ଧୁନା ବନାମ ସୁନନ୍ଦା; ଏବେ ଏକଲା ଚଲୋ...
ାା ପ୍ରଭାନୁ୍ୟଜ ।ା ଯାଜପୁର : ଯେତେ ନେତା ସେତେ ଗୋଷ୍ଠୀ । ରାଷ୍ଟ୍ରୀୟ ହେଉ କି ଆଞ୍ଚଳିକ । ବାହାରକୁ ଆମେ ଏକାଠି ବୋଲି ଦେଖେଇ ହେଲେ ମଧ୍ୟ ସମୟେ ସମୟେ କିନ୍ତୁ ବାସ୍ତବତା ପଦାକୁ ଆସିଯାଇଥାଏ । କାହିଁକି ନା ନିଜର ସ୍ଥିତି ମଜବୁଦ କରିବା ସହ ଭବିଷ୍ୟତ ଲକ୍ଷ୍ୟ ଥାଏ ନେତାଙ୍କ ମନରେ । ସେଥିପାଇଁ ଏଭଳି ମାନସିକତାରେ ଥିବା ନେତା ଏକଲା ଚଲୋ ନୀତିକୁ ଆପଣାଇବାକୁ ବାଧ୍ୟ ହୋଇଥାନ୍ତି । ରାଜ୍ୟରୁ ଆରମ୍ଭ କରି ଯାଜପୁର ଜିଲା ପର୍ଯ୍ୟନ୍ତ ଉଦାହରଣ ଅନେକ ରହିଛି । ଯଦି ଆମେ ୨୫ବର୍ଷ ଧରି କ୍ଷମତା ବାହାରେ ଥିବା କଂଗ୍ରେସ କଥା କହିବା, ତେବେ ବଡ଼ଚଣାରୁ ଆରମ୍ଭ କଲେ ବରିଷ୍ଠ ନେତା ସୀତାକାନ୍ତ ମହାପାତ୍ର, ଜନ୍ମେଜୟ ଲେଙ୍କାଙ୍କ କଥା ଆସିବ । ଧର୍ମଶାଳାରେ ଶ୍ରୀନାଥ ମିଶ୍ର, କାଙ୍ଗାଳି ପଣ୍ଡା କୋରେଇରେ ରାମଚନ୍ଦ୍ର ଖୁଣ୍ଟିଆ-ବନ୍ଦିତା ପରିିଡ଼ା । ଏମିତି ଭାବେ ଯାଜପୁର, ବିଞ୍ଝାରପୁର ଏବଂ ବରୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ରାଜନୈତିକ ଗତିବିଧି ଦେଖିବାକୁ ମିଳିଥିଲା । ସଦ୍ୟ କ୍ଷମତା ହରାଇଥିବା ବିଜେଡ଼ି ଏବଂ ପ୍ରଥମ କରି କ୍ଷମତାରେ ବସିଥିବା ବିଜେପିରେ ମଧ୍ୟ ରହିଥିବା ଅନେକ ନିର୍ବାଚନମଣ୍ଡଳୀ ନେତା ଏକଲା ଚଲୋକୁ ବାଛି ନେଇଥିଲେ । ଉଦାହରଣ ରଖିଲେ ପୃଷ୍ଠାର ଅଭାବ ପଡ଼ିବ । ଏଭଳି କିଛି ବରୀ କ୍ଷେତ୍ରରେ ଦେଖିବା ଆରମ୍ଭ ହୋଇଛି । ପ୍ରାକ୍ତନ ବରୀ ବିଧାୟିକା ସୁନନ୍ଦା ଦାସ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେବା ପରେ ଗଲା ନିର୍ବାଚନରେ ପଦ୍ମଚିହ୍ନରେ ନିର୍ବାଚନ ଲଢିଥିବା ଉମେଶ ଜେନାଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦି ଭାବେ ଉଭା ହୋଇଛନ୍ତି । ସୁନନ୍ଦା ବିଜେପିରେ ସାମିଲ ହେଲେ ତାଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବେ, ଏକଥାକୁ ଭଲ ଭାବେ ବୁଝିଥିବା ଉମେଶ କିନ୍ତୁ ଗଲା ୬ତାରିଖ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବ ମଞ୍ଚରେ ଉପସ୍ଥିତ ଥିଲେ । କେବଳ ସେ ଏକାକୀ ନୁହେଁ ଜିଲାର ପ୍ରମୁଖ ନେତା ମଧ୍ୟ ସୁନନ୍ଦାଙ୍କୁ ମଞ୍ଚରେ ସ୍ୱାଗତ କରିଥିଲେ । କଂଗ୍ରେସ ରାଜନୀତରୁ ଆସି ବିଜେପିରେ ସାମିଲ ହୋଇଥିବା ଉମେଶ ଜେନା (ଧୁନା) ଗଲା ବିଧାନସଭା ନିର୍ବାଚନରେ ବରୀ ବିଜେପିର ମଙ୍ଗଧରିଥିଲେ । ହେଲେ ବିଜେଡ଼ି ଆଗରେ ପରାହତ ହୋଇଥିଲେ ଧୁନା । ବିଶ୍ୱରଂଜନ ମଲିକ ପଦ୍ମ ଛାଡ଼ିବା ପରେ ବରୀରେ ବିଜେପିର ସାଂଗଠନିକ ଦକ୍ଷତା ହ୍ରାସ ପାଇଥିଲା । ଏଣୁ ବିଶ୍ୱ ବିଜେଡ଼ିରୁ ଲଢି ଏକାପାଖିଆ ବିଜୟ ହାସଲ କରିଥିଲେ । ଯେତେ ବେଳେ କି ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀ ମଧ୍ୟରୁ ୩ଟିରେ ବିଜେପି ବାଜି ମାରିଥିଲା, ଏବଂ ଦୁଇଟାରେ କଢା ଟକ୍କର ଦେଇଥିଲା । ବିଜେପି କ୍ଷମତାକୁ ଆସିବାପରେ ବହୁ ବିଜେଡ଼ି ନେତା ଏବେ ପଦ୍ମଦଳରେ ସାମିଲ ହେବାରେ ଲାଗିଛନ୍ତି । ସେହିକ୍ରମେ ବରୀର ପ୍ରାକ୍ତନ ବିଧାୟିକା ସୁନନ୍ଦା ଦାସ ବିଜେପିରେ ନିଜକୁ ସାମିଲ କରିଛନ୍ତି ।
ଏକଦା ବିଜେପିରେ ଥିବା ସୁନନ୍ଦା ୧୯ ନିର୍ବାଚନରେ ପଦ୍ମଛାଡ଼ି ଶଙ୍ଖ ଫୁଙ୍କିବା ସହ ଟିକେଟ ହାତେଇ ବିଶ୍ୱଙ୍କ ବିଜୟ ସ୍ୱପ୍ନକୁ ଚୁମାର୍ କରି ଦେଇଥିଲେ । ବିଜେପି ଭଳି ରାଷ୍ଟି୍ରୟ ଦଳରେ ଥିବା ବିଶ୍ୱ ସୁନନ୍ଦା ଏବଂ ତାଙ୍କ ସ୍ୱାମୀ ଦେବୁଲିଙ୍କୁ ସାରଥି କରି ନିର୍ବାଚନ ବୈତରଣୀ ପାରି ହେବାକୁ ୧୯ରେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ବିଜେଡ଼ିର ଗୋଟି ଚାଳନାରେ ଧୂଳିଶାତ ହୋଇଯାଇଥିଲା । ୨୪ ନିର୍ବାଚନରେ ବିଶ୍ୱ ସୁନନ୍ଦାଙ୍କ ଟିକେଟ କାଟି ବିଜୟୀ ହେବା ଅପ୍ରତ୍ୟାଶିତ ବୋଲି କେବେ ହେଲେ କୁହାଯାଇପାରିବନି । ତେବେ ଟିକେଟରୁ ବଞ୍ଚିତ ହେବାର ୪ମାସ ଅତିକ୍ରାନ୍ତ ପରେ ସୁନନ୍ଦା ବିଜେପିରେ ଯୋଗ ଦେବା ପରେ ବରୀ ନିର୍ବାଚନମଣ୍ଡଳୀରେ ଦଳକୁ ତୃଣମୂଳ ସ୍ତରରୁ ସଶକ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ସେଥିପାଇଁ ସେ ଜିଲା ସଭାପତି, ଧର୍ମଶାଳା ବିଧାୟକଙ୍କୁ ଭେଟି ସେମାନଙ୍କ ସହଯୋଗ ଲୋଡ଼ିଛନ୍ତି । ବରୀର ବିକାଶ ଆମ ସଭିଁଙ୍କ ପ୍ରୟାସ ଆହ୍ୱାନ ଦେଇ ସୁନନ୍ଦା ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଅତଏବ ଏକଲା ଚଲୋ...ା ବରୀର ବିକାଶ ଆମ ସଭିଁଙ୍କ ପ୍ରୟାସ ଆହ୍ୱାନ ଦେଇଥିଲେ ହେଁ ସୁନନ୍ଦା କିନ୍ତୁ ଆରମ୍ଭରୁ ଧୁନାକୁ କରଛଡ଼ା ଦେଇଛନ୍ତି । ଧୁନା ବି ମଧ୍ୟ ଏକଲା ଚଲୋ ନୀତିରେ ପ୍ରଥମ ଦିନରୁ ସୁନନ୍ଦାଙ୍କ ଠାରୁ ଦୂରେଇ ରହିଛନ୍ତି । ସୁନନ୍ଦା ସଭାପତି, ହୁଅନ୍ତୁ କି ମୁଖ୍ୟମନ୍ତ୍ରୀ ବା ଅନ୍ୟ କୌଣସି ନେତା-ନେତ୍ରୀଙ୍କୁ ସାକ୍ଷାତ କରିବା ବେଳେ ଧୁନାକୁ ସାଙ୍ଗରେ ନେଇ ଆମେ ଏକ ବୋଲି ବାର୍ତ୍ତା ଦେବାକୁ ଆଗ୍ରହ ଦେଖାଇନଥିବା ବେଳେ ଧୁନା ବି ସୁନନ୍ଦାଙ୍କୁ ସାଙ୍ଗରେ ନେବାକୁ ଆଗ୍ରହଦେଖାଇ ନାହାନ୍ତି । ଯଦି ଧୁନାଙ୍କ କଥା କୁହାଯିବ, ତେବେ ସୁନନ୍ଦାଙ୍କ ମିଶ୍ରଣ ପର୍ବ ୬ ତାରିଖ ସନ୍ଧ୍ୟାରେ ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଞ୍ଚାୟତର ଗୋପାଳପୁର ଠାରେ ଏକ ମିଶ୍ରଣ ପର୍ବରେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସହ ଉପସ୍ଥିତ ରହିଥିଲେ ହେଁ ସେଠାରେ ସଦ୍ୟ ସାମିଲ ସୁନନ୍ଦାଙ୍କୁ ଦେଖିବାକୁ ମିଳିନଥିଲା । ଏଇମାତ୍ର ଘଟଣା ଦର୍ଶାଉଛି ଉଭୟ ଧୁନା ଏବଂ ସୁନନ୍ଦା ବରୀରେ ନିଜର ରାଜନୈତିକ ଭବିଷ୍ୟତ ପାଇଁ ଏକଲା ଚଲୋ, ଉପରେ ବିଶ୍ୱାସ ରଖି ଆଗକୁ ଚାଲିବେ ।