ଆହ୍ଲାବାଦିଆ ଆଶ୍ୱସ୍ତ : ପଡକାଷ୍ଟକୁ ସର୍ତ୍ତମୂଳକ ଅନୁମତି

ନୂଆଦିଲ୍ଲୀ : ପଡ୍କାଷ୍ଟର୍, ୟୁଟୁ୍ୟବର୍ ରଣବୀର ଆହ୍ଲାବାଦିଆଙ୍କୁ ଆଜି ସୁପ୍ରିମକୋର୍ଟରୁ ମିଳିଛି ଆଶ୍ୱସ୍ତି । ପିତାମାତାଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେବା ମାମଲାର ପରିଚାଳନା କରି ଆହ୍ଲାବାଦିଆଙ୍କୁ ‘ଦି ରଣବୀର ଶୋ’ ଚଲାଇବା ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଏନ୍ କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ମଧ୍ୟ ନିଦେ୍ର୍ଦଶ ଦେଇଛନ୍ତି ଯେ, ସୋସିଆଲ ମିଡିଆରେ ମତାଧିକାର ଉଲ୍ଲଂଘନ ନ ହେବା ଭଳି ନିୟମାବଳୀ ପ୍ରସ୍ତୁତ କରି ଏହିଭଳି ଶୋ ଚଳାଇବା ପାଇଁ ନିୟମ ପ୍ରସ୍ତୁତ କରନ୍ତୁ । ସେହିପରି ଆହ୍ଲାବାଦିଆଙ୍କୁ ଅଦାଲତ କହିଛନ୍ତି ଯେ ଆଗାମୀ ଦିନରେ ତାଙ୍କ ଶୋ’ରେ କୌଣସି ଅଶାଳୀନ କିମ୍ବା ନୈତିକତା କ୍ଷୁଣ୍ଣ ହେବା ଭଳି ଆପତ୍ତିଜନକ ମନ୍ତବ୍ୟ ଯେପରି ନ ଦିଆଯିବ ସେଥିପାଇଁ ରଣବୀର ଏକ ସତ୍ୟପାଠ ଦେବା ଉଚିତ । ଶୋ'ଟି ଏପରି ହେବା ଆବଶ୍ୟକ ଯାହାକୁ ସବୁବର୍ଗର ଲୋକମାନେ ଏକାଠି ବସି ଦେଖିପାରିବେ । ଅପରପକ୍ଷେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ପରିସରକୁ ବୃଦ୍ଧି କରିଛନ୍ତି । ସୁପ୍ରିମ୍କୋର୍ଟରେ ରଣବୀରଙ୍କ ଓକିଲ ଡକ୍ଟର ଅଭିନବ ଚନ୍ଦ୍ରଚୂଡ଼ ଯୁକ୍ତି କରିଥିଲେ ଯେ, ଶୋ ପରିଚାଳନାରେ ତାଙ୍କର ୨୮୦ ଜଣ କର୍ମଚାରୀ ଅଛନ୍ତି ଏବଂ ଏହା ହିଁ ତାଙ୍କର ଜୀବିକା । ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ ସେ କୌତୁହଳବଶତଃ ସେହି କାର୍ଯ୍ୟକ୍ରମ ଦେଖିଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ ସେହି କାର୍ଯ୍ୟକ୍ରମରେ ବ୍ୟବହୃତ ଭାଷା ଅଶ୍ଳୀଳତାର ସୀମା ଅତିକ୍ରମ କରିଛି । ଏହାସହ ଏଥିରେ ବ୍ୟବହୃତ ଶବ୍ଦଗୁଡ଼ିକ ଅତ୍ୟନ୍ତ ବିକୃତପୂର୍ଣ୍ଣ । ଗୋଟିଏ ପରିବାର କିମ୍ବା ଜଣେ ପୁରୁଷ କିମ୍ବା ମହିଳା ଏକାଠି ବସି ଏହାକୁ ଦେଖିବା ସହଜସାଧ୍ୟ ନୁହେଁ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଆହ୍ଲାବାଦିଆଙ୍କୁ ଶାଳୀନତା ରକ୍ଷା କରି ଶୋ’ ଚଳାଇବାକୁ ଅନୁମତି ଦେଇଛନ୍ତି । ଅପରପକ୍ଷେ ବିବାଦୀୟ ଶୋ' "ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ’ରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ମାମଲା ହୋଇଥିବା ସ୍ଥଳେ ରଣବୀର ଆଲ୍ଲାବାଦିଆ ଏବଂ ତାଙ୍କ ସାଥୀ ୟୁଟୁ୍ୟବର ଆଶିଷ ଚଞ୍ଚଲାନିଙ୍କ ଆବେଦନ ଉପରେ କୋର୍ଟ କହିଥିଲେ ଯେ, ଆସାମ ଏବଂ ମହାରାଷ୍ଟ୍ରରେ ପଞ୍ଜୀକୃତ ଏଫ୍ଆଇଆରଗୁଡ଼ିକୁ ଏକତ୍ର କରାଯାଉ । ଏହାସହ ସେମାନଙ୍କୁ ଗିରଫଦାରୀରୁ ମୁକ୍ତି କରାଯାଉ । ସେହିପରି ଭାଷାରେ ଶାଳୀନତା ରଖି ମର୍ଯ୍ୟାଦାପୂର୍ଣ୍ଣ ମନ୍ତବ୍ୟ ସହିତ ଶୋ’ ଜାରି ରଖିବାକୁ କୋର୍ଟ ସ୍ପଷ୍ଟ କରିଛନ୍ତି ।