶ ବୁଦ୍ଧ ମୂର୍ତ୍ତି ବୋଲି ଶ୍ରୀ ପଟ୍ଟନାୟକ ଚିହ୍ନଟ କରିବା ସହ ଏହାର ପ୍ରଚ୍ଛଦ ପାର୍ଶ୍ୱରେ ୩ ଧାଡ଼ିରେ ଶିଳାଲେଖ ଦେବନାଗରୀ ଲିପିରେ ବୌଦ୍ଧ ଧର୍ମ ଧାରଣୀ ମନ୍ତ୍ର "ଇଏ ହେତୋ ଧମ୍ମ୍ ପ୍ରଭ.....ଏବପ୍ସ ବାଦୀ ମହା ଶ୍ରମଣ’କୁ ପାଠ ଉଦ୍ଧାର କରିଥିଲେ । ମୂର୍ତ୍ତଟିରେ ବୁଦ୍ଧଙ୍କ ମୁଖ ମଣ୍ଡଳ ସମ୍ମୁଖ ଭାଙ୍ଗି ଯାଇଥିବା ବେଳେ ଦୁଇ ପାର୍ଶ୍ୱରେ ଦୁଇ ଗନ୍ଧର୍ବ ପୁଷ୍ପମାଲ୍ୟ ଧରି ଥିବା ଦେଖିବାକୁ ମିଳିଛି । ମୂର୍ତ୍ତିଟିର ନିମ୍ନ ଅଂଶରେ ପୁଷ୍ପ ,ପୂଜା ଉପକରଣ ଥିବା ବଜ୍ରଯାନ ସୂଚନା ପ୍ରଦାନ କରିଛି । ଏହା ଏକ ବିରଳ ଏବଂ ଦୁର୍ଲ୍ଲଭ ଶିଳାଲେଖ ଯୁକ୍ତ ମୂର୍ତ୍ତି ଯାହା ଉଦୟଗିରି ବ୍ୟତୀତ ଅତୀତରେ ଷୋଳମପୁର ବୌଦ୍ଧମହାବିହାରର ଏକ ଚୈତ୍ୟ ଗୃହରେ ପୂଜିତ ହେଉଥିଲା ବୋଲି ଡକ୍ଟର ପଟ୍ଟନାୟକ ମତ ଦେଇଥିଲେ । ଇନଟାକ ସଦସ୍ୟ ବିଶ୍ୱମ୍ବର ରାଉତଙ୍କ ଉଦ୍ୟମରେ ଏହି ବିରଳ ଶିଳାଲେଖ ମୂର୍ତ୍ତିଟିକୁ ସ୍ଥାନୀୟ ଶିଶୁ ମନ୍ଦିର ଗୁରୁଜୀ ଶରତ ବେଉରିଆ, ସମାଜସେବୀ ସରୋଜ ବେହେରା, ରାକେଶ ବେହେରାଙ୍କ ସହଯୋଗରେ ବୌଦ୍ଧବିହାର ସଂଗ୍ରହାଳୟକୁ ଟ୍ରଷ୍ଟି କମଳାକାନ୍ତ ନାୟକଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇ ସୁରକ୍ଷିତ ଭାବେ ରଖାଯାଇଥିବା ସୂଚନା ମିଳିଛି ।