ପୁଣି ଦବିଲା ବୈତରଣୀ ନଦୀର ମୁଖ୍ୟ ବ୍ରିଜ  ବିପଦ ସଂକୁଳ ପାଇଁ ଯାତାୟାତ ବାଧାପ୍ରାପ୍ତ

 ଆନନ୍ଦପୁର: କିଛି ମାସର ବ୍ୟବଧାନ ପରେ ଆଜି ପୁଣି ଦବିଛି ଆନନ୍ଦପୁରର ମୁଖ୍ୟ ବ୍ରିଜ । ବ୍ରିଜଟି ବିପଦ ସଂକୁଳ ଅବସ୍ଥାରେ ଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଥିବା ବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ବ୍ରିଜ ଉପରେ ଯାତାୟତରେ ରୋକ ଲଗାଯାଇଛି । ସୂଚନା ଅନୁଯାୟୀ ଗତ ଦେଢ଼ ବର୍ଷ ଭିତରେ ବ୍ରିଜର ବେରିଙ୍ଗ ଦୁଇ ଦୁଇ ଥର ଦବି ଯାଇଛି । ରାସ୍ତା ଏବଂ ସେତୁ ନିର୍ମାଣ ବିଭାଗ ପକ୍ଷରୁ ଏହାକୁ ଦୁଇ ଥର ମରାମତି କରାଯାଇଥିଲା । ମାତ୍ର ବେରିଙ୍ଗ ଫିକ୍ସଙ୍ଗରେ ଯାନ୍ତ୍ରିକ  ତ୍ରୁଟି କାରଣରୁ ହେଉ ଅବା ଅନ୍ୟ କୌଣସି କାରଣରୁ ହେଉ ଅଳ୍ପ ଦିନର ବ୍ୟବଧାନ ପରେ ପୁଣି ବୈତରଣୀ ସେତୁ ଦବିଯାଇଛି । ସେହିପରି ବ୍ରିଜ ଉପରେ ଦିନରାତି ଅବାଧରେ ଭାରୀଯାନ ଚଳାଚଳ ସହିତ ଓଭରଲୋଡ଼ିଂ ବାଲି ଗାଡ଼ି ଚଳା ଚଳ ବ୍ରିଜ ଦବିବାର ଅନ୍ୟଏକ କାରଣ ବୋଲି ଅଭିଯୋଗ ହେଉଛି । ସେହିପରି ଅନ୍ୟ ଏକ ବ୍ୟାରେଜ ସେତୁର ବ୍ୟାରେଜ ବିଭାଗ ପକ୍ଷରୁ ଏକକ୍ସପାନ୍ସନ ଜଏଣ୍ଟ କାର୍ଯ୍ୟ ଚାଲୁ ଥିବାରୁ ଏହା ଉପର ଦେଇ ଯାତାୟତରେ ଲାଗିଛି ରୋକ । ୩୫ଟି ଏକ୍ସପାନ୍ସନ ଜଏଣ୍ଟରୁ ଇତି ମଧ୍ୟରେ ୧୫ଟି ସରିସାରିଲାଣି । ବାକି ଥିବା କାର୍ଯ୍ୟ ସରିବାକୁ ଆହୁରି ୧୦ଦିନ ପାଖା ପାଖି ଲାଗିବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଯଦିବି ବ୍ୟାରେଜ ବିଭାଗ ଯାତାୟତକୁ ଅନୁମତି ଦିଏ ଏବଂ ଅଧା କାର୍ଯ୍ୟ ହୋଇଥିବା ବ୍ୟାରେଜ ସେତୁ ଉପରେ ଭାରୀଯାନ ଚଳାଚଳ କରେ ତେବେ ଏହି ବ୍ରିଜ ବିବିପଦ ସଂକୁଳ ଅବସ୍ଥାକୁ ଚାଲିଯିବ ବୋଲି ବ୍ୟାରେଜ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସ୍ନେହାଶିଷ ବେହେରା ସୂଚନା ଦେଇଛନ୍ତି । ତେବେ ଆରଆଣ୍ଡବି ପକ୍ଷରୁ ଆନନ୍ଦପୁର ମୁଖ୍ୟ ବ୍ରିଜର ତୁରନ୍ତ ମରାମତି ସହିତ ଏହି ସମସ୍ୟାର କିପରି ସମାଧାନ ହୋଇପାରିବ ସେନେଇ ନିଷ୍ପତି ନେବା ସହିତ ବ୍ରିଜ ଉପରେ ଭାରୀଯାନ ଚଳାଚଳ ଏବଂ ଓଭର ଲୋଡିଂ ବାଲି ପରିବହନ ଉପରେ ପ୍ରଶାସନ ପକ୍ଷରୁ ରୋକ ଲଗାଇବାକୁ ସାଧାରଣରେ ଦାବି ହୋଇଛି ।