ସେତୁ ଦବିବା ଘଟଣାର ତଦନ୍ତ ଦାବିକଲା ବିଜେପି

 ଯାଜପୁର ଟାଉନ: ଯାଜପୁର ବ୍ଲକ ଚଇନପୁର ପଞ୍ଚାୟତ ବେଲେଶ୍ୱର ସ୍ଥିତ ବୈତରଣୀ ନଦୀରେ ନିର୍ମିତ ଜିଲ୍ଲାର ପ୍ରଥମ ବିଜୁ ସେତୁ ବନ୍ୟାଜଳ ପ୍ରଭାବରେ ଦବି ଯିବା ଘଟଣାର ତଦନ୍ତ ଦାବି କରିଛି ବିଜେପି । ଅପରାହ୍ଣରେ ପୂର୍ବତନ ଜିଲ୍ଲା ସଭାପତି ଗୌତମ ରାୟ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ପ୍ରଶାସନକୁ ଦାବି କରିଥିଲେ । ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ମନ୍ମଥ ବରାଳ, କେଶବ ମିଶ୍ର, ଜିତାମିତ୍ର ଦାସ, ଅରୁଣ ନନ୍ଦ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ । ନଦୀ ପଠାରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେବା ସହ ଦୈନିକ ଶତାଧିକ ବାଲି ବୋଝେଇ ହାଇବା ସେତୁ ଦେଇ ଯିବା କାରଣରୁ ଦବିବାର ପ୍ରମୁଖ କାରଣ ପାଲଟିଛି । ଏହି ନଦୀରୁ ଶତାଧିକ ଚୋରା ବାଲି ପଣସା ପଞ୍ଚାୟତର କୁସି ଗ୍ରାମର ଗଚ୍ଛିତ ରଖାଯାଇଥିବା ବେଳେ ଆଜି ଜିଲ୍ଲା ଖଣି ବିଭାଗ ପକ୍ଷରୁ ପାଖାପାଖି ୭ଶହ କ୍ୱିବିକ ମିଟର ଗଚ୍ଛିତ ଚୋରା ବାଲିକୁ ଜବଦ କରିଛି । ଖବର ଥାଉକି ଶୁକ୍ରବାର ଉକ୍ତ ସେତୁର ମଝି ଭାଗରେ ଥିବା ତିନୋଟି ସ୍ପାନ ଦବି ଯାଇଥିଲା ।  ଏହି ସେତୁ ଚଇନପୁର ଓ ପଣସା ପଞ୍ଚାୟତକୁ ସଂଯୋଗ କରୁଛି । ସେତୁ ଦବିବା ପରେ ସେତୁ ଉପରେ ଚଳାଚଳ ବାଧାପ୍ରାପ୍ତ ହେବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଆତଙ୍କ ଖେଳିଯାଇଛି । ଯଦି ନଦୀରେ ବଡ଼ ବନ୍ୟା ଆସେ ତେବେ ଏହି ସେତୁ ଭୁଷୁଡ଼ିଯିବାର ଆଶଙ୍କା ରହିଛି । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଶିବାନନ୍ଦ ସ୍ୱାଇଁ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅବିନାଶ ବାରିକ, ସହକାରୀ ଯନ୍ତ୍ରୀ ଆଶୁତୋଷ ସେଠୀ ଘଟଣା ସ୍ଥଳରେ ପହଁଚି ବି୍ରଜ ଦବି ଯାଇଥିବା ସ୍ଥାନ ବୁଲି ଦେଖିବାପରେ ସେତୁ ଉପରେ ଚଳପ୍ରଚଳ ନ କରିବା ପାଇଁ ବାରଣ କରିବା ସହ ସେତୁର ଦୁଇ ମୁଣ୍ଡରେ ବାଉଁଶ ଦ୍ୱାରା ବନ୍ଦ କରିଥିଲେ । କ'ଣ ପାଇଁ ସେତୁ ଦବିଲା ସେ ନେଇ ବିଭାଗୀୟ ଅଧିକାରୀ କିଛି କହୁନଥିବା ବେଳେ ବିଶେଷଜ୍ଞ ଦଳ ଆସି ତଦାରଖ କଲେ କାରଣ ଜଣାପଡିÿବ ବୋଲି ସହକାରୀ ଯନ୍ତ୍ରୀ ଶ୍ରୀ ସେଠୀ ସୂଚନା ଦେଇଛନ୍ତି ।