ଲୋଧା ଜନଜାତିକୁ ସରକାରୀ ସହାୟତା ସାତସପନ
ନୀଳଗିରି: ବାଲେଶ୍ୱର ଜିଲ୍ଲାର କୁଲଡିହା ଅଭୟାରଣ୍ୟର ପାଦଦେଶରେ କେସିପୁର ନିକଟ ଚେମଚଟା ଅଞ୍ଚଳରେ ୩୨ଟି ଲୋଧା ପରିବାର ବସବାସ କରିଆସୁଛନ୍ତି । ଏହି ସଂପ୍ରଦାୟର ଲୋକେ ବିଭିନ୍ନ ମୌଳିକ ଅଧିକାରରୁ ବଞ୍ଚିତ ହେବା ସହ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଏନେଇ ରାଧାକାନ୍ତ ତ୍ରିପାଠୀ ନାମକ ବ୍ୟକ୍ତି ଜାତୀୟ ମାନବାଧିକାର କମିଶନର ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ନେଇ ବୁଧବାର ପୂର୍ବାହ୍ନରେ ନୀଳଗିରି ଉପ ଜିଲ୍ଲାପାଳ ଶୁଭଶ୍ରୀ ରଥଙ୍କ ନେତୃତ୍ୱରେ ବନବିଭାଗ, ଗ୍ରାମ୍ୟ ଜଳ ପରିମଳ ବିଭାଗ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ସ୍ୱାସ୍ଥ୍ୟ ବିଭାଗ, ରାଜସ୍ୱ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିବେଶ, ପରିସ୍ଥିତି ଉପରେ ଅନୁଧ୍ୟାନ କରିଥିଲେ । ଶେଷରେ ୩୨ଟି ଲୋଧା ପରିବାର ପାଇଁ ଆବଶ୍ୟକ ହେଉଥିବା ମୌଳିକ ସୁବିଧା କିପରି ତୁରନ୍ତ ଯୋଗାଇ ଦିଆଯାଇପାରିବ ସେ ବିଷୟରେ ଲୋଧା ପରିବାର ଲୋକଙ୍କ ସହିତ ସମସ୍ତ ଅଧିକାରୀମାନେ ଆଲୋଚନା କରିଥିଲେ । ଚେମଚଟା ଅଞ୍ଚଳଟି ଇକୋ ସେନ୍ସିଟିଭ ଜୋନ୍ ଭିତରେ ଆସୁଥିବାରୁ କିଛି ପରିବାର ବାଲେଶ୍ୱର ଜିଲ୍ଲାର ସୀମାନ୍ତ ମୟୂରଭଞ୍ଜ ଜିଲ୍ଲାରୁ ସରକାରୀ ସହାୟତା ନେଉଛନ୍ତି । ଏମାନଙ୍କର ମୁଖ୍ୟ ସମସ୍ୟା ଜଳ, ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା ଆବଶ୍ୟକ ହେଉଥିବା ବେଳେ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ଏମାନଙ୍କୁ ସମସ୍ତ ମୌଳିକ ଅଧିକାର ସହ ସରକାରୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ପ୍ରଶାସନିକ ସ୍ତରରେ ଆରମ୍ଭ ହେଉଛି ଉଦ୍ୟମ । ଘଟଣାସ୍ଥଳରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର କାରୁ ସୋରେନ୍, ବ୍ଲକ ମଂଗଳ ସଂପ୍ରସାରଣ ଅଧିକାରି ଶୈଳେନ୍ଦ୍ର ଶତପଥି, ବାଲେଶ୍ୱର ଏସିଏଫ ଓ କୁଲଡ଼ିହା ରେଞ୍ଜର ପ୍ରବୀର୍ ମୁର୍ମୁ, ଗ୍ରାମ୍ୟ ଜଳ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇନ୍ଦ୍ରଜିତ୍ ସିଂ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ସମ୍ପ୍ରସାରଣ ଜନମଙ୍ଗକ ଅଧିକାରୀ ଶୈଳନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।