ଚର୍ଚ୍ଚାରେ ସିମୁଳିଆ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀଙ୍କ ପ୍ରଚାରର ସାରଥୀ ସାଜିଛନ୍ତି ପରିବାର
ଖଇରା : ବାଲେଶ୍ୱର ଜିଲା ସିମୁଳିଆ ନିର୍ବାଚନ ମଣ୍ଡଳୀରେ ୩ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇ ଯାଇଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ଜୋରଦାର ହେବାରେ ଲାଗିଛି । ଏଥର ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବା ସ୍ପଷ୍ଟ ହୋଇ ଯାଇଛି । ବିଜେଡି ଟିକେଟରୁ ବଞ୍ଚିତ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସମର୍ଥନକୁ ସବୁଦଳ ଚାତକ ଭଳି ଅନାଇ ବସିଥିବା ବେଳେ ତାଙ୍କର ନିରବତା ପୁରା ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ଦ୍ୱନ୍ଦରେ ପକାଇଛି । ସେପଟେ ବର୍ତ୍ତମାନ ବିଭିନ୍ନ ଦଳ ପାଇଁ ଘୋଷିତ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ସେମାନଙ୍କ ପରିବାର ଲୋକ ଅର୍ଥାତ କେଉଁଠି ସ୍ୱାମୀ ପାଇଁ ସ୍ତ୍ରୀତ ଆଉ କେଉଁଠି ସ୍ତ୍ରୀ ପାଇଁ ସ୍ୱାମୀ ସାରଥି ସାଜିଥିବା ବେଳେ ଅନ୍ୟ କେଉଁଠି ବାପା ପାଇଁ ସନ୍ତାନମାନେ ସାରଥି ସାଜିଛନ୍ତି । କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଶେଖର ବେହେରାଙ୍କ ପାଇଁ ତାଙ୍କ ପତ୍ନୀ ପ୍ରଜ୍ଞାପାରମିତା ସାରଥି ସାଜି ଏବେ ଘର ଘର ବୁଲି ଓ ଗାଁ ବରଗଛ ତଳେ ଛୋଟ ଛୋଟ ବୈଠକ କରି ସ୍ୱାମୀଙ୍କ ପାଇଁ ଭୋଟ ନିବେଦନ କରୁଛନ୍ତି । ବିଜେଡି ପ୍ରାର୍ଥିନୀ ସୁବାସିନୀ ସାହୁଙ୍କ ପାଇଁ ସ୍ୱାମୀ ତଥା ରାଜ୍ୟ ସଂସ୍କୃତି ମାନବସମ୍ବଳ ବିକାଶ ସମ୍ପାଦକ ଶଶି କୁମାର ସାହୁ ପ୍ରଚାରକୁ ଜୋରଦାର କରିଛନ୍ତି । ବିଭିନ୍ନ ପଞ୍ଚାୟତକୁ ଯାଇ ପଞ୍ଚାୟତ ସ୍ତରୀୟ ବୈଠକ କରିବା ସହ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ମନାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ସେହିଭଳି ଭାଜପା ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କ ପାଇଁ ପ୍ରଚାରରେ ସାରଥି ସାଜିଛନ୍ତି ୨ପୁଅ ଅଣୁମାଧବ ଓ ନିଳମାଧବ । ଏଥର ପ୍ରଚାରରେ ବ୍ଲକ ସ୍ୱାଭିମାନ ପ୍ରସଙ୍ଗକୁ ଗୁରୁତ୍ୱ ଦିିଆଯାଉଥିବା ବେଖିବାକୁ ମିଳିଛି । ଖଇରା ଓ ସିମୁଳିଆ ଦୁଇ ବ୍ଲକକୁ ନେଇ ଗଠିତ ସମୁଳିଆ ନିର୍ବାଚନ ମଣ୍ଡଳି ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ହିମାଂଶୁଙ୍କ ଘର ଖଇରାର ହୋଇଥିବା ବେଳେ ଭାଜପା ପ୍ରାର୍ଥି ପଦ୍ମ ଲୋଚନଙ୍କ ଘର ସିମୁଳିଆ ବ୍ଲକରେ । ସେହିଭଳି ବିଜେଡି ପ୍ରାର୍ଥୀନୀ ସିମୁଳିଆ ନିର୍ବାଚନ ମଣ୍ଡଳୀ ସଂଲଗ୍ନ ସୋର ନିର୍ବାଚନ ମÿଣ୍ଡଳୀରୁ ହୋଇଥିବାରୁ ଏବେ ସମର୍ଥକ ମଧ୍ୟରେ ବ୍ଲକ ସ୍ୱାଭିମାନକୁ ଭାଷଣରେ ସ୍ଥାନ ଦେଉଥିବାରୁ ପ୍ରଚାର ସରଗମ ହୋଇ ପଡିଛି । ୩ ପ୍ରାର୍ଥୀଙ୍କ ଭାଇରାଲ ଭାଷଣ ମଧ୍ୟ କର୍ମୀଙ୍କୁ ଉତ୍ସାହିତ କରିଛି । ବିଜେଡି ପ୍ରାର୍ଥିନୀ ଭାଷଣରେ ବିଧାୟକ ଭାବେ ମିଳିବାକୁ ଥିବା ସମସ୍ତ ଦରମା ଗରୀବଙ୍କୁ ଦାନ କରିବି ବୋଲି ବିଭିନ୍ନ ବୈଠକରେ କହିବୁଲୁଥିବା ବେଳେ ଭାଜପା ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା ତାଙ୍କ ଭାବ ବିହ୍ୱଳ ଭାଷଣରେ ମୋତେ ଖଣ୍ଡେ ଭୋଟ ଦେବ ନହେଲେ ଯୁଇରେ କାଠ ଦେବକୁ ନେଇ ଛକ ଗଳିରେ ଆଲୋଚନା ଜୋର ଧରିଛି । ସେପଟେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ବେହେରା ଓ ସମର୍ଥକ ମାନେ ବିଭିନ୍ନ ସମାବେଶରେ ଖଇରା ସ୍ୱାଭିମାନର ଚେହେରା, ହିମାଂଶୁ ବେହେରା ବୋଲି କହିବୁଲିବା ସିମୁଳିଆ ରାଜନିତି ପାଣିପାଗକୁ ସରଗରମ କରିଛି ।