ଶେଷ ଦିନରେ ୧୨ ପ୍ରାର୍ଥୀଙ୍କ ନାମାଙ୍କନ 

 ପୁରୀ: ଷଷ୍ଠ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଥିବା ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିବସରେ ପୁରୀ ଲୋକସଭା ଆସନ ପାଇଁ ୪ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିଥିବା ବିଜେପି ପ୍ରାର୍ଥୀ ଆଉ ୨ଟି ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୁରୀ ଲୋକସଭା ଆସନ ପାଇଁ ବି.ଏସ୍.ପି ପ୍ରାର୍ଥୀ ସନ୍ତୋଷ କୁମାର ମହାପାତ୍ର ଓ ଶାନ୍ତନୁ କୁମାର ଦାସ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରୂପେ ଜୟନାରାୟଣ ପଟ୍ଟନାୟକ ଓ ସ୍ୱାଧୀନ ପ୍ରାର୍ଥୀ ରୂପେ ଶୋଭା ପାଣ୍ଡେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଉ ୭ଜଣ ଶେଷ ଦିବସରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସସ୍ମିତା ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ରୂପେ ଉପଜିଲ୍ଳାପାଳ, ସ୍ୱାଧୀନ ପ୍ରାର୍ଥୀ ରୂପେ ବୀରକିଶୋର ମହାନ୍ତି ଓ ରବି ସ୍ୱାଇଁ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପିପିଲି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ରୂପେ ଜ୍ଞାନ ପଟ୍ଟନାୟକ ଅତିରିକ୍ତ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଶୁଭ୍ରାଂଶୁ କୁମାର ମଲ୍ଲିକ ଅତିରିକ୍ତ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସତ୍ୟବାଦୀ ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ରୂପେ ଶେଷ ଦିବସରେ ଦେବୀ ପ୍ରସାଦ ଜେନା ଅତିରିକ୍ତ ଜିଲ୍ଳାପାଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ  କରିଥିଲେ । ପୁରୀ ବିଧାନସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ରୂପେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଉମାବଲ୍ଲଭ ରଥ । ନିଜ ସମର୍ଥକମାନଙ୍କ ସହ ଏକ ଅଭିନବ ଶୋଭାଯାତ୍ରାରେ ଆସି ଶ୍ରୀ ରଥ ଉପଜିଲ୍ଳାପାଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଉମାବଲ୍ଲଭଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ୩୦ରୁ ଉଦ୍ଧ୍ୱର୍ ଶଗଡ଼ ଓ ୩୦୦ ବ୍ୟାଟେରୀ ଚାଳିତ ଅଟୋ ରିକ୍ସା । ସେହିଭଳି ସ୍ୱାଧୀନ ପ୍ରାର୍ଥୀ ରୂପେ ଶେଷ ଦିବସରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ସୁଜିତ ମହାପାତ୍ର । ଶ୍ରୀ ମହାପାତ୍ର ଶନିବାର ଦିନ କଂଗ୍ରେସ ପ୍ରାର୍ଥୀ ରୂପେ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ଟିକେଟ କଟିଯିବାରୁ ଆଜି ସେ ପୁନର୍ବାର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସାଂସଦ ପ୍ରାର୍ଥୀ ଜୟନାରାୟଣ ଏକ ଶୋଭାଯାତ୍ରାରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ବିନାୟକ ଦାସମହାପାତ୍ର ତାଙ୍କ ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।