ଓଡ଼ିଶାର ମହିଳା ନେତ୍ରୀ ,ସରଳା ଦେବୀଙ୍କ ଠାରୁ ଦୀପାଳି

ଓଡ଼ିଶାର ମହିଳା ନେତ୍ରୀ ,ସରଳା ଦେବୀଙ୍କ ଠାରୁ ଦୀପାଳି

ଭୁବନେଶ୍ୱର : ପ୍ରାକ୍‌ ସ୍ୱାଧୀନତା ସମୟରେ ସରଳା ଦେବୀ ପ୍ରଥମ ମହିଳା ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ  । ୧୯୩୭ରୁ ୧୯୪୫ ପର୍ଯ୍ୟନ୍ତ ସେ ଥିଲେ ବିଧାୟିକା  । ଏପରିକି ଦିନକ ପାଇଁ ସେ ବାଚସ୍ପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି  । ତେବେ ସେହି ସମୟରେ ଏ. ଲକ୍ଷ୍ମୀବାଇ ମଧ୍ୟ ବିଧାୟିକା ଥିଲେ  । ସେ ୧୯୩୭ରୁ ୧୯୪୫ ଓ ୧୯୪୬ରୁ ୧୯୫୨ ପର୍ଯ୍ୟନ୍ତ ବିଧାୟିକା ଭାବେ କାର୍ଯ୍ୟ କରିଥିଲେ  । ଏମାନଙ୍କ ବ୍ୟତୀତ ୧୯୪୬ରୁ ୧୯୫୨ ପର୍ଯ୍ୟନ୍ତ ଆନେ କାଥେରିନ ମୁନରୋ ଓ ପ୍ରିୟମ୍ବଦା ଦେବୀ ବିଧାୟିକା ଥିଲେ  ।
୧୯୫୨ରେ ୩ ଜଣ ମହିଳା ବିଧାୟିକା ହୋଇଥିଲେ  । ପଟ୍ଟାମୁଣ୍ଡାଇରୁ ରାମ ରାଜକୁମାରୀ, ରାଜନଗରରୁ ସରସ୍ୱତୀ ଦେବୀ ଓ ରଣପୁରରୁ ବସନ୍ତ ମଞ୍ଚରୀ ଦେବୀ ବିଧାୟିକା ହୋଇଥିଲେ  । 
୧୯୫୭ରେ ୫ ଜଣ ମହିଳା ବିଧାୟିକା ଥିଲେ  । ଦିଗପହଣ୍ଡିରୁ ଅନଙ୍ଗ ମଞ୍ଜରୀ ଦେବୀ, ଦେବଗଡ଼ରୁ ରାଣୀ ଜ୍ୟୋତିମଞ୍ଜରୀ ଦେବୀ, କେନଗରରୁ ରତ୍ନପ୍ରଭା ଦେବୀ, ରଣପୁରରୁ ବସନ୍ତ ମଞ୍ଜରୀ ଦେବୀ ଓ ବଡ଼ମ୍ବାରୁ ରାଣୀ ସାହେବା କନକଲତା ଦେବୀ  ।
୧୯୬୧ରୁ ୧୯୬୭ ପର୍ଯ୍ୟନ୍ତ ବିଧାନସଭାରେ ୫ ଜଣ ମହିଳା ବିଧାୟକ ହେବାର ସୌଭାଗ୍ୟ ପାଇଥିଲେ  । ଭି ସୁଜ୍ଞାନୀ କୁମାରୀ ଦେଓ ପ୍ରଥମ ଥର ପାଇଁ ଉପନିର୍ବାଚନରେ  ଖଲିକୋଟରୁୁ ବିଜୟୀ ହୋଇଥିଲେ  । ସେହିପରି କାଶୀପୁରରୁ ନବକୁମାରୀ ଦେବୀ, ଭଟଲିରୁ ସରସ୍ୱତୀ ପ୍ରଧାନ, ଢେଙ୍କାନାଳରୁ ରତ୍ନପ୍ରଭା ଦେବୀ ଓ ଏରସମାରୁ ରତ୍ନମାଳୀ ଜେମା ବିଧାୟିକା ହୋଇଥିଲେ  । 
ଚତୁର୍ଥ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ୫ ବିଧାୟିକା  । ଧାମନଗରରୁ ସତ୍ୟଭାମା ଦେବୀ, ସୁକିନ୍ଦାରୁ ଆନନ୍ଦ ମଞ୍ଜରୀ ଦେବୀ, ଭଟଲିରୁ ସରସ୍ୱତୀ ପ୍ରଧାନ ଓ ଢେଙ୍କାନାଳରୁ ବିଜୟୀ ହୋଇଥିଲେ ରତ୍ନପ୍ରଭା ଦେବୀ  । ସେହିପରି ଭୁବନେଶ୍ୱରରୁ ସୁଭଦ୍ରା ମହତାବ ଉପନିର୍ବାଚନରେ ବାଜିମାତ୍‌ କରିଥିଲେ  ।