ପୂଜାରେ ସୁରକ୍ଷା ଦେବ ‘ଶକ୍ତି ବାହିନୀ’
police durga puja

୨୦ ବାଇକରେ ବୁଲିବେ ୪୦ ମହିଳା ପୁଲିସ୍
ଭୁବନେଶ୍ୱର : ଦୁର୍ଗାପୂଜା ବେଳେ ଅନେକ ସ୍ଥାନରେ ମହିଳା ଓ ଶିଶୁମାନେ ଅସୁରକ୍ଷିତ ହୋଇପଡ଼ିଥା’ନ୍ତି । କେଉଁଠି ମହିଳାଙ୍କୁ ଦୁର୍ବ୍ୟବହାର କରାଯାଇଥାଏ ତ ଆଉ କେଉଁଠି ଛୋଟ ଛୋଟ ପିଲାମାନେ ହଜି ଯାଇଥା’ନ୍ତି । ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ଆଖିଆଗରେ ରଖି ନୂଆ କମିଶନର ଦେବଦତ୍ତ ସିଂହଙ୍କ ନିର୍ଦ୍ଦେଶରେ ଏକ ଶକ୍ତି ବାହିନୀ ଗଠନ କରାଯାଇଛି । ଯେଉଁ ଟିମ୍ରେ ୪୦ ମହିଳା ପୁଲିସ୍ ଅଫିସର ୨୦ଟି ବାଇକରେ ବିଭିନ୍ନ ପୂଜା ମେଢ଼ରେ ପଇଁତରା ମାରି ପାଟ୍ରୋଲିଂକୁ କଡ଼ାକଡ଼ି କରିବେ ।
ଦେବ ଦତ୍ତ ସିଂହଙ୍କ ଉଦ୍ୟମରେ ଓ ଡିସିପି ଭୁବନେଶ୍ୱର ପିନାକ ମିଶ୍ରଙ୍କ ଉପସ୍ଥିତିରେ ଏକ ବିଶେଷ ମୋଟର ସାଇକେଲ୍ ପାଟ୍ରୋଲିଂ ମହିଳା ଟିମ ‘ଶକ୍ତି-ବାହିନୀ’ ଗଠନ କରାଯାଇଛି । ଯାହା ଦୁର୍ଗା ପୂଜା ଉତ୍ସବ ଦିନମାନଙ୍କରେ ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବେ । ସମୁଦାୟ ୪୦ ଜଣ ମହିଳା ପୋଲିସ୍ ଅଧିକାରୀ ଓ ୨୦ ମୋଟର ସାଇକେଲ୍ ଦ୍ୱାରା ବିଭିନ୍ନ ପୂଜା ମେଢରେ ପଇଁତରା ମାରି ଏହି ପାଟ୍ରୋଲିଂ ଦଳ ମହିଳା ଓ ଶିଶୁମାନଙ୍କ ପ୍ରତି ହେଉଥିବା ଅପରାଧ ବା ଭିଡରେ ହଜି ଯାଇଥିବା ଶିଶୁଙ୍କୁ ତୁରନ୍ତ ଉଧାର କରିବାରେ ସହଯୋଗ କରିବେ ।
ଏହି ପାଟ୍ରୋଲିଂ ବ୍ୟବସ୍ଥା ମହିଳାଙ୍କ ବିରୋଧରେ ଅପରାଧ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ଏକ ସୁରକ୍ଷା କବଚର ପଦକ୍ଷେପ । ମହିଳା ପାଟ୍ରୋଲିଂ ଦଳକୁ ମୁଖ୍ୟ ସ୍ଥାନଗୁଡ଼ିକରେ ଯଥା ଜନସମାଗମ ଏବଂ ବଜାର ସହିତ ଉତ୍ସବ ସ୍ଥଳୀଗୁଡ଼ିକରେ ଜଣେ ଜଣେ ଅଫିସରଙ୍କ ତତ୍ତ୍ୱାବଧାନରେ ବ୍ୟବହାର କରାଯିବ । ଏହି ପଦକ୍ଷେପ ଭୁବନେଶ୍ୱର ସହରରେ ଆଇନ ଶୃଙ୍ଖଳା ପ୍ରତି ଯତ୍ନବାନ ରହିବେ । ଦଶହରାକୁ ଏକ ଖୁସି ଓ ସୁରକ୍ଷିତ ଉତ୍ସବ କରିବା ପାଇଁ କମିଶନର ଦେବଦତ୍ତ ସିଂହ ଏଭଳି ପଦକ୍ଷେପ ନେଇଥିବାବେଳେ ଜନତାଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି ।