ନିର୍ବାଚନ ମଇଦାନରେ ଓଲିଉଡ୍ ଷ୍ଟାର

ଆସନ୍ତା ୨୫ ତାରିଖରେ କଟକ ସଦର ନିର୍ବାଚନ ମଣ୍ଡଳୀର ଭୋଟରମାନେ ନିଜର ମତ ସାବ୍ୟସ୍ତ କରିବେ । ଏହି ନିର୍ବାଚନ ମଣ୍ଡଳୀଟି ରାଜ୍ୟ ବିଧାନସଭା ମଣ୍ଡଳୀର ସଂରକ୍ଷିତ ରହିଅଛି । ୨୦୧୪-୨୦୧୯  ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଅଧ୍ୟାପକ କାଳିନ୍ଦୀ ଚରଣ ବେହେରାଙ୍କ ପୁତ୍ର ଚନ୍ଦ୍ରସାରଥି ବେହେରା ବିଜେଡି ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିବା ବେଳେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ଏହି ଆସନଟି ବିଜେଡିଗଡ ଭାବରେ ପରିଗଣିତ ହୋଇଥିଲା ବେଳେ ଚିତ୍ରୋତ୍ପଳା-ମହାନଦୀ ଦୀପାଞ୍ଚଳର ବହୁ ପଞ୍ଚାୟତର ପୁରୁଖା କର୍ମୀମାନେ ଅସନ୍ତୁଷ୍ଟ ଥିବା ସହ ସରକାରଙ୍କର ରହିନପାରି ନିଜର ଫାଇଦା ହାସଲ କରିପାରୁନାହାଁନ୍ତି । ଯାହାଫଳରେ ଆଗାମୀ ନିର୍ବାଚନରେ ସେମାନେ ବିଜୁ ଜନତା ଦଳକୁ ସହଯୋଗର ହାତ ବଢାଉନଥିବା ଦେଖିବାକୁ ମିଳୁଛି । କେତେକ ପଞ୍ଚାୟତରେ ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା ଉଦ୍ୟମ କରି ଅସନ୍ତୁଷ୍ଟ ଥିବା କର୍ମୀମାନଙ୍କୁ ମନାଉଥିବା ବେଳେ ନିଜର ରଣକୌଶଳ ପ୍ରୟୋଗ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ବସିଛନ୍ତି । ଏହି ନିର୍ବାଚନ ମଣ୍ଡଳୀର ବିଜେପି ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଇଂ. ପ୍ରକାଶ ସେଠୀ, ସଂଗଠନ କାର୍ଯ୍ୟରେ ନୂଆ ଥିଲେ ବି କେନ୍ଦ୍ରୀୟ ନେତୃମଣ୍ଡଳୀ ଓଡିଶାକୁ ବାରମ୍ବାର ଗ୍ରସ୍ତ ଓ ନିଜେ ଚତୁରତା ପ୍ରୟୋଗ କରି ପଞ୍ଚାୟତର ଘରକୁ ଘର ବୁଲି ନିଜ ସପକ୍ଷରେ ମତ ନେଉଛନ୍ତି । ତେବେ ରାଜ୍ୟରେ ମୋଦୀ ଗ୍ୟାରେଣ୍ଟି ମ୍ୟାଜିକ୍ ନିଶ୍ଚିନ୍ତ କାମ ଦେବ ବୋଲି ଇଂ. ପ୍ରକାଶ ସେଠୀ ଦୃଢ ବିଶ୍ୱାସ ରଖିଥିଲା ବେଳେ ଚାରିଦିନ ଭିତରେ ପରିସ୍ଥିତି ଯେ କ’ଣ ହେବ ତାହା କଳନା କରିବା ଅସମ୍ଭବ ହୋଇପଡିଛି । ସୂଚନାଯୋଗ୍ୟ ଯେ କଟକ ସଦର ନିର୍ବାଚନ ମଣ୍ଡଳୀରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ରାମଚନ୍ଦ୍ର ଗୋଚ୍ଛାୟତ ପ୍ରାର୍ଥୀ ହୋଇ ନିଜର ପତିଆରା ବୃଦ୍ଧି କରୁଛନ୍ତି । ଶୁଣାଯାଏ ବିଗତ ନିର୍ବାଚନରେ ବିଜେଡି ଦଳକୁ କଂଗ୍ରେସର ସହଯୋଗ ଓ ସଂଖ୍ୟାଲଘୁ ସଂପ୍ରଦାୟର ଭୋଟ ଗୁଡିକ ଯାଉଥିବାରୁ ବିଜେଡି ଦଳକୁ ଜିତିବା ପାଇଁ ସହଜ ହୋଇଥାଏ । ବିଜେଡି ଦଳ ବିଗତ ୨୫ ବର୍ଷର ଶାସନ ଭିତରେ କୋଉଠି ନା କୋଉଠି ନିଜର ପତିଆରା ହ୍ରାସ କରିଥିବାରୁ ସଂଖ୍ୟାଲଘୁ ସଂପ୍ରଦାୟର ବହୁମାତ୍ରାରେ ଭୋଟ କଂଗ୍ରେସ ଆଡକୁ ଯାଉଥିବା ଜଣାପଡିଛି । ତିନି ପ୍ରମୁଖ ଦଳକୁ ଛାଡିଦେବା ପରେ ଅନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ ହେଁ ଚଳିତ ନିର୍ବାଚନ କଟକ ସଦର ପାଇଁ ଏକ ଅଗ୍ନିପରୀକ୍ଷାର ବେଳ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ନିର୍ବାଚନ ଚାରିଦିନ ଥିବାରୁ ବିଜେଡି ଦଳ ପ୍ରଚାର ପ୍ରସାରରେ ଆଗରେ ଥିବା ବେଳେ ବିଜେପି ଦଳ ପ୍ରଚାର ପ୍ରସାର କରୁଥିଲେ ହେଁ ବିଜେପି ମଧ୍ୟ କୌଣସି ଗୁଣରେ କମ୍ ନାହିଁ ବୋଲି ଦେଖିବାକୁ ମିଳିଛି ।