ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ୩୮ ଜୋନ
ଯାଜପୁର-ଯଖପୁରା: ସପ୍ତମ ପର୍ଯ୍ୟାୟ ଭୋଟ ପାଇଁ ଇତି ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଯାଇଛି । ପ୍ରାର୍ଥୀ ଦଳବଳ ନେଇ ରିଟର୍ଣ୍ଣି ଅଫିସରଙ୍କ ପାଖରେ ନାମାଙ୍କନପତ୍ର ଦାଖଲ କରିବାରେ ଲାଗିଛନ୍ତି । ନାମାଙ୍କନ ପରେ ପ୍ରାର୍ଥୀ ଘରକୁ ଘର ବୁଲି ଭୋଟଭିକ୍ଷା କରିବେ । ଯଦି ଦେଖିବା ତେବେ ଶିଳ୍ପ ଓ ଖଣିଜ ସଂପଦରେ ଭରପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ଜମିବାକୁ ଯାଉଛି । ଏଠାରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେବ ପାଣିପାଗ କହୁଛି ।
ଉଭୟ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରଣକୌଶଳ ପ୍ରସ୍ତୁତି କରୁଛନ୍ତି । ଗାଁଗାଁରେ ଭୋଟରଙ୍କ ପାଖରେ ପହଞ୍ଚି ସଂଗଠନକୁ ସୁଦୃଢ କରିବାର ନଜିର ଆସୁଛି । ପ୍ରତିଦିନ ଉଭୟ ଦଳ ମିଶ୍ରଣ ପର୍ବ ଚାଲିଛି । ସମ୍ପୂର୍ଣ୍ଣ ନିର୍ବାଚନମଣ୍ଡଳୀ ଚଳ ଚଞ୍ଚଳ ହୋଇଉଠିଛି । ଯେହେତୁ ସୁକିନ୍ଦା ନିର୍ବାଚନମଣ୍ଡଳୀ ଯାଜପୁର ଜିଲାର ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ସେଥିପାଇଁ ସମସ୍ତଙ୍କ ନଜର ସୁକିନ୍ଦା ଉପରେ ରହିଛି । ପୂର୍ବରୁ ସୁକିନ୍ଦା ନିର୍ବାଚନମଣ୍ଡଳୀ ଅଣ କଂଗ୍ରେସ ଗଡ ଭାବେ ପରିଚିତ ହେଉଥିଲା ତାହା ଏବେ ବିଜେଡି ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ପାଞ୍ଚ ପାଞ୍ଚଥର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ପ୍ରଫୁଲ୍ଲ ଘଡାଇ ବିଜୟୀ ହୋଇଥିବା ବେଳେ ଏବେକାର ବିଧାୟକ ପ୍ରୀତିରଂଜନ ଘଡ଼ାଇ ଦୁଇ ଦୁଇଥର ବିଜୟୀ ହୋଇ ହାଟ୍ରିକ ମାରିବାକୁ ଲଢୁଛନ୍ତି । କିନ୍ତୁ ଚଳିତ ନିର୍ବାଚନ ବିଜେଡି ପାଇଁ କିଛି ମାତ୍ରାରେ ଚାଲେଞ୍ଜ ସୃଷ୍ଟି ହୋଇଛି । ନିର୍ବାଚନ ମଣ୍ଡଳୀରେ ୬ଗୋଟି ଜିଲା ପରିଷଦ ଜୋନ ରହିଛି । ଦୁଇଟି ବ୍ଲକ୍ ଓ ୪୮ଟି ପଞ୍ଚାୟତ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ରହିଛି । କିନ୍ତୁ ଯେହେତୁ ଡ଼ୁବୁରୀ ସୁକିନ୍ଦା ବ୍ଲକର ମୁଖ୍ୟାସ୍ଥଳୀ ରହିଛି ତେଣୁ ୩୮ନମ୍ବର ଜୋନ ସମସ୍ତଙ୍କ ନଜରରେ ଅଛି । ସୁକିନ୍ଦା ବ୍ଲକରେ ବିଜେଡିର ମଙ୍ଗ ଧରିଛନ୍ତି ବରିଷ୍ଠ ବିଜେଡି ନେତା ବେବି ଦାସ । ଯାହାଙ୍କ ଘର ଡ଼ୁବୁରୀ । ତେଣୁ ବିଜେଡି ୩୮ ନମ୍ବର ଜୋନରେ ଆଶାତୀତ ସଫଳତା ପାଇବ ବୋଲି ଆକଳନ କରୁଛି । କିନ୍ତୁ ବିଗତ ସାଧାରଣ ନିର୍ବାଚନ ହେଉ କି ପଞ୍ଚାୟତ ନିର୍ବାଚନ ହେଉ ୩୮ ନମ୍ବର ଜୋନରେ ବିଜେଡି ବାଜିମାତ କରିଥିଲା । ୩୮ନମ୍ବର ଜୋନ ମୁଖ୍ୟତଃ ଦୁଧୁଝରୀ, ବନ୍ଧଗାଁ, ଲେମ୍ବୋ, ସଂସେଇଲୋ, ଓଳିଆ, ଗୋବରଘାଟି, ଡ଼ୁବୁରୀ, ବାରଗାଡ଼ିଆ, ସାରଙ୍ଗପୁର ପଞ୍ଚାୟତ ଅନ୍ତର୍ଭୁକ୍ତ । ସୁକିନ୍ଦା ବ୍ଲକରେ ଏହି ଜୋନ ଉପରେ ଉଭୟ ବିଜେଡି ଓ ବିଜେପି ଦଳର ନଜର ରହିଛି । କାରଣ ବିଜେଡି ଦଳରେ ବେବୀ ଦାସ ପରି ବଡ଼ ଚେହେରା ଦଳର ଦାଇତ୍ୱ ନେଇଥିବା ବେଳେ ବିଜେପି ପାଇଁ ବାବୁନି ରାଜ୍ ମଙ୍ଗ ଧରିଛନ୍ତି । ତେଣୁ ୩୮ନମ୍ବର ଜୋନ ଉଭୟ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଗତ ପଞ୍ଚାୟତ ନିର୍ବାଚନରେ ଏହି ଜୋନରୁ ବିଜେଡି ଜିଲା ପରିଷଦ ଆସନ ଅକ୍ତିଆର କରିଥିଲା । ବିଜେଡି ଏହି ଜୋନରେ ଆଦିବାସୀ କାର୍ଡ ଖୋଲିଥିଲା । ସେହି କ୍ରମରେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ସାଧୁ ଚରଣ ତୀୟୁ ବିଜୟ ଲାଭ କରିଥିଲେ । କିନ୍ତୁ ଯଦି ପଞ୍ଚାୟତ ନିର୍ବାଚନ ସବୁକୁ ହିସାବ ନିଆଯାଏ ତେବେ ଗତ ସାଧାରଣ ନିର୍ବାଚନରେ ବିଜେଡିକୁ ସର୍ବାଧିକ ଅଧିକ ଭୋଟ ଦେଇଥିବା ଦୁଧୁଝୋରୀ ପଞ୍ଚାୟତରେ ବିଜେପି ସରପଞ୍ଚ ବିଜୟୀ ହୋଇଥିଲା ବେଳେ ବନ୍ଧଗାଁରେ ବିଜେପି ସରପଞ୍ଚ, ସଂସେଇଲୋ ପଞ୍ଚାୟତରେ ସ୍ୱାଧୀନ ସରପଞ୍ଚ ଅଛନ୍ତି । ଯାହା ବିଜେଡିକୁ ସମର୍ଥନ କରୁଛନ୍ତି । ଏସବୁକୁ ଯଦି ଦୃଷ୍ଟି ଦିଆଯାଏ ତେବେ ୩୮ନମ୍ବର ଜୋନରେ କିଏ ବାଜିମାତ କରିବ ଆକଳନକୁ ଗୋଳିଆ କରୁଛି । ଗତ ସାଧାରଣ ନିର୍ବାଚନ ବିଜେଡି ୩୮ନମ୍ବର ଜୋନରୁ ୧୨୭୩୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୧୨୦୫୮ ଖଣ୍ଡ ଭୋଟ ଓ କଂଗ୍ରେସ ୨୭୦୯ ଖଣ୍ଡ ଭୋଟ ପାଇଥିଲା । ଯାହାକି ଏହି ଜୋନରୁ ବିଜେଡି ଦଳ ବିଜେପି ଠାରୁ୬୭୫ ଖଣ୍ଡ ଅଧିକ ଭୋଟ ପାଇଥିଲା । କିନ୍ତୁ ଚଳିତ ନିର୍ବାଚନ କଥା ଟିକେ ଭିନ୍ନ ।
ଗତ ସାଧାରଣ ନିର୍ବାଚନର ସଫଳତା ଦୋହରାଇବା ପାଇଁ ବିଜେଡି ଚେଷ୍ଟାରେ ଥିବା ବେଳେ ବିଜେପି ବିଜେଡି ଠାରୁ କିପରି ଆଗରେ ରହିବ ଚେଷ୍ଟାରେ ଅଛି । ଦୁଧୁଝରୀ, ଓଳିଆ, ଡ଼ୁବୁରୀ, ସାରଙ୍ଗପୁର ପଞ୍ଚାୟତରେ ବିଜେଡି ଆଗରେ ରହିଥିବା ବେଳେ ବନ୍ଧଗାଁ, ଲେମ୍ୱୋ, ଗୋବରଘାଟି ପଞ୍ଚାୟତରେ ବିଜେପି ଆଗରେ ଅଛି ବୋଲି ଆକଳନ କରାଯାଉଛି । ସେହିପରି ସଂସେଇଲୋ ଓ ବାରଗାଡିଆରେ ସ୍ଥିତି ବରାବର ଥିବାର ଦେଖାଯାଉଛି । ସମ୍ପୂର୍ଣ୍ଣ ଜୋନକୁ ବିଚାରକୁ ନିଆଯାଏ ତେବେଏଠାରେ ନିଶ୍ଚିତ ଭାବରେ କଡା ଟକ୍କର ଦେଖିବାକୁ ମିଳିବ । କିନ୍ତୁ ଯେହେତୁ ଉଭୟ ଦଳର ବଡ଼ବଡ଼ ସଂଗଠକ ଏହି ଜୋନରେ ଅଛନ୍ତି ତେବେ ତାଙ୍କର ସାଂଗଠନିକ ପତିଆରା ପାଇଁ ଜୋରଦାର ଲଢେଇ ଦେଖିବାକୁ ମିଳିବ । ସେହିପରି ବିଜେଡି ପାଇଁ ଆଦିବାସୀ ମାନଙ୍କ ଭୋଟ ସମସ୍ୟା ରହିଛି । ଗୋବରଘାଟି ପଞ୍ଚାୟତର ସର୍ବାଧିକ ଭୋଟ ଆଦିବାସୀଙ୍କ ରହିଥିବାରୁ ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିବ । କାରଣ ଦୁଇ ମାସରୁ ଅଧିକ ସମୟ ହେବ ବିସ୍ଥାପନ ସମସ୍ୟାକୁ ନେଇ ନୀଳାଚଳ କାରଖାନା ସମ୍ମୁଖରେ କିଛି ଆଦିବାସୀ ପରିବାର ଧାରଣାରେ ବସିଛନ୍ତି । ଯାହା ବିଜେଡି ପାଇଁ ଚିନ୍ତାର କାରଣ ପାଲଟିବ । ସେହିପରି ସଂସେଇଲୋ ପଞ୍ଚାୟତର କିଛି ଗ୍ରାମ ଟାଟା କାରଖାନାକୁ ଆସିବାକୁ ଥିବା ରେଳଧାରଣା ପାଇଁ ବିସ୍ଥାପିତ ହେବାକୁଅଛି । ଯାହା ଫଳରେ ବିସ୍ଥାପିତ ହେବାକୁ ଥିବା ପରିବାର ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଯାହାକୁ ଶାନ୍ତ କରିବା ପାଇଁ ବିଜେଡି ଚେଷ୍ଟାରେ ରହିଛି । ସେହିପରି ଏହି ଅଶାନ୍ତିରୁ ବିଜେପି କିପରି ଫାଇଦା ଉଠାଇବ ତାହା ସମୟ କହିବ । ସାରା ରାଜ୍ୟରେ ବିଜେପି ପରିବର୍ତନ ଓ ମୋଦି ଗ୍ୟାରେଣ୍ଟି ଦେଇ ଭୋଟର ପାଖକୁ ଯାଉଥିବା ବେଳେ ବିଜେଡି ବିକାଶର କଥା ଓ ନବୀନ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ଭୋଟରଙ୍କ ଆକୃଷ୍ଟ କରୁଛନ୍ତି । ଫଳରେ ଉଭୟ ବିଜେଡି ଓ ବିଜେପି ଛକା ପଞ୍ଝାରେ ରହିଛନ୍ତି । ସେହି କ୍ରମରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିକାଶର କଥା କହି ବିଜେଡି ଲୋକଙ୍କ ସାଙ୍ଗରେ ଥିବାବେଳେ ପରିବର୍ତନ ନାରା ଦେଉଛି ବିଜେପି । ଦେଖାଯାଉ ଆଗାମୀ ଦିନରେ କେଉଁ ଦଳ ସର୍ବାଧିକ ଭୋଟ ଏହି ଜୋନରୁ ପାଉଛି ।