ସୁକିନ୍ଦାରେ ବିଜେଡ଼ି-ବିଜେପିର ଶକ୍ତି ପ୍ରଦର୍ଶନ ଶିବ ମନ୍ଦିରରୁ ଡ଼ାନି, ଅଖିମୁଠି ପକାଇ ବାହାରିଲେ ଟୁଟୁ
ସୁକିନ୍ଦା-ଯଖପୁରା,: ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ସୁକିନ୍ଦାର ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦି ପ୍ରୀତିରଂଜନ ଘଡ଼ାଇ ଏବଂ ପ୍ରଦୀପ ବଳସାମନ୍ତ । ଆଜି ଉଭୟ ନାମାଙ୍କନ ଭରିବାକୁ ଯାଇ ସୁକିନ୍ଦାକୁ ଜନସମୁଦ୍ରରେ ପରିଣତ କରିଥିଲେ । ବିଜେଡ଼ି ପ୍ରାର୍ଥୀ ପ୍ରୀତରଂଜନ ଘଡ଼ାଇ(ଡ଼ାନି) ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ(ଟୁଟୁ) ଲୋକ ବଳ ପ୍ରଦର୍ଶନ କରିଥିଲେ । ଡ଼ାନି କଜଳେଇ ଶିବ ମନ୍ଦିରରେ ପୂଜା ଅର୍ଚ୍ଚନା କରି ଶୋଭାଯାତ୍ରାରେ ବାହାରିଥିବା ବେଳେ ଟୁଟୁ ଅକ୍ଷୟ ତୃତୀୟା ଥିବାରୁ କ୍ଷେତରେ ଅଖିମୁଠି ବୁଣି ଖଣ୍ଡୁରାଇ ମନ୍ଦିରରେ ପୂଜାପାଠ କରି ଯାଜପୁର ଅଭିମୁଖେ ବାହାରିଥିିଲେ । ଡାନି ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ପରେ ସୁକିନ୍ଦା ରଥ ଛକରେ ଥିବା ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରି ଶୋଭାଯାତ୍ରାରେ ବାହାରିଥିଲେ । ମୋଟସାଇକେଲ ଓ କାରର ବିରାଟ ପଟୁଆରରେ ଶୋଭାଯାତ୍ରା ବାହାରିଥିଲା । ହଜାର ହଜାର କର୍ମୀ ଓ ନେତାଙ୍କ ଗହଳିରେ ଶୋଭାଯାତ୍ରା ଉଛୁଳି ଉଠୁଥିଲା । ନବୀନ ପଟ୍ଟନାୟକ ଜିନ୍ଦାବାଦ ଡାନି ଘଡ଼ାଇ ଜିନ୍ଦାବାଦ ବିଜେଡି ଜିନ୍ଦାବାଦରେ ଶୋଭାଯାତ୍ରା ସ୍ଥଳ ଫାଟି ପଡୁଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ସୁକିନ୍ଦା ବାସୀ ନେତାଙ୍କୁ ହାତ ହଲାଇ ସ୍ୱାଗତ କରୁଥିଲେ । ଛକ ଛକରେ ଫୁଲ ତୋଡା ଦେଇ ବିଧାୟକ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା ଦେଉଥିବାର ଦେଖାଯାଉଥିଲା । ବାଜା ରୋଷଣୀ ବାଣରେ ସୁକିନ୍ଦା ଅଞ୍ଚଳ ପ୍ରକମ୍ପିତ ହେଉଥିଲା । ଶୋଭାଯାତ୍ରାରେ ଅନେକ ଆଗଧାଡିର ନେତା ସାମିଲ ହୋଇଥିଲେ । ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସମସ୍ତ ୪୮ଟି ପଞ୍ଚାୟତର କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସେହିପରି ବିଜେପିର ଟୁଟୁ ବିରାଟ ପଟୁଆରେ ଯାଜପୁର ଅଭିମୁଖେ ବାହାରିଥିଲେ । ମୋଦି ଜିନ୍ଦାବାଦ, ବିଜେପି ଜିନ୍ଦାବାଦ, ଟୁଟଭାଇ ଜିନ୍ଦାବାଦ୍ରେ ସୁକିନ୍ଦା ରାସ୍ତା କମ୍ପିଉଠିଥିଲା । ଉଭୟ ପ୍ରାର୍ଥୀଙ୍କ ହଜାର ହଜାର ସମର୍ଥକ ମେଳି ହୋଇଥିବାରୁ କୌଣସି ବି ଅଘଟଣକୁ ଏଡ଼ାଇବାକୁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।