ଜଳିଗଲା ୬ ବଖରା
ନୀଳଗିରି : ନିମପାଳ ଗ୍ରାମରେ ଜଳିଗଲା ୨ଟି ପରିବାରର ୬ ବଖରା ଘର । ନିନିମଣୀ ସିଂଙ୍କ ୩ ବଖରା ଘର ଜଳିଥିବା ବେଳେ ଗୌରୀମଣି ସିଂଙ୍କ ୩ବଖରା ଘର ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ, ଅପରାହ୍ନ ସମୟରେ ନୀଳଗିରି ବ୍ଲକ ନରସିଂହପୁର ପଞ୍ଚାୟତ ନିମପାଳ ଗ୍ରାମର ନିନିମଣୀ ସିଂଙ୍କ ଘରେ କୌଣସି କାରଣବଶତଃ ହଠାତ ନିଆଁ ଲାଗିଥିଲା । କେହି ଘରେ ନଥିବା କାରଣରୁ ତୁରନ୍ତ ନିଆଁ ଲାଗି ଘର ଗୁଡିକ ହୁତୁହୁତୁ ହୋଇ ଜଳିବା ସହ ପବନ କାରଣରୁ ନିଆଁ ବ୍ୟାପି ନିକଟ ଗୌରୀମଣି ସିଂଙ୍କ ଘରେ ଲାଗି ଜଳିବାକୁ ଆରମ୍ଭ କରିଥିଲା । ଗୌରୀମଣୀଙ୍କ ପରିବାର ଲୋକେ ବାହାରକୁ ଦୌଡି ଆସି ଜୀବନ ବଞ୍ଚାଇବା ସହ ନୀଳଗିରି ଅଗ୍ନିଶମ ବାହିନୀକୁ ଅବଗତ କରିଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ମୋଟ ନଅ ବଖରା ଚାଳଘର ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଥିଲା । ହେଲେ ନିଆଁ ଲାଗିବାର କାରଣ ଏଯାବତ୍ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ ବୋଲି ଅନୁମାନ କରାଯାଉଛି । ତେବେ ଅଗ୍ନିବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ପାଇଁ ଅନୁରୋଧ କରାଯାଇଛି ।