ଯୁବ ମତଦାତା ସମ୍ମିଳନୀ
ଭଦ୍ରକ,: ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି ଏବିଭିପି । ଶତ ପ୍ରତିଶତ ମତଦାନ କରିବାକୁ ଜନ ସାଧାରଣଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବ । ଏହା ସହିତ ଓଡ଼ିଶାର ଅସ୍ମିତା ପାଇଁ ସାଧାରଣ ଜନତା ଯେପରି ନିଜର ମତଦାନ କରିବେ ସେଥିପାଇଁ ଏବିଭିପି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବ । ଯୁବବର୍ଗ ଓ ପ୍ରଥମଥର ଭୋଟ ଦେବାକୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସୋମବାର ଏବିଭିପି, ଭଦ୍ରକ ଜିଲ୍ଲା ପକ୍ଷରୁ ଯୁବ ମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଏବିଭିପିର ରାଷ୍ଟ୍ରୀୟ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ତଥା ପୂର୍ବତନ ରାଜ୍ୟ ସଭାପତି ଦିଲ୍ଲୀପ କୁମାର ଦାସ ଯୋଗଦେଇ ୫ ବର୍ଷରେ ଥରେ ଆସୁଥିବା ସାଧାରଣ ନିର୍ବାଚନ ସମୟରେ ଏବିଭିପିର ଆଭିମୁଖ୍ୟ ଉପରେ ବିଷୟ ରଖିଥିଲେ । ବାଲେଶ୍ୱର ବିଭାଗ ପ୍ରମୁଖ ତଥା ପୂର୍ବତନ ରାଜ୍ୟ ସଭାପତି ରମେଶ ଚନ୍ଦ୍ର ବେହେରା ଯୁବ ଭୋଟର ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଜିଲ୍ଲା ସହ ପ୍ରମୁଖ ପୁରୁଷୋତ୍ତମ ବେହେରାଙ୍କ ସହ ଜିଲ୍ଲା ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ ମଞ୍ଚାସୀନ ରହି ଉପସ୍ଥିତ କର୍ଯ୍ୟକର୍ତ୍ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମରେ ଏବିଭିପିର ବାଲେଶ୍ୱର ବିଭାଗ ସଙ୍ଗଠନ ମନ୍ତ୍ରୀ ସମ୍ବିତ ପ୍ରସାଦ ରାଉତ, ସହ ସଂଯୋଜକ ବିଶ୍ୱନାଥ ଲାହା, ସହ ଛାତ୍ରୀ ପ୍ରମୁଖ ପାର୍ବତୀ ମିଶ୍ର, ପ୍ରମୋଦ କୁମାର ବାରିକଙ୍କ ସମେତ ଭଦ୍ରକ ଜିଲ୍ଲାର ବିଭିନ୍ନ ନଗରରୁ ଶତାଧିକ ଛାତ୍ର ଓ ଯୁବକ ଯୋଗ ଦେଇଥିଲେ ।